Jump to content

ପୃଷ୍ଠା:Shankhanada.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରୋଷେଇ ଘର ପିଢ଼ା ଉପରେ ବସି ଖୁଡ଼ି ଗ୍ୟାସ୍ ଚୁଲ୍ଲୀରେ ଅଗ୍ନି ସଂଯୋଗ କଲେ । ମାନିନୀ ଦିଗେ ଚାହିଁ ପଚାରିଲେ, “ମାନି, ଚାହା ପିଇବ?” “ନା ।” ମୁଣ୍ଡ ହଲେଇ ମନା କରି ମାନିନୀ ପାଟି ଖୋଲି କହିଥିଲା, ବିଜୁଳି ଶକ୍ତି ବିରତି ସମୟରେ ଜଳୁଥିବା ଲଣ୍ଡନର ମିଞ୍ଜି-ମିଞ୍ଜି ଆଲୁଅ ସହ ସେ ଭୁବନେଶ୍ବରରେ ବାବାଙ୍କ କିମ୍ବା ମଧୁମୟଙ୍କ ମୁମ୍ବାଇ କୋଠରୀ ଭିତରର ଏକରୁ ଅଧିକ ଏଲ୍.ଈ.ଡି ବଲ୍‌ବର ତୀବ୍ର ତୋଫା ଆଲୁଅକୁ ତୁଳନା କରୁଥିଲା । ଯେଉଁଠି ଭୋଲ୍ଟେଜ୍ ହିଁ ରହୁନି, ସେଇଠି ଲଣ୍ଡନ, ଲମ୍ଵା-ବାଡ଼ି ଆଲୁଅ, ସି.ଏଫ୍.ଏଲ୍. କିମ୍ବା ଏଲ୍.ଈ.ଡି ସମସ୍ତେ ଏକା ଭଳି । ବାବାଙ୍କୁ କହି ଅନ୍ତତଃ ପକ୍ଷେ ସତ୍ୟକାମକୁ ଭୁବନେଶ୍ବର ନେଇଯିବାକୁ ପଡ଼ିବ । କକା ଏମାରଜେନସି ଲାଇଟ୍ ଆଣିଲେ ବି ସତ୍ୟକାମର ଭୁବନେଶ୍ବର ଯିବା କଥାକୁ ସେ ଗମ୍ଭୀରତାରେ ନେବ । ନ ହେଲେ ଗାଁର ଉପେକ୍ଷିତ ଉନ୍ନତିରେ ସତ୍ୟକାମର ଭବିଷ୍ୟତ ଅନ୍ଧାର ହୋଇଯିବ । ସାନ ପୁଅକୁ ଖୁଡ଼ି ଦାଣ୍ଡଘରେ ମସିଣା ଉପରେ ଲଙ୍ଗଳା କରି ଶୁଆଇ ଦେଇଥିଲେ । ବିଦ୍ୟୁତ-ଯୋଗାଣ ବିରତି ସମୟରେ ତା’ ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ଖୁଡ଼ି ସହଜ ଉପାୟଟି ବାଛିଥିଲେ । ମଶା ଯଦି ତାକୁ କାମୁଡ଼ି ଦିଏ? ଅଲଗୁଣୀରୁ ଲୁଗାଟିଏ ବାହାର କରି ମାନିନୀ ତା' ଉପରେ ପକାଇଦେଲା । ଗୋଟିଏ କଡ଼େ ହାତ ଉପରେ ହାତ, ଗୋଡ଼ ଉପରେ ଗୋଡ଼ ପକେଇ ସେ ଗଭୀର ନିଦରେ ଶୋଇଥିଲା । ତା’ ଉପରେ ଧ୍ୟାନ ଯାଉଯାଉ ନିଜ ପେଟ ଉପରେ ମାନିନୀର ଦୃଷ୍ଟି ଗଲା । ଶଙ୍ଖନାଦ | ୮୫