Jump to content

ପୃଷ୍ଠା:Shankhanada.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କହିଲେ, “ନା ନା, ସକାଳୁ ଆଣିଦେବେ । ତମେ ବ୍ୟସ୍ତ ହୁଅନି ।” ଖାଇ ବସିଲାବେଳେ ବି ଜେଜେ ମାଆ ଗୋଡ଼ ଲମ୍ବାଇ ବସି ଖାଉଥିଲେ । ଖାଇବା ହାତର ଖୋଲା ପାପୁଲିକୁ ଟିକେ ଓଲଟାଇ ପୁଣି ସିଧା କରି ଜେଜେ ମାଆ ଚୁପ୍‌ଚାପ୍ ଖାଇବାରେ ଲାଗିଥିଲେ । ମାନିନୀକୁ ଚାହିଁ ଖୁଡ଼ି ଓଠରେ ଆଙ୍ଗୁଠି ଦେଇ ଚୁପ୍ ରହିବାକୁ କହିଲେ । ମାନିନୀ ବୁଝିଲା, ପ୍ରକାରାନ୍ତରେ ଜେଜେ ମାଆଙ୍କୁ ଦୁଃଖ ନ କରେଇବା ପାଇଁ କକାଙ୍କୁ ସୂଚିତ କରାଯାଉଛି । ଗାଁ ଗହଳିର ପୁରୁଣା କାଳିଆ ସହଜ ପ୍ରସବ ବ୍ୟବସ୍ଥାର ଏହି ସ୍ମୃତି ଜେଜେ ମାଆଙ୍କ ମନରୁ ଆହୁରି ଯାଇନି । ତାଙ୍କ ବୋହୂମାନଙ୍କୁ ମଧ୍ଯ କ'ଣ ସେ ଏହି ପରାମର୍ଶ ଦେଇଥ‌ିବେ? କାହିଁ, ମାମା ତ ତାକୁ ଏ ବିଷୟରେ କେବେ କିଛି କହି ନାହାନ୍ତି । ତେଲ ପିଇବା ଶୁଣି ଏମିତି ବି ମାନିନୀର ମନରେ ବିରକ୍ତି ଭାବ ଆସି ଯାଇଥିଲା । ସେ ପୁଣି ଦି ସେର, ମାନେ ଦି କିଲୋରୁ କିଛି କମ୍ ! ହେ ଭଗବାନ! ରାତିରେ ଖୁଡ଼ିଙ୍କ ପାଖରେ ଚଟାଣରେ ମସିଣା-ଗନ୍ଥା ଉପରେ ଯେତେବେଳେ ସେ ଶୋଇଥିଲା, ଖୁଡ଼ି ବୁଝେଇଥିଲେ, “ସତ୍ୟ ଜନ୍ମ ବେଳକୁ ଅପା ମୋ ପାଇଁ ଯାହା ବି କରିଥିଲେ ତମ ଜେଜେ ମାଆ ଉଁ ଚୁଁ କିଛି କହି ନ ଥିଲେ । ଏବେ ଏଇ ମହେନ୍ଦ୍ର ବେଳକୁ ମୋ ପଛରେ ବି ଲାଗିଥିଲେ ରାଶିତେଲେ ପିଆଇବା ପାଇଁ । ଇଆଡୁ ସିଆଡୁ କହିକହି କାମ ଚଳେଇ ଦେଇଥିଲି । ଏବେ ତମ ପଛରେ ପଡ଼ିଛନ୍ତି । କିଏ ଜାଣେ ସକାଳୁ ଏ ବିଷୟ ମନେ ରହିବ କି ନାହିଁ । ବୟସ ବଢ଼ିଲା ବେଳକୁ ପୁରୁଣା କଥା ବେଶୀ ଇଚ୍ଛା ହେଉଥ‌ିବ ପରା । ସେଥ‌ିପାଇଁ ସେ ବିଷୟକୁ ବେଶି ନ ବଢ଼େଇବା ପାଇଁ ମୁଁ କଥାକୁ ସେଇଠି ହିଁ ବନ୍ଦ କରିଦେଇଥୁଲି ।” ଶଙ୍ଖନାଦ | ୮୯