ହଠାତ ସେ ଚୁପ୍ ରହିଗଲା । କିଛି ସମୟ ଆମ ଭିତରେ ନୀରବତା ବିରାଜମାନ କଲା । ପରେ ଶାଢ଼ୀକୁ ମୋ ଦିଗକୁ ବଢ଼େଇ ଦେଇ କହିଲା, “ତମ ମନରେ କଷ୍ଟ ଦେବା ପାଇଁ କହି ନ ଥିଲି । ମୋ ପାଖରେ ଭଲ ଶାଢ଼ୀ ନାହିଁ । ଯାହା ଅଛି ପୁରୁଣା ଦେଶୀ ପାଟ । ମୁଁ ସେଗୁଡାକୁ ପିନ୍ଧି ପାରୁନି । ସେଥିପାଇଁ ଗଲିନି । ଏଇ ଶାଢୀକୁ ନେଇ ଯାଅ, ଶେଖର ଭାଇ । ନାନୀକୁ କହିଦିଅ, ଲକ୍ଷ୍ମୀ ଅଭିମାନିନୀ ସତ । କିନ୍ତୁ ସେ ତା'ର ନାନୀ ପାଖରେ ଅଭିମାନ କରି ଶିଖୁ । ମୁଁ ସେଇ ପାଟ ପିନ୍ଧି ଯିବି ।” ମୁଁ ଶାଢ଼ୀ ନେଲିନି । କହିଲି, “ନାନୀ କ’ଣ ଅପରାଧ କଲା ଯେ ତୁ ତା'ର ସ୍ନେହ ସମ୍ପର୍କକୁ ଭାଙ୍ଗି ଦେଉଛୁ ।” ସେ ହସିଲା । ଶାଢ଼ୀକୁ ଫେରେଇ ନେଇ କହିଲା, “ଲେଖକମାନେ ମନସ୍ତାତ୍ଵିକ ବୋଲି ତ ଜାଣିଥିଲି । କିନ୍ତୁ ମନକୁ ଭୁଲ ପଢୁଛ, ଏଇଟା ଜାଣି ନଥିଲି । ଠିକ ଅଛି । ମୁଁ ଶାଢ଼ୀ ପିନ୍ଧିକି ଯିବି । କିନ୍ତୁ ମୁଁ ଯାହା ପାଇଁ ଶାଢ଼ୀ ନେବିନି କହୁଥୁଲି, ତମେ ତାହା ବୁଝି ପାରିଲନି । “ମୋତେ ବୁଝେଇ ଦେ ।” “ବୁଝେଇବା ଦରକାର ନାହିଁ । ତମେ ଠିକ ସମୟରେ ବୁଝିଯିବ । ତମେ ଏବେ ଯାଅ, ଶେଖର ଭାଇ । ମୁଁ ସଙ୍ଗେ ସଙ୍ଗେ ଯାଉଛି ।” ମୁଁ ଲକ୍ଷ୍ମୀ ଘରୁ ଫେରିଲି । ସେ ମୋ ପଛେ ପଛେ ନାନୀ ଦେଇଥିବା ଶାଢ଼ୀକୁ ପିନ୍ଧି ଆସିଥିଲା ଓ ସାହି ଝିଅ ବୋହୂମାନଙ୍କ ସହ ମିଶି ଜ୍ୟୋତିର ଚାରିପାଖେ ଗୀତ ଗାଇ ଗାଇ ତାଳି ମାରି ମାରି ବୁଲୁଥିଲା । ଶଙ୍ଖନାଦ | ୧୧୫
ପୃଷ୍ଠା:Shankhanada.pdf/୧୧୬
ଦେଖଣା