Jump to content

ପୃଷ୍ଠା:Shankhanada.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଉତ୍ତର ଦେଇ ନ ଥିଲେ । କାରଣ ଭାଇଙ୍କୁ ଆଗରୁ ପାଠ ପଢ଼ିବାକୁ ମନା କରି ସାରିଥିଲେ, ‘କଲେଜରେ ବର୍ଷେ ପଢ଼ିଲୁ, ଆଉ ପଢ଼ିବା ଦରକାର ନାହିଁ । ସିଧା ଯାଇ ଦୋକାନରେ ବସେ ।'
ବଡ଼ ବଜାରରେ ବାପାଙ୍କ ୫ ହାତ ଓସାରର ଲମ୍ବା ଦୋକାନ ଘରଟିଏ ଥିଲା । ତାକୁ ସେ ନିଜ ପରିଶ୍ରମରେ ଠିଆ କରିଥିଲେ । ଭାଇଙ୍କ ପାଠ ପଢ଼ିବା ଅର୍ଥ ଯେ ସେ ଆଉ ତାଙ୍କୁ ସାହାଯ୍ୟ କରିବେନି, ଏହି ଧାରଣା ତାଙ୍କର ମନରେ ବଦ୍ଧମୂଳ ହୋଇ ରହିଥିଲା । କାରଣ, ଦିନରେ ଥରୁଟିଏ ହେଲେ ଦୋକାନ ଆଡ଼େ ବୁଲି ଆସିବାକୁ ଯେତେ କୁହାଗଲେ ବି ସେ ତାକୁ ଧ୍ୟାନ ଦେଉ ନ ଥିଲେ । ତାଙ୍କ ପାଠ ଭଲ ତ, ସେ ଭଲ ଥିଲେ ।
ତାପରେ, ଦିନେ ସକାଳ ବେଳେ ମାଆଙ୍କୁ କାନ୍ଦିବାର ଦେଖୁଥିଲେ । ବାବାଙ୍କୁ ଦୋକାନ ନ ଯାଇ ଚୁପ୍‌ଚାପ୍ ଘରେ ବସିବାର ଦେଖୁଥିଲେ । ବନ୍ଧୁ—ବାନ୍ଧବମାନେ କିଏ କିଏ ଆସିଥିଲେ । ବାବା– ମାଆଙ୍କ ପାଖରେ ବସୁଥିଲେ । ପୁଣି ଚାଲିଯାଉଥିଲେ । ପ୍ରଥମେ ସେ କିଛି ବୁଝି ପାରି ନ ଥିଲେ । ପରେ ମାଆଙ୍କଠାରୁ ଶୁଣିଥିଲେ– ଭାଇ କୁଆଡ଼େ ପଳେଇଯାଇଛନ୍ତି । ବନ୍ଧୁ-ବାନ୍ଧବ କାହା ଘରେ ବି ନାହାନ୍ତି । ଏହା ଶୁଣୁଶୁଣୁ ତାଙ୍କ ମନରେ ପ୍ରଥମେ ଗୋଟିଏ କଥା ଛୁଇଁଥିଲା– ଭାଇ କ'ଣ ତା ହେଲେ ସନ୍ନ୍ୟାସୀ ହେବା ପାଇଁ ତପସ୍ୟା କରିବାକୁ ଚାଲିଯାଇଛନ୍ତି !
ନଅ ବର୍ଷ ବୟସରେ ଭାଇଙ୍କ ବିଚ୍ଛେଦର ଅର୍ଥ ସେ କିଛି ବୁଝି ନ ଥିଲେ । ପରେ ଯେତେବେଳେ ଅନ୍ୟମାନଙ୍କ ଭାଇଙ୍କୁ ଦେଖୁଥିଲେ, ମନରେ ଏକ ଅସହ୍ୟ ବେଦନା ସୃଷ୍ଟି ହୋଇଥିଲା, ଯାହାକୁ ପରେ ସେ ବୁଝିଥିଲେ, ହୃଦୟଙ୍ଗମ କରିଥିଲେ ଯେ ଏହା ହିଁ ଭାତୃ ପ୍ରେମ ।
ଭାଇଙ୍କ ଘରୁ ଚାଲିଯିବାର କେତେ ବର୍ଷ ପରେ ଦିନେ

୧୬ ଶଙ୍ଖନାଦ