ନାହିଁ । ମୁଁ ଏ କଥାକୁ ସତ ମଣି ଭାରି ଖୁସି ହେଲି । ସେଦିନ ସ୍କୁଲ୍କୁ ନ ଯାଇ ମନଇଚ୍ଛା ଖେଳିଲି । ତା' ପରଦିନ ନନା ମୋ' ଆଗରୁ ଉଠି ଜଗି ବସିଲେ ଓ ମୁଁ ଉଠିବା ମାତ୍ରେ ମୋ ହାତ ଧରି ସ୍କୁଲ୍କୁ ନେଇଗଲେ । ମାଷ୍ଟ୍ରେ ଏ କଥା ଶୁଣି ମୋତେ ବହେ ଛିଗୁଲେଇ ଚିଡେଇଲେ । ତା'ପରେ କ୍ରମେ ମୋର ସ୍କୁଲ୍କୁ ଯିବା ଅନିଚ୍ଛା ଅପସରି ଗଲା । କଥା ମନେ ପକାଇ ନନା ଡରିଲେ- ମୁଁ ଯେପରି ଏକଜିଦିଆ ପିଲା, ବାଲିକୁଦା ଯିବାକୁ ନ ମଙ୍ଗିଲେ ସେ କ'ଣ କରିବେ ? ଏହିପରି ଚିନ୍ତାରେ ମାତ୍ର ଦୁଇଦିନ ପରେ ୧୯୨୮ର ଜାନୁଆରି ପହିଲା ହେଲା । ଦୁଇ ତାରିଖ ଦିନ ନନା ମୋତେ କାନ୍ଧେଇ ବାଲିକୁଦା ଚାଲିଲେ । ସେଠାରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇଲି ।
୧୯୨୮ ଜାନୁଆରିରୁ ୧୯୩୧ ଡିସେମ୍ବର ପର୍ଯ୍ୟନ୍ତ ମୁଁ ବାଲିକୁଦା ମାଇନର ସ୍କୁଲ୍ର ଛାତ୍ର ଥିଲି । ସେତେବେଳେ ଆଇନଅମାନ୍ୟ ଆନ୍ଦୋଳନ ଚାଲିଥାଏ । ସ୍କୁଲ୍ର ଅନତିଦୂରରେ ଥିବା ନରିଲୋ ଗ୍ରାମରେ ନିତ୍ୟାନନ୍ଦ କାନୁନ୍ଗୋ ଓ ତାଙ୍କ ଭଉଣୀ ସରଳାଦେବୀଙ୍କ ଘର । କଂଗ୍ରେସ ରାଜନୀତିରେ ସେ ଦୁହିଁଙ୍କ ଖ୍ୟାତି ଓ ସ୍ଥାନ ସମସ୍ତଙ୍କୁ ଜଣା । କାନୁନ୍ଗୋ, ଗୋବିନ୍ଦଚନ୍ଦ୍ର ଦାସ, ହରେକୃଷ୍ଣ ବିଶ୍ୱାଳ ଓ କଣିଆଁର ନିତ୍ୟାନନ୍ଦ ମହାନ୍ତି ଓ ବୈକୁଣ୍ଠନା ମହାନ୍ତି ସ୍କୁଲ୍ର ପୁରାତନ ଛାତ୍ର ହିସାବରେ ଆଇନଅମାନ୍ୟ ଆନ୍ଦୋଳନର କର୍ମୀ ଭାବରେ ଛାତ୍ରମାନଙ୍କ ଉପରେ ଗୁରୁତର ପ୍ରଭାବ ପକାଇଥିଲେ । ପ୍ରଧାନଶିକ୍ଷକ ରାଜକିଶୋର କାନୁନ୍ଗୋ ନିଜେ ଜଣେ କଂଗ୍ରେସପ୍ରେମୀ ଥିଲେ । ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଖଦଡ଼ ପିନ୍ଧୁଥିଲେ ଓ ନିୟମିତ ସୂତା କାଟୁଥିଲେ । ତାଙ୍କ ନିର୍ଦ୍ଦେଶରେ ବହୁ ଛାତ୍ରଙ୍କୁ ପିତଳ ତାକୁଡ଼ି ଓ ତୁଳା ଯୋଗାଇ ଦିଆଯାଇଥିଲା । ଆମେ ମଧ୍ୟ ସୂତା କାଟି ଶିଖିଲୁ । ସ୍କୁଲ୍ ନିକଟରେ ଗୋଟିଏ ଗଞ୍ଜେଇ ଅଫିମ ଦୋକାନ ଥିଲା । କଂଗ୍ରେସ କର୍ମୀମାନେ ସେ ଦୋକାନ ଆଗରେ ଶୋଇ ପିକେଟିଂ କରିବାବେଳେ କୌତୂହଳବଶତଃ ବହୁଛାତ୍ର ମଧ୍ୟ ଏହି ପିକେଟିଂରେ ଯୋଗ ଦେଉଥିଲେ । ବାଲିକୁଦା ଥାନା ବି ସ୍କୁଲ୍ ନିକଟରେ ଥିଲା । ଥାନାବାବୁ ଏହି ଫୁଲମାଳ ପିନ୍ଧା ପିକେଟିଂ କରୁଥିବା ସ୍କୁଲ୍ ଛାତ୍ରମାନଙ୍କୁ ଧରିନେଇ ଥାନାରେ ବସାଇ ଦେଉଥିଲେ । କାହାକୁ ମାରଧର କରୁ ନଥିଲେ । କେବଳ ବୟସ୍କ କର୍ମୀମାନେ ଗିରଫ ହେଉଥିଲେ । ମୁଁ ସେତିକି ବେଳେ ସରଳା ଦେବୀଙ୍କୁ ପ୍ରଥମେ ଦେଖିଲି ।
ମୋ ଛାତ୍ରାବସ୍ଥାରେ ଦୁଇଜଣ ବିଶିଷ୍ଟ ଲୋକ ସ୍କୁଲ୍କୁ ଆସିିଥିବାର ଦେଖିଛି । ଜଣେ ହେଲେ ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ପରିଜା । ସେ ଆମ ବିଦ୍ୟାଳୟର ପୁରାତନ ଛାତ୍ର । ସେ ଆମ ହେଡ଼୍ ପଣ୍ଡିତ୍ ସେନଗୁପ୍ତଙ୍କର ଛାତ୍ର ଥିଲେ । ପଣ୍ଡିତ ଆମକୁ ପରିଜା ସାହେବଙ୍କ କଥା କହିବା ବେଳେ ପାଣୁ ବୋଲି ତାଙ୍କୁ ଉଲ୍ଲେଖ କରୁଥିଲେ । ସେ ୧୯୩୦ ଗ୍ରୀଷ୍ମ ଛୁଟିରେ ପେଣ୍ଟ୍,
ସେମାନଙ୍କ ପିଲାଦିନ ୪୯