Jump to content

ପୃଷ୍ଠା:Shankhanada.pdf/୧୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆଣି ଚଟାଣରେ ବିଛେଇଲା, “ବସ ଶେଖର ଭାଇ ।” ଆଜ୍ଞାବହ ଭଳି ମୁଁ ମସିଣାରେ ବସିଲି । ତା' ଶାଶୁ ଉଠି ଦାଣ୍ଡ ଆଡ଼େ ବାହାରି ଗଲେ । ତାଙ୍କର ସଳିତା ବଳିବା ବୋଧହୁଏ ସରି ଯାଇଥିଲା । ମୁଁ ତାଙ୍କ ଯିବା ରାସ୍ତାକୁ ଚାହିଁଲି । ଅଗଣା ଡେଇଁଲେ ସରୁ ଗଳି ଭଳି ରାସ୍ତା । ବୋଧହୁଏ ତା' ପାର୍ଶ୍ଵରେ କୋଠରୀ ଅଛି । ତା ପରେ ଥାକ ଥାକ ଅନ୍ଧାରୁଆ ଆଲମ୍ବିତ କୋଠରୀ ଶ୍ରେଣୀର ପ୍ରଚ୍ଛଦପଟରେ ଦିନର ନିଷ୍ପ୍ରଭ ପ୍ରାୟ ଆଲୁଅ ପରିଷ୍କାର ରୂପେ ଦୃଶ୍ୟମାନ ହେଉଥିଲା । ଆଣ୍ଠୁ, ପାଦ ଉପରେ ମୋ ପାର୍ଶ୍ଵରେ ବସିପଡ଼ି ଲକ୍ଷ୍ମୀ ଡାକ ପକେଇଲା, “ପଦ୍ମା, କୁଆଡ଼େ ଗଲୁ?” “ଆସୁଛି ବୋଉ, ” ଦାଣ୍ଡ ଆଡୁ ଶୁଣାଗଲା । ଫ୍ରକ ପିନ୍ଧା ୧୦/୧୨ ବର୍ଷର ଝିଅଟିଏ ଅଗଣାକୁ ଆସିଲା । ମୋତେ ଓ ମୋ ପାଖରେ ଲକ୍ଷ୍ମୀକୁ ବସିଥିବାର ଦେଖ୍ ଅଳ୍ପ ଶଙ୍କିଯାଇ ଦ୍ବାର ମୁହଁରେ ଅଟକି ଗଲା, “କ’ଣ ବୋଉ?" “ମାମୁଁଙ୍କୁ ନମସ୍କାର କରେ । ଜିତୁ ଦିଦିର ମାମୁଁ ଲ ।” ପଦ୍ମା ହାତ ଯୋଡ଼ିଲା । ଲକ୍ଷ୍ମୀ ପଚାରିଲା, “ଶେଖର ଭାଇ, ନବାତ ପଣା ପିଇବ?” ହସି ହସି କହିଲା, “ୟାଙ୍କ ଘରେ କେହି ଚାହା ପିଅନ୍ତିନି । ଆଖୁ ବାଡ଼ ଅଛି । ନବାତ ଭାସୁଛି ।” ମୁଁ ବିବ୍ରତ ଅନୁଭବ କଲି, “ନା, ନା, ମୋର କିଛି ଦରକାର ନାଇଁ । ଲକ୍ଷ୍ମୀ, ତୋର କ'ଣ ଇଏ ଜଣେ?" “ଜଣେ?” ସେ ହସିଲା । ଶଙ୍ଖନାଦ | ୯୯