Jump to content

ପୃଷ୍ଠା:Shankhanada.pdf/୧୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଭାଇ । ଆମ ଆଡୁ ପୁରା ସମ୍ମତି । ବାକି ତା' ଇଛା । ମୋର ବହୁତ କାମ ଅଛି । ମୁଁ ଯାଉଛି ।" ସଦାନନ୍ଦ ବାହାରକୁ ବାହାରିଗଲେ । ତାଙ୍କ ଯିବା ରାସ୍ତାକୁ ଚାହିଁ ଲକ୍ଷ୍ମୀ ଏକ ଦୀର୍ଘଶ୍ବାସ ନେଇ ସ୍ଵଗତୋକ୍ତି କଲା- “ପୁଣି ବାହାରିଲେ ଗଞ୍ଜେଇ ଆନ୍ଥାକୁ !” ସେ ଯାଉ ଯାଉ ମୁଁ ଉଠିଲି, “ରଜନୀ, ଆ ଯିବା ।” ଆମ ଦୁହିଁଙ୍କଠୁ ଉଠିବା ଦେଖ୍ ଲକ୍ଷ୍ମୀ ମୋତେ ଏକ ଲୟରେ ଚାହିଁ ପଚାରିଲା, “ତମେ ଚାହୁଁଛ ଶେଖର ଭାଇ ମୁଁ ଯିବା?" “ହଁ, ଖାଲି ମୁଁ ନାହିଁ, ଆମେ ସମସ୍ତେ ଚାହୁଁଛୁ ତୁ ଆସେ ବୋଲି । ନାନୀ ମୋତେ କହି କି ଯାଇଛି ତୋତେ ଡାକିବାକୁ ।” “ନାନୀ ନ କହିଥିଲେ ତମେ କହି ନ ଥାନ୍ତ ନା?” ମୁଁ ସତର୍କ ହୋଇଗଲି । ମୋର ଦୁର୍ବଳତା ପ୍ରକାଶ ନ କରିବାକୁ ଯାଇ ମୁଁ ପୁଣି ଥରେ ତା' ମନ ଦୁଃଖେଇଲି କି? କଥାଟାକୁ ସମ୍ଭାଳିଲି, “ମୁଁ ନିଜେ ଚାହେଁ ଲକ୍ଷ୍ମୀ ତୁ ମୋ ସହ ଗାଁକୁ ଯିବାଟା । ତୋ' ଭାଇମାନଙ୍କ ପାଖରେ ନ ରହିଲେ ନାହିଁ, ବୋଉ ଅଛି, ଅବନୀ ଅଛି ।” “ଆଉ ତମେ ରହିବନି?” “ମୋର ୪ ଦିନପରେ ବଡ଼ ବଡ଼ ଆପଇଣ୍ଟମେଣ୍ଟ ଅଛି । ମୋତେ ପହର ଦିନ ହିଁ ବାହାରିବାକୁ ପଡ଼ିବ ।” ଲକ୍ଷ୍ମୀ କେବଳ ଲମ୍ଵା ଧୀର ଶ୍ବାସ ନେଇ ରହିଗଲା । ଆମେ ଦୁଇ ଭାଇ ବାହାରି ଆସିଲୁ । ବର୍ତ୍ତମାନ ଯାଏଁ ରଜନୀ ଚୁପ୍ ରହିଥିଲା । ବାହାରକୁ ବାହାରୁ ବାହାରୁ ମୋ ହାତ ଧରି କହିଲା, “ଧନ୍ୟବାଦ ଭାଇନା ।” ଶଙ୍ଖନାଦ | ୧୨୧