ଆମ ଆଟୁୁ ଘରଟି କିନ୍ତୁ କ୍ୱଚିତ୍ ଫିଟାଯାଏ । ଆମ ଘରର ସବୁ ଦାମୀ ଜିନିଷପତ୍ର ସେଇ ଘରେ ବନ୍ଦ ହୋଇ ପଡ଼ିଥାଏ । ମୋ ଜେଜେବାପା ଆର୍ତ୍ତତ୍ରାଣ ମହାନ୍ତିଙ୍କ ମୃତ୍ୟୁ ପରଠାରୁ ସେ ଘରକୁ ଆଉ କେହି ବ୍ୟବହାର କରୁ ନଥିଲେ । ଖଞ୍ଜାର ପଛ ଧାଉଡ଼ିରେ ଆମ ଭାଗରେ ପଡ଼ିିଥିଲା ଗୋଟିଏ ବଡ଼ ବଖରା । ସେଥିରେ ଥିଲା ଅଧା କାନ୍ଥି । ଡିବି ରଖିବାପାଇଁ ଅଧାକାନ୍ଥିର ଦୁଇପଟେ ତିଆରି ହୋଇଥିଲା ଗୋଟିଏ ଠଣା । ଖଟତଳ ଯାକ ରହୁଥିଲା ଆଳିମାଳିକା- ବୋଉର ଯଉତୁକ ପିତ୍ତଳ କୁଣ୍ଡ, ଗରାଠାରୁ ଆରମ୍ଭ କରି ବାଡ଼ିରୁ ଅମଳ ହୋଇଥିବା ସାରୁ ପର୍ଯ୍ୟନ୍ତ ।
ଏଇ ଖଟ ଉପରେ ଓଳିଆ ସବୁ ଘୁଞ୍ଚାଇ, ତା' ଭିତରେ ମୁଁ ଦିନେ ଗଢ଼ିିଲି ମୋର ଶୈଶବର ସ୍ୱପ୍ନପୁରୀ... । ଗୁଡ଼ାଏ ଷଢେ଼ଇରେ ଧୂଳି, ବାଲି, ଗୋଡ଼ି, ସାଧବ ବୋହୂ ପୋକ, ବୋତଲ ଭିତରେ ଜୁଳୁଜୁଳିଆ ପୋକ ଆଉ କୋଉ ବୋତଲର ପାଣି ଭିତରେ କେତୋଟି ଦଣ୍ଡିକିରୀ ମାଛ, ଖପରା, ଛିଣ୍ଡା କାଗଜ, ଖାଲି ଦିଆସିଲି ଖୋଳ- ଏଇପରି ଆଉରି ଅନେକ କିଛି... ଯାହାକୁ ବଡ଼ ମଣିଷମାନେ ଫିଙ୍ଗି ଦେଇଥିଲେ, ମୁଁ ସେସବୁକୁ ସାଉଁଟି ଆଣି ଏଇଠି ସଜେଇ ରଖୁଥିଲି ଓ ସେସବୁକୁ ଧରି ଏକୁଟିଆ ଘଣ୍ଟା ଘଣ୍ଟା ଖେଳୁଥିଲି । ଆମ ଖଞ୍ଜାରେ ମୋ ବୟସର କୌଣସି ପିଲା କୌତୂହଳୀ ହୋଇ ମୋର ସେଇ ନିଭୃତ ପୃଥିବୀରେ ଅନଧିକାର ପ୍ରବେଶ କଲେ ମୁଁ ତାକୁ ନିସ୍ତୁକ ପିଟୁଥିଲି । ବୋଉର ହାଣ୍ଡିଶାଳ ପରି ଏହା ମଧ୍ୟ ଥିଲା ଅନ୍ୟମାନଙ୍କପାଇଁ ଆଉ ଏକ ନିଷିଦ୍ଧ ଇଲାକା ।
ମୁଁ ବୈଷ୍ଣବ ଅବଧାନଙ୍କ ଚାଟଶାଳୀରେ ନାଆଁ ଲେଖାଇବା ପରଠାରୁ ବୋଉର ହାଣ୍ଡିଶାଳ ଅନ୍ୟମାନଙ୍କପାଇଁ ଆଉ କିନ୍ତୁ ନିଷିଦ୍ଧ ହୋଇ ରହିପାରିଲା ନାହିଁ । ପିଲାଦିନେ ମୁଁ ଭାରି ପାଠଚୋର ଥିଲି । ଦିନେ ଦିନେ ସକାଳୁ ପେଟ ଟାଣୁଚି, ମୁଣ୍ଡ ବିନ୍ଧୁଚି, ଜର ଆଇଲାଣି- ଏମିତି ନାନା ପେଖନା କାଢ଼ି ଚାଟଶାଳୀକୁ ଯାଏ ନାହିଁ, କାନ୍ଦେ । ଇନ୍ଦୀ ମାଉସୀ ବୋଉକୁ କୁହେ, ଆଗୋ ଶୋଶୀ ଅପା, ଦେଖିଲୁଣି ସୁରିଆ ଦିହ ଜର ତାତିରେ କେମିତି ଖଇ ଫୁଟୁଚି । ନିଆଁ ପଡ଼ୁ ପାଠ ମୁହଁରେ । ସୁରିଆ ଚାଟଶାଳୀକୁ ଆଜି ଯିବ ନାହିଁ ।' ମୁଁ ମନେ ମନେ ଖୁସି ହୋଇ ଇନ୍ଦୀ ମାଉସୀକୁ ଜାବୁଡ଼ି ଭିତରେ ଭିତରେ ହସେ । ଆଜି ଚାଟଶାଳୀକୁ ନଗଲେ ନିଶ୍ଚୟ କେଇଟା ପ୍ରଜାପତି ଧରିବି । ଏ ଫିକର କିନ୍ତୁ ବେଶିଦିନ କାମ ଦେଲା ନାହିଁ । ବଇଷମ ଅବଧାନେ ଭାରି ନିଷ୍ଠୁର । ସୁଇଁସାଇର ଗୋଟାଏ ଟୋକା ତାଙ୍କର ବଡ଼ ଚାଟ । ତାଙ୍କ ବୋଲରେ ସେଇଟା ଆସି ଗୋଟାଏ ଯମଦୂତ ପରି ମୋତେ ଘିରିଘିରି ଟାଣି ନେଇଯାଏ ଚାଟଶାଳୀକୁ । ଇନ୍ଦୀ ମାଉସୀ ସୁଦ୍ଧା ରକ୍ଷା କରିପାରେ ନାହିଁ । ତା'ପରେ ବୋଉ ଓ ଇନ୍ଦୀ ମାଉସୀଙ୍କ ମଧ୍ୟରେ ଲାଗେ ଝଗଡ଼ା । ଇନ୍ଦୀ ମାଉସୀ
୫୨ ସେମାନଙ୍କ ପିଲାଦିନ