Jump to content

ପୃଷ୍ଠା:Shankhanada.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାଲକୋନୀରେ ବସି ଚାହା ପିଉଥିଲେ । ଜେଜେ ଏବଂ ଶିଶିର କାନ୍ତ କକାଙ୍କ ଶୁଣିଥ‌ିବା ବାର୍ତ୍ତାଳାପକୁ ଋତୁପର୍ଣ୍ଣା ରମଣଙ୍କୁ ଗୋଟି ଗୋଟି କରି ମୋବାଇଲରେ କହି ସାରିଥିଲେ । ସେଥ‌ିପାଇଁ ସବୁବେଳେ ରାତି ୯ରେ ଫେରୁଥ‌ିବା ରମଣ ଅଫିସରୁ ଅନୁମତି ନେଇ ଘରକୁ ଶୀଘ୍ର ଆସି ଯାଇଥିଲେ । ସେ ଆସି ବାଲକୋନୀରେ ଋତୁପଣ୍ଡା ଓ ଜେଜେଙ୍କ ପାଖରେ ବସି କହିଲେ, “ଜେଜେ ! ବାପା, କକା, ପିଉସୀମାନେ ସମସ୍ତେ ଏଇଠିକୁ ତମ ଭଲ ହେବା ଖବର ଶୁଣି ଆସୁଛନ୍ତି । ଆଉ, ତମେ ଯିବ କୁଆଡ଼େ?" କ୍ଷେତ୍ର ମୋହନ ସାର୍ କହିଲେ, “ଆଉ ଯିବି କୁଆଡ଼େ? ବ୍ରହ୍ମପୁର ତ ଯାଉଛି । ଦେଖେ ବାପା, ମୋ ଲାଗି ତମେ ପିଲା ଦି'ଟା ଆଉ କେତେ ହଇରାଣ ହେବ? ମୁଁ ସୁସ୍ଥ ଅଛି । ଆଶ୍ରମ ଗଲା ପରେ ବି ମୋ ସାଇକେଲ ବନ୍ଦ ହେବନି । ପ୍ରଥମେ ବାଧ୍ଯ ହୋଇ ଆଶ୍ରମକୁ ଯାଇଥିଲି । ଏବେ, ମୋ ଇଛାରେ ଯାଉଛି । ତା' ଛଡ଼ା ତୋ ଜେଜେମାଆର ଶ୍ରାଦ୍ଧର ସମୟ ଆସି ଗଲାଣି । ଏଥର ଆମେ ତାକୁ ଆଶ୍ରମରେ ପାଳନ କରିବୁ । ତମେ ଦୁହେଁ ଆସିବ?" ଋତୁପଣ୍ଡା ଓ ରମଣଙ୍କ ପାଖରେ ଚୁପ୍ ରହିବା ଛଡ଼ା ଅନ୍ୟ ଉପାୟ ନ ଥିଲା । କାରଣ, ଘରର ସମସ୍ତେ ଆସିବା କଥା ସେ କେବଳ ଜେଜେଙ୍କୁ ଅଟକେଇବା ପାଇଁ ମିଛରେ କହିଥିଲେ | କିଏ ଜଣେ ହେଲେ ଇଛା ପ୍ରକାଶ କରି ନ ଥିଲେ ବେଙ୍ଗାଲୁରୁ ଆସି ବାପାଙ୍କୁ ସେବା କରିବା ପାଇଁ । ତିନିଜଣ ଯାକ ଚୁପଚାପ ବାଲକୋନୀରେ ଚାହାର ଢୋକ ଧୀରେ ଧୀରେ ନେଇ ସୁଉଚ୍ଚ ଅଟ୍ଟାଳିକାକାରଙ୍କର ପଶ୍ଚାତ ଭାଗରେ ସୂର୍ଯ୍ୟଙ୍କ ଦିଗବଳୟ ଉହାଡ଼ରେ ଖସିବା ଦୃଶ୍ୟକୁ ବଳପୂର୍ବକ ଉପଭୋଗ କରିବାର ପ୍ରୟାସରେ ଲାଗିଥିଲେ । ଏକ ଅକାରଣ ଶଙ୍ଖନାଦ ୬୯