Jump to content

ପୃଷ୍ଠା:Shankhanada.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନ ଥିଲେ । ସକାଳେ ଉଠିଲା ପରେ ବାବା ସବୁ ଶୁଣିଥିଲେ । କିଛି କହି ନ ଥିଲେ । ନ ଖାଇ ଦୋକାନକୁ ବାହାରି ଯାଇଥିଲେ । ଦେଶ–ମାଆ, ଠିଆ ହେବା ପୂର୍ବରୁ ପଡ଼ିଯିବା ଆଦିର ଅର୍ଥ ସେଦିନ ସ୍ବୟଂପ୍ରଭା ବୁଝିପାରି ନ ଥିଲେ । ଯେତେବେଳେ ଶିଶୁ ମନ୍ଦିରରେ ଶିକ୍ଷୟତ୍ରୀର ଟ୍ରେନିଂ ଚାଲିଥିଲା, ଭାଇଙ୍କର ମାଆଙ୍କୁ କହିଥ‌ିବା କଥା ସବୁ ମନେ ପଡ଼ିଥିଲା । ଭାରତୀୟ ସଂସ୍କୃତିରେ ମଣିଷ ଜୀବନରେ ଯେଉଁ କେତୋଟି ମା' କଥା କୁହାଯାଇଥିଲା, ସେଥ‌ିରୁ ଜଣେ ଥିଲେ– ଦେଶ—ମାତୃକା । ଘରେ ଆସିଲା ପରେ ମାଆଙ୍କୁ ସେହି ବିଷୟ କହିଥିଲେ । ଅସହାୟ ସ୍ତ୍ରୀ ଲୋକଟି ଦୀର୍ଘ ଶ୍ବାସ ନେଇ କେବଳ ଏତିକି କହିଥିଲେ, ‘ଆହା, କ'ଣ ଦେଖ୍ ଏ ମୂର୍ଖ ମାଆର ପେଟକୁ ଆସିଥିଲା ସିଏ !' 9 ସେତେବେଳକୁ ତାଙ୍କର ବାହାଘର ଠିକ ହୋଇସାରିଥିଲା । ବାହା ହେବା ଆଗରୁ ହିଁ ଆସି ତାଙ୍କ ବର ତାଙ୍କ ଘରେ ରହୁଥିଲେ । ଘର ଜ୍ୱାଇଁ କରିବା ପାଇଁ ବାଛିବାଛି ବାବା ତାଙ୍କ ପାଇଁ ମଫସଲରୁ ଗରିବ ପିଲାଟିଏ ବାଛି ଆଣିଥିଲେ । ତାଙ୍କ ବର ପାଠ ପଢ଼ା ଅଧାରେ ଛାଡି ବାପାଙ୍କୁ ଦୋକାନରେ ସାହାଯ୍ୟ କରୁଥିଲେ । ବଡ ବଜାରରେ ଶ୍ବଶୁର–ଜୋଇଁ ଦୋକାନର କାଟତି ଖୁବ ଥିଲା । ସକାଳ ନଅରୁ ରାତି ନଅ । ଖାଲି ଖାଇବା ପାଇଁ ଯାହା ଘରକୁ ଆସି ଖାଇସାରିଲା ପରେ କିଛି ସମୟର ଆରାମ ଥିଲା । ଭାଇଙ୍କ ଫେରିବା ନେଇ ବାବା ଆଶା ଛାଡ଼ି ଦେଇଥିଲେ । ମାଆ କିନ୍ତୁ ଆଶା ବାନ୍ଧି ବସିଥିଲେ, କହୁଥିଲେ, 'ଦେଖେ ମା, ଆମ ପରେ ଏ ଘର ତା'ର । ତା ପାଇଁ ରଖିବୁ । ବାପା ଯଦି ପାଠ ପଢ଼ିବାକୁ ଛାଡ଼ି ଦେଇଥାନ୍ତେ, ସେ କ'ଣ ଯାଇଥାନ୍ତା?' ମାଆ କ'ଣ ଭାଇଙ୍କ ପ୍ରକୃତ ଭାବକୁ ବୁଝି ସାରିଥିଲେ? ଶଙ୍ଖନାଦ । ୧୯