Jump to content

ପୃଷ୍ଠା:Shankhanada.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(ଦୁଇ) ସେଦିନ, ଯେଉଁ ଦିନ ପ୍ରଥମଥର ପାଇଁ ସେ ଏହି ଘରେ ତାଙ୍କ ଚେତନା ଫେରିଥିଲା, ଅନୁଭବ କରିଥିଲେ, ସତେ ଯେମିତି ସେ ଏକ ଗାଢ଼ ଦୀର୍ଘ ନିଦ୍ରାରୁ ଉଠିଛନ୍ତି । ଦେହରେ କେଉଁଠି ଟିକିଏ ହେଲେ ବ୍ୟଥାର ଅନୁଭବ ନ ଥିଲା । ମନେ ମନେ ନିଜକୁ ପରୀକ୍ଷା କରି ଦେହରେ ପୁରୁଣା ବଳର ଚେତନା ଫୁଲି ଫୁଲି ବାହାରକୁ ଆସିବାର ଅନୁଭବ କରୁଥିଲେ । ମନେ ପଡ଼ିଥିଲା, ଶିଶିର କାନ୍ତଙ୍କ ଆଶ୍ରମରେ ଦିନେ ସକାଳେ ସେ ଉଠି ପାରି ନଥିଲେ । ତା’ ପରର ଦୁଇଦିନ କାଳ ଆଶ୍ରମର ଅନ୍ତେବାସୀମାନେ ତାଙ୍କୁ ସାହାଯ୍ୟ କରୁଥିଲେ । ତା' ପରେ? ସେ କ'ଣ ଅଚେତ ଥିଲେ? ସଫା ସୁତୁରା ଗଦି ଉପରର ଦି ପାଖରେ ବାଡ଼ ଦେଇ ଖଟରୁ ଓହ୍ଲାଇବା ରାସ୍ତାକୁ ବନ୍ଦ କରାଯାଇ ଥିଲା । ବାଁ ପାଖର ଖଟ-ବାଡ଼ ଉଠେଇ ଗୋଡ଼ ଦୁଇଟିକୁ ତଳକୁ ଆଣି ସେ ଠିଆ ହେବା ପାଇଁ ଚେଷ୍ଟା କରିଥିଲେ । ଠିକ୍ ସେତିକିବେଳେ କୋଠରୀରେ ଆଉ ଜଣଙ୍କର ଉପସ୍ଥିତି ସେ ଅନୁଭବ କରିଥିଲେ । ଜଣେ କେହି ଉଲ୍ଲସିତ ହୋଇ କ୍ଷୀଣ କଣ୍ଠରେ ଚିତ୍କାର କରିଥିଲେ, “ଇସ୍ ଜେଜେ, ଆପଣ ଠିଆ ହୋଇଛନ୍ତି!” ସମ୍ମୁଖରେ ତାଙ୍କର ଜଣେ ଦିବ୍ୟ, ଶୁଭ୍ରାଙ୍ଗୀ ସ୍ତ୍ରୀ ଲୋକର ଚେହେରା ସ୍ପଷ୍ଟ ହୋଇ ଉଠିଥିଲା । ହେମନ୍ତ ପୂର୍ଣ୍ଣିମାର ଜହ୍ନ ସଦୃଶ ହସିଲା ହସିଲା ମୁହଁ, ଆମନ୍ତ୍ରଣ ପୂର୍ଣ୍ଣ ଚକ୍ଷୁ-ଯୁଗଳ ! ୬୨ ଶଙ୍ଖନାଦ