Jump to content

ପୃଷ୍ଠା:Shankhanada.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସିମେଣ୍ଟ ରାସ୍ତାରୁ ଖସି ନଦୀ ପଠାକୁ ଯିବା ଗଳିରେ ପଶୁ ପଶୁ ମୋ ବାଆଁ ପାଖରୁ ଶୁଣାଗଲା, “ଶେଖର ଭାଇ” । ସହସା ମୁଁ ଜଡ଼ବତ୍ ହୋଇଗଲି । ଚାଲୁଥ‌ିବା ଅବସ୍ଥାରେ ହିଁ, ମୋ ପାଦ ଯେଉଁଠି ଥିଲା, ସେଇଠି ହିଁ ଅଟକି ଗଲା । ଅନେକ ବର୍ଷ ପରେ ମୁଁ ଏ ସ୍ବର ଶୁଣୁଥିଲି । ସେଇ କଣ୍ଠ, ସେଇ ଡାକକୁ ମୁଁ କେବେ ଭୁଲି ପାରିନି । ନିର୍ଜନ, ନିସ୍ତବ୍ଧ ଜଙ୍ଗଲର ବନ୍ଧୁର ପ୍ରସ୍ତର ଉପରେ କଳ କଳ ନାଦ କରି ଗଡ଼ି ଚାଲିଥିବା ନିର୍ଝରିଣୀର ସ୍ବର ସିଏ; ଆସୁଆ ବସନ୍ତର ଦକ୍ଷିଣା ପବନରେ ଆନ୍ଦୋଳିତ ଆମ୍ବ ବଉଳର ସନ୍ଧିରୁ ଝରି ଆସୁଥ‌ିବା କୋମଳ ବାସ୍ନାର ମହମହ ସୁଗନ୍ଧର ତାଳେ ତାଳେ ନିଜ ଭାବ ଅଭିବ୍ୟକ୍ତ କରୁଥ‌ିବା କୋଇଲିର କୁହୁ ତାନ । କେଉଁଠି, କେଉଁଠି ଅଛି ସେ? ଝଙ୍କୃତ ହୃଦୟରେ ଡାକ ଆସୁଥ‌ିବା ଦିଗକୁ ବୁଲି ଚାହିଁଲି । ଅମରି, ଜାମୁକୋଳି, ଅମୃତଭଣ୍ଡା ଗଛର ଭଙ୍ଗା ଡାଳକୁ ଅଣ୍ଟା ଯାଏଁ ପୋତି ତିଆରି କରା ଯାଇଥିବା ବାଡ଼ ସେ ପାଖେ ଲକ୍ଷ୍ମୀ ଠିଆ ହୋଇଥିଲା । ତା' ଗୋଡ଼ ତଳେ ଗୋବର ଘଷି ପଡିଥିଲା । ହାତ ଶୁଖୁଲା ଗୋବରରେ ବୋଳି ହୋଇ ରହିଥିଲା । ପାଖରେ ଭର୍ତ୍ତି ହୋଇ ରହିଥ‌ିବା ଘଷି ଟୋକେଇ ଥୁଆ ହୋଇଥିଲା । ମୋ ମୁହଁର ମାଂସପେଶୀ ଟାଣ ହୋଇ ଯାଇଥିଲା । ଭାବ ପ୍ରକାଶ କରିବାରେ ଅସମର୍ଥ ଥିଲି ମୁଁ । ସମ୍ମୋହନର ଭାବ ଶୂନ୍ୟ ଅବସ୍ଥାରେ ମୋତେ ଠିଆ ହୋଇ ଚାହିଁ ରହିଥ‌ିବା ଦେଖ୍ ସେ ହସି ଦେଇ କହିଲା, “ଘରକୁ ଆସ, ସେଇଠି ଠିଆ ହୋଇ ରହିଲ କ'ଣ? ତମେ ତ ମୋ ଶାଶୁ ଘରକୁ କେବେ ଆସିନ ।” ଶଙ୍ଖନାଦ । ୯୫