ବୋହୂ ନୂଆ ହୋଇ ଶାଶୂଘରକୁ ଆସିବା ବେଳେ, ଗୋଟିଏ ପେଡ଼ିରେ ଆଣୁଥିଲେ ଏହିପରି ସବୁ ଚଟି ଚଟି ବହି । ଇଏ ଥିଲା କରଣ ଘରର ସଣ୍ଠଣା । ସଂଜବେଳେ ଭାଗବତ ବୋଲାଯିବା ବେଳେ ମୁଁ ତନ୍ମୟ ହୋଇ ଶୁଣୁଥିଲି । କିଛି ବୁଝିପାରୁ ନଥିଲି ଭାଗବତର କଥା । କିନ୍ତୁ ବୋଲିବାର ରାଗିଣୀ; ସଂଜର ଅନ୍ଧାର ଆଉ ଥରାଥରା ଦୀପଶିଖା ଆଉ ଜାକି ଜାକି ହୋଇ ବସିିଥିବା ମଣିଷମାନେ ସବୁ ମିଶି ଯେପରି ଅଭିନ୍ନ ହୋଇ ଉଠୁଥିଲେ । ଆଉ ତା'ର ଭିତରେ ମୁଁ କେଉଁଠି ହଜିଯାଉଥିଲି, ନଡ଼ାଗଦାରେ ଗୋଟିଏ ଛୁଞ୍ଚି ହଜିଯିବା ପରି । ମୁଁ ତା' ଭିତରେ ଅନୁଭବ କରିପାରୁଥିଲି ଯେପରି ଗୋଟାଏ ଅନନ୍ତକାଳର ଅଖଣ୍ଡ ସତ୍ତା । ଦିନସବୁ ପ୍ରକୃତରେ ବେଶ୍ କଟିଯାଉଥିଲା । ମୁଁ ଭାବୁଥିଲି ମୋର ଦିନସବୁ ଏଇପରି କଟିଯିବ ।
ଦିନେ କିନ୍ତୁ ଆକସ୍ମିକ ଆସିଲା ଏକ ବିପଦ । ବାପା ପ୍ରତି ମାସରେ ଥରେ ଥରେ ଗାଁକୁ ଆସନ୍ତି । ରାତିଟା ରହି ପୁଣି ସକାଳୁ ତାଙ୍କର ଚାକିରି ଗାଁକୁ ବାହାରି ଯାଆନ୍ତି । ଦିନେ ସେ ଆସିବାବେଳକୁ ମୁଁ ଘରେ ନଥିଲି । ସେଦିନ ମୋର ପୋଷା ବଣିଟା ପଞ୍ଜୁରିରୁ ଖସି କୁଆଡେ଼ ଉଡ଼ି ଯାଇଥିଲା । ତାକୁ ବିଲ ଗହୀରରେ ବଣବୁଦାମାନଙ୍କରେ ଖୋଜି ଖୋଜି ଆମ ଖଞ୍ଜାର ଜଣେ ଦି'ଜଣ ପିଲାଙ୍କ ସହିତ ମୁଁ ଗହୀରେ ଗହୀରେ ପଟ୍ଟାମୁଣ୍ଡାଇ କେନାଲ୍ ବନ୍ଧ ପର୍ଯ୍ୟନ୍ତ ସୁଦ୍ଧା ଚାଲିଯାଇଥିଲି । ପ୍ରାୟ କୋଶେ ବାଟ । ବଣି ତ ମିଳିଲା ନାହିଁ । ତେବେ ସେଇଦିନ ବୁଝିିଲି, ଯିଏ ପଞ୍ଜୁରିରୁ ଫିଟି ଥରେ ଉଡ଼ିଯାଏ, ସିଏ ଆଉ ପଞ୍ଜୁରିକୁ ଫେରେ ନାହିଁ । ତା'ପାଇଁ ପାଗଳ ହୋଇ ବୁଲିବା କେବଳ ସାର ହୁଏ ।
ଓଡ଼ିଆ ସାହିତ୍ୟର ଅମର କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଆତ୍ମଜୀବନୀ 'ପଥ ଓ ପୃଥିବୀ'ରୁ ଉଦ୍ଧୃତ ।
ସେମାନଙ୍କ ପିଲାଦିନ ୫୫