Jump to content

ପୃଷ୍ଠା:Shankhanada.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏଥର ଆସିବା ଭିନ୍ନ ଥିଲା । ସେ ଗର୍ଭବତୀ ଥିଲା । ମା' ହେବାକୁ ଯାଉଥିଲା । ପ୍ରସବ ସମୟ ନିକଟ ଥ‌ିବାରୁ ସେ ଆସି ମାମା ପାଖରେ ରହିଥିଲା । କାଲି ଯେତେବେଳେ କକା ଭୁବନେଶ୍ବରରେ ପହଞ୍ଚି ମାନିନୀକୁ ଗାଁକୁ ନେବା ପାଇଁ ଜିଦ୍ ଧରିଥିଲେ, ତାଙ୍କୁ ଦେଖୁଦେଖୁ ସେ ମନେମନେ ଈଶ୍ବରଙ୍କୁ ପ୍ରାର୍ଥନା କରିଥିଲା, “ହେ ଭଗବାନ, ମାମା ନାହିଁ କହନ୍ତୁ ନାହିଁ । ତା' ପ୍ରାର୍ଥନା ଈଶ୍ବର ଶୁଣିଥିଲେ । ମାମା ହଁ କହିଥିଲେ । ସକାଳୁ ମାନିନୀ ଓ କକାଙ୍କୁ ନେଇ ଜାତୀୟ ରାଜପଥରୁ ଖସି ଭିତରକୁ କେନାଲ କଡ଼େ କଡ଼େ ପନ୍ଦର କିଲୋମିଟରର ବିଲ ମାଳ ଭିତରେ ଅଙ୍କା-ବଙ୍କା ଧୂଳି-ଧୂସରିତ ପିଚୁ-ମାଟି-ପଥୁରିଆ ରାସ୍ତାରେ ଯାଇ କାଟି ଯେତେବେଳେ ଗାଁ ଘର ଦାଣ୍ଡ ଦୁଆର ପାଖରେ ଅଟକିଥିଲା, କାର୍ ପଛରେ ବଡ଼ ପାଟିରେ ଅହେତୁକ ଚିତ୍କାର ଛାଡ଼ି ଦୌଡ଼ିଦୌଡ଼ି ଆସୁଥ‌ିବା ପଞ୍ଝାଏ ପିଲାଙ୍କ ଗତି ବି ତା' ସହ ବନ୍ଦ ହୋଇଯାଇଥିଲା । ସେମିତି ଚିତ୍କାର କରିକରି ପଛକୁ ଫେରି ଯାଇଥିଲେ ସେମାନେ । କାର୍‌ରୁ ଓହ୍ଲେଇ ସିଧା ଯାଇ ମାନିନୀ ଦାଣ୍ଡ ଘରେ ଗୋଡ଼ ଲମ୍ଵେଇ ବସିଥ‌ିବା ଜେଜେ ମାଆଙ୍କ ପାଖରେ ପହଞ୍ଚିଥିଲା । ଜେଜେ ମା' ଦେଖୁଦେଖୁ କୋଳକୁ ଟାଣି ନେଇଥିଲେ । ପିଲାଟିଦିନୁ କକା ଖୁଡ଼ି ଜେଜେ ମାଆଙ୍କ ଆପଣା ପଣିଆର ପାଗଳ ଥିଲା ସେ । ଶଙ୍ଖନାଦ | ୭୫