Jump to content

ପୃଷ୍ଠା:Shankhanada.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବେଳର ମୋର ନିଃଶବ୍ଦ ପାଦରେ କିଏ ଚକ ଲଗେଇ ଦେଇଥିଲା । ଲମ୍ବା ଲମ୍ବା ପାଦରେ ଦ୍ରୁତ ଗତିରେ ମୁଁ ଟ୍ୟାକ୍ସି ଆଡ଼କୁ ଆଗେଇଲି । ଏମିତି ପରିସ୍ଥିତିରେ କ'ଣ କରାଯିବା ଉଚିତ, ମୁଁ ଦୋଳାୟମାନ ଅବସ୍ଥାରେ ଥିଲି । ମୋତେ ମୋର ନିଜର ସଠିକ୍ ପଦକ୍ଷେପ ନେବାକୁ ହେବ । ଟ୍ୟାକସିରେ ବସିବା ଆଗରୁ ଥରେ ମନୋଜର ଛାତ୍ରାବାସ ଦିଗେ ଦେଖିଲି । ସିଢ଼ିର ମଝିରୁ ଜଣେ କିଏ ଉଙ୍କି ମାରି ଟ୍ୟାକ୍ସି ଦିଗେ ଦେଖୁଥ‌ିବାର ମୋର ବୋଧ ହେଲା । ଟିକିଏ ଠିଆ ହୋଇ ସେ ଦିଗେ ଭଲ ଭାବେ ଦେଖିଲି । ମୋର ଦେଖୁ ଦେଖ୍ ଉଙ୍କି ମାରୁଥ‌ିବା ଚେହେରାଟି ହଠାତ୍ ଅଦୃଶ୍ୟ ହୋଇଗଲା । ଚିନ୍ତା କଲି, ଯାଇ ଦେଖିବି କିଏ ସେ ପିଲା । ନା, ମନକୁ ବୁଝାଇଲି । ମନୋଜ ନଥିଲେ ଏମାନଙ୍କ ସହ ମୋର କି କଥା? ଛତା ବନ୍ଦ କରି ଟ୍ୟାକସିରେ ବସିଲି । ଘୁମାଉଥ‌ିବା ଡ୍ରାଇଭରକୁ କହିଲି, “ଏଇଠିର ପୋଲିସ୍ ଷ୍ଟେସନ ଜାଣିଛ? ମୋତେ ସେଇଠିକୁ ନେଇ ପାରିବ?” ପୋଲିସ୍ ନାଁ ଶୁଣୁ ଶୁଣୁ ତାଙ୍କ ତନ୍ଦ୍ରା ଭାଙ୍ଗିଗଲା, “ହଁ, ଦେଖୁଛି । ଯିବା?” ମୁଁ ମୁଣ୍ଡ ଟୁଙ୍ଗାରି ହଁ କଲି । ବର୍ଷଣୋନ୍ମୁଖ ଅନ୍ଧକାର ସନ୍ଧ୍ୟାରେ କଲେଜ ପରିସରରୁ ବାହାର ରାସ୍ତାକୁ ଆସିଲା ବେଳେ ଟ୍ୟାକ୍ସି ଆଲୁଅରେ ଧୂଆଁଳିଆ ବାତାବରଣ ମଧ୍ଯରେ କଳା ପିଚୁ ରାସ୍ତା ଉପରେ ପଡୁଥ‌ିବା ବର୍ଷା ପାଣିର ଅବିରତ ଧାର ମୋର ଦୃଷ୍ଟିଗୋଚର ହେଉଥିଲା । ଅଞ୍ଜଳିଙ୍କୁ ମୁଁ ଏହି ଖବର ଦେଇ ପାରିବି ତ? ମୋର ଅନୁପସ୍ଥିତିରେ ସେ ଏହି ଖବରକୁ ସମ୍ଭାଳି ପାରିବେ ତ? ମୁଁ ନିଜକୁ ନିଜେ ପଚାରୁଥୁଲି । ଶଙ୍ଖନାଦ | ୧୩୩