Jump to content

ପୃଷ୍ଠା:Shankhanada.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପୁଅ ପୂର୍ବରୁ କଥାବାର୍ତ୍ତା କରିଥିବା ବ୍ୟକ୍ତିଙ୍କ ଜରିଆରେ ଅରୁଣାଚଳୀ ବନ୍ଧୁଙ୍କ ପାଖକୁ ସେମାନେ ଆସି ପହଞ୍ଚିଥିବାର ସୂଚନା ପଠାଗଲା । ସେଠାରେ କିଛି ସମୟ ଅପେକ୍ଷା କଲା ପରେ ଜଣେ ଲମ୍ବା ଗୌରବର୍ଣ୍ଣର ପୌଢ଼ ଆସି ସେମାନଙ୍କ ପାଖରେ ପହଞ୍ଚିଲେ । ଦେଖୁଦେଖୁ ତାଙ୍କ ସ୍ବାମୀ ଠିଆ ହୋଇପଡ଼ି ତାଙ୍କୁ ସ୍ବାଗତ ଜଣେଇଲେ । ସ୍ବୟଂପ୍ରଭାଙ୍କ ସହ ତାଙ୍କ ପରିଚୟ କରେଇ ଦେଲେ, ‘ଇଏ ଅରୁଣାଚଳର ତାଲୋମ ଭାଇ ଯିଏ ସେଇଠି ଭାଇଙ୍କ ସହ ମିଶି କାମ କରୁଥିଲେ ।’ ବାପାଙ୍କ ମୃତ୍ୟୁ ପରେ ସ୍ବୟଂପ୍ରଭାଙ୍କ ସ୍ବାମୀ ଯେତେବେଳେ ଅରୁଣାଚଳ ପ୍ରଦେଶର ଇଟାନଗରରେ ଥ‌ିବା ବିବେକାନନ୍ଦ କେନ୍ଦ୍ରରେ ପହଞ୍ଚିଥିଲେ, ସେଠାରେ ଏହି ଭଦ୍ର ବ୍ୟକ୍ତିଙ୍କୁ ଦେଖୁଥିଲେ । ୩୦ ବର୍ଷ ହେଲା ଯାହାଙ୍କ ସହ ସେ ଦେଖା କରି ନାହାନ୍ତି, ତାଙ୍କଠୁଁ ପଦେ କଥା ବି ଶୁଣି ନାହାଁନ୍ତି ସେହି ଭାଇଙ୍କ ସହ ମିଶି ଏହି ବ୍ୟକ୍ତି ଜଣକ କାମ କରୁଥିଲେ ! କୁରୁଳି ଉଠୁଥିଲେ ସ୍ବୟଂପ୍ରଭା ! କ'ଣ କହିବେ ସେ ଭାଇଙ୍କ ବିଷୟରେ? କଉଠି ଅଛନ୍ତି ଭାଇ? ‘ପ୍ରଭା, ମୁଁ ତୋ ବିଷୟରେ ଭାଇଙ୍କଠୁ ବହୁତ ଶୁଣିଛି ।' ସ୍ପଷ୍ଟ ଓଡ଼ିଆରେ କଥା ହେବା ଶୁଣି ସମସ୍ତେ ଆବିଭୁତ ହୋଇ ପଡ଼ିଲେ । ସମସ୍ତଙ୍କ ପ୍ରତିକ୍ରିୟା ଦେଖ୍ ସେ ହସିଲେ, 'ମୁଁ ଭାଇଙ୍କ ପାଖରୁ ଓଡ଼ିଆ ଶିଖ୍ ଯାଇଛି । ମୋ ପାଖରୁ ସେ ଆମରୁ କେତେଟା ଅରୁଣାଚଳୀ ଭାଷା ଶିଖୁଥିଲେ । ତାଙ୍କୁ ଖୋଜିବା ପାଇଁ ତୋ ସ୍ବାମୀ ଯେତେବେଳେ ଅରୁଣାଚଳ ଆସିଥିଲେ, ଆମେ କିଏ ହେଲେ ତାଙ୍କ ବିଷୟରେ କିଛି ଜାଣି ନ ଥିଲୁ । ଆଉ କ'ଣ କହିଥାନ୍ତୁ? ଅନେକ ଦିନ ପରେ ମୋର ବଦଳି କାଶ୍ମୀରର ନାଗ ଦଣ୍ଡୀକୁ ହେଲା ପରେ ସେଠାରେ ଥ‌ିବା ଏକ ସାମୂହିକ କାର୍ଯ୍ୟକ୍ରମର ଫୋଟରେ ଲୋକ ଗହଳି ଭିତରେ ତାଙ୍କୁ ଠିଆ ହୋଇଥିବାର ମୁଁ ଦେଖିଲି । ସେଠାରେ ବି ଚେଷ୍ଟା କରିଥିଲି ଖୋଜିବାକୁ । କିନ୍ତୁ କିଛି ଫଳ ମିଳି ନ ଥିଲା ।’ ଶଙ୍ଖନାଦ ୨୫