Jump to content

ପୃଷ୍ଠା:Shankhanada.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

[ଆଉ ଗୋଟିଏ ଜିନିଷ ମୁଁ ଆପଣଙ୍କ ନିକଟରେ ଭିକ୍ଷା କରୁଛି - ଯଦି ସମ୍ଭବ, ମାସକୁ ୧୦୦ ଟଙ୍କା ମୋ ମାଆଙ୍କ ପାଇଁ ସ୍ଥାୟୀ ରୂପେ ଖଞ୍ଜାଯାଉ, ତାହା ଯେମିତି ମୋର ମୃତ୍ୟୁ ପରେ ମଧ୍ୟ ତା'ଙ୍କ ପାଖରେ ନିରନ୍ତର ପହଞ୍ଚି ପାରିବ । କିମ୍ବା ଯଦିବା କୌଣସି କାରଣ ବଶତଃ ଆଜ୍ଞା ହଜୁରଙ୍କର ମୋ ପ୍ରତି ରହିଥ‌ିବା ପ୍ରେମ ଓ ଦୟା ବନ୍ଦ ହୋଇଯାଏ, ତା ହେଲେ ମଧ୍ୟ କେବେ ଦିନେ ଆପଣଙ୍କର ଏ ଗରିବ ସାଧୁ ପ୍ରତି ରହିଥ‌ିବା ପ୍ରେମକୁ ମନେ ପକାଇ ବିଚାରୀ ମୋ ବୃଦ୍ଧ ମାଆଙ୍କୁ ତାହା ଦିଆଯିବାର ବ୍ୟବସ୍ଥା କରାଯାଉ । (ଖେତେଡିର ମହାରାଜା ଅଜିତ ସିଂଙ୍କ ପାଖକୁ ସ୍ବାମୀ ବିବେକାନନ୍ଦ ୧ ଡିସେମ୍ବର ୧୮୯୮ ରେ ଲେଖୁଥ‌ିବା ଚିଠି)] ଭାଇଙ୍କ ପାଠ ପଢ଼ିବା ଜିଦ୍ଵାରା ତାଙ୍କର କିନ୍ତୁ ପାଠ ପଢ଼ିବା ପାଇଁ ରାସ୍ତା ଖୋଲି ଯାଇଥିଲା । ସ୍ବାମୀ ଦୋକାନରେ ବସିଲେ ମଧ୍ଯ ସେ ଚାକିରୀ କଲେ । ନୂଆରେ ଖୋଲିଥ‌ିବା ଶିଶୁ ମନ୍ଦିରରେ ଶିକ୍ଷୟତ୍ରୀ ହେଲେ । ବାହାଘର ଦିନ ସେ ଭାଇଙ୍କୁ ବେଶି ଅପେକ୍ଷା କରି ରହିଥିଲେ । ସଂଘର କାହାକୁ ଜଣଙ୍କୁ ଭେଟି ବାବା ତାଙ୍କ ବାହାଘରର ଖବର ଭାଇଙ୍କୁ ଦେବାକୁ କହିଥିଲେ । ସଂଘବାଲା ଟିକିଏ ଦୋ–ଦୋ ପାଞ୍ଚ ହୋଇଥିଲେ, ‘ସେ କ'ଣ ଆଉ ସଂଘ– ଘରେ ରହୁଛନ୍ତି? ସେ ପରା ବିବେକାନନ୍ଦ କେନ୍ଦ୍ରରେ ଯୋଗ ଦେଇ ସାରିଲେଣି । ଦେଖୁଛି, ଚେଷ୍ଟା କରିବି, ଯଦି ସେଠାକୁ ଖବର ଦେଇ ହେବ ।’ ବିବେକାନନ୍ଦ କେନ୍ଦ୍ର ଉପରେ ନା ସ୍ବୟଂପ୍ରଭାଙ୍କ କିଛି ଧାରଣା ଥିଲା, ନା ଘରେ ଆଉ କାହାର । ତଥାପି ସେ ଆଶା ଛାଡ଼ି ନ ଥିଲେ । ତାଙ୍କ ବାହାଘର କ'ଣ ଭାଇ ଛାଡିଦେବେ? କିନ୍ତୁ ଭାଇ ଆସି ନ ଥିଲେ । 90 ଶଙ୍ଖନାଦ