Jump to content

ପୃଷ୍ଠା:Shankhanada.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ବାରା ପରିତ୍ୟକ୍ତ ହେବାପରେ ବ୍ୟଥିତ ବ୍ୟକ୍ତିଜଣକ ପଥହରା ଉପରାନ୍ତେ ପୁଣି ନିଜେ ନିଜକୁ ଆବିଷ୍କାର କରିଛନ୍ତି, ଅନ୍ୟଜଣେ ଆତ୍ମୀୟଙ୍କ ଅକୁଣ୍ଠ ସେବା ଯୋଗୁଁ ।

ଆସନ୍ନପ୍ରସବା ଜଣେ ମହିଳାଙ୍କର ଗାଁର ପରିବେଶକୁ ଫେରିଯାଇ ନିଜକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବାର କାହାଣୀ “ବାତାବରଣ” । ଗାଁ ପରିବେଶର ସୁନ୍ଦର ଚିତ୍ରଣ ସାଙ୍ଗକୁ ଓଡ଼ିଆ ପରମ୍ପରାର ନିଖୁଣ ଚିତ୍ର ଏହି କାହାଣୀରୁ ମିଳି ପାରିବ । ସହରର ଚାକଚକ୍ୟଠାରୁ ଦୂରରେ ସହରୀ ମଣିଷଟିଏ ଆତ୍ମୀୟତା, ସଂସ୍କୃତି ଓ ସୁନ୍ଦର ପରିବେଶକୁ ନିକଟରୁ କେବଳ ନିଜ ଭିଟାମାଟି ନିଜ ଗାଁରେ ଦେଖ୍ ପାରିଛି ।

ଶୀର୍ଷକ କାହାଣୀ “ଶଙ୍ଖନାଦ” ଦୁଇଜଣ ପ୍ରେମୀଙ୍କ ଉପରେ ଆଧାରିତ । ଭାଗ୍ୟକ୍ରମେ ଦୁହିଁଙ୍କ ମିଳନ ହୋଇ ପାରିନାହିଁ କିନ୍ତୁ ପ୍ରେମ କମ ହୋଇନାହିଁ । ପ୍ରେମର ଏକ ନୈସର୍ଗିକ ଦୃଷ୍ଟିକୋଣ ଦେଖିବାକୁ ମିଳେ ଏହି କାହାଣୀରୁ ।

ଜୁଆନ ପୁଅ ହଠାତ ଉଭାନ ହୋଇଯିବା ଖବର ପାଇ ବିଚଳିତ ଜଣେ ପିତାର ମନସ୍ତତ୍ତ୍ଵ ଉପରେ କାହାଣୀ “ନିରୁଦ୍ଦିଷ୍ଟ” । କାହାଣୀର ଅନ୍ତ ବହୁତ ଅଭିନବ ଉପାୟରେ କରାଯାଇଛି । ପାଠକ ପାଠିକାମାନେ ପଢ଼ିଲେ ଅନୁଭବ କରି ପାରିବେ । “ଦ୍ୱିପହରର ଛାଇ” କାହାଣୀରେ ଗାଳ୍ପିକ ସମ୍ପର୍କରୁ ଭିନ୍ନଭିନ୍ନ ଦିଗ ଦେଖେଇବାକୁ ଚେଷ୍ଟା କରିଛନ୍ତି, କାହାଣୀର ଭିନ୍ନଭିନ୍ନ ପାତ୍ରଙ୍କ ଦୃଷ୍ଟିକୋଣରୁ ।

“ଶଙ୍ଖନାଦ” ଗଳ୍ପ ସଂଗ୍ରହରେ ଗାଳ୍ପିକ କାହାଣୀ ମାଧ୍ଯମରେ ମଣିଷର ଜୀବନ ଦର୍ଶନ, ସମ୍ପର୍କର ଗଣିତ ଓ ସାମାଜିକ ମୂଲ୍ୟବୋଧ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅତି ମାର୍ଜିତ ଶବ୍ଦସମ୍ଭାର ସହିତ ସାବଲୀଳ ବର୍ଣ୍ଣନା ଶୈଳୀ ଗାଳ୍ପିକଙ୍କର ସାମର୍ଥ୍ୟ । ପ୍ରଥମ ପ୍ରକାଶିତ ଅବଦାନ ହିସାବରେ ଦେଖିବାକୁ ଗଲେ ଗଳ୍ପସଂଗ୍ରହଟି ମନଛୁଆଁ ହୋଇଛି । ସାହିତ୍ୟ ଓ ଦର୍ଶନ ଉଭୟ କ୍ଷେତ୍ରରେ ପାଠକ ପାଠିକାମାନଙ୍କ ମନୋରଞ୍ଜନ କରିବ କହିଲେ ଅତ୍ୟୁକ୍ତି ହେବନାହିଁ ।