Jump to content

ପୃଷ୍ଠା:Shankhanada.pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମୋ ଆଖରେ ଆଖ୍ ମିଶେଇ କହିଥିଲା, “ଆମ ଘରେ କହିବାର ସାହାସ ମୋର ନାହିଁ । ତମେ ଯଦି ଚାହଁ ଆମର ବାହାଘର ହେବ । ନ ହେଲେ କିଛି ଦୁଃଖ ନାହିଁ । ମୁଣ୍ଡ ପୋତି ସହିଯିବି ।" ଆମ ଦୁହିଁଙ୍କ କଥା ଯଦିଓ ସମସ୍ତେ ଜାଣିଥିଲେ, ତଥାପି ମୋତେ ଆରମ୍ଭ କରିବାକୁ ପଡ଼ିଥିଲା । ପ୍ରଥମେ ନାନୀ, ତାପରେ ବୋଉ, ତାପରେ ନନା । କିନ୍ତୁ ତାଙ୍କ ଘରେ ମନା କରିଥିଲେ । କାରଣ, ଜାତକ ମେଳକ ହେଉ ନ ଥିଲା । ଲକ୍ଷ୍ମୀର ନନା ସଂସାରରେ ନଥିଲେ । ଚାରି ଭାଇର ଜଟିଳିଆ ଘର ଥିଲା ତାଙ୍କର । ଭାଇମାନେ ଲକ୍ଷ୍ମୀଠୁଁ ବହୁତ ବଡ଼ ଥିଲେ । ସମସ୍ତେ ବାହା ହୋଇ ସାରିଥିଲେ । ଲକ୍ଷ୍ମୀର ପିଲାଟି ବେଳୁ ଆମ ଘରକୁ ଅବାଧରେ ଯିବା ଆସିବା ତା’ର ଭାଉଜମାନଙ୍କୁ କେବେ ବି ସୁହାଇ ନଥିଲା । ସେଦିନ, ଯେଉଁ ଦିନ ବୋଉ ନନାଙ୍କୁ କହୁଥିଲା, “ଶେଖର, ଲକ୍ଷ୍ମୀ ଦି ଜଣ ଯାକର ଜାତକ ଆଉ କଉଠି ନେଇ ଦେଖାଦେଖ୍ କର ।” ନନା କହୁଥିଲେ, “ଜାତକରେ ଖରାପ ଯୋଗ ଅଛି ବୋଲି ଦି ଜଣ କହିଲେଣି । ବାହାହେଲେ ଶେଖରର ଖରାପ ହେବ ଶୁଣିଲା ପରେ ଯଦି ମୁଁ ମାଡ଼ି ବସି କରିବି, ଭବିଷ୍ୟତରେ ଯଦି କିଛି ହେବ ମୁଁ ମୋ ନିଜକୁ କ୍ଷମା କରି ପାରିବିନି ।" ନନା ବୋଉଙ୍କ କଥା ଶୁଣି ଲକ୍ଷ୍ମୀକୁ ଯାଇ କହିଥିଲି, “ଚାଲେ, ଆମେ ଗାଁ ଛାଡ଼ି ପଳେଇବା, ରେଜିଷ୍ଟ୍ରୀ ବିବାହ କରିନେବା । ମୋର କଲେଜ ସରିଯାଇଛି । ମୁଁ କୋଉଠି ହେଲେ ଚାକିରୀ କରି ରୋଜଗାର କରିବି । ଆମର କିଛି ଅସୁବିଧା ହେବନି ।” ଶଙ୍ଖନାଦ | ୧୦୫