ପୃଷ୍ଠା:ShreeJagannath.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ଠିଆହୋଇ କରିଥାନ୍ତି । ଆରତି ପରେ ସେମାନେ ଠାକୁରମାନଙ୍କର ପାଟପତନି ବେଶ କରନ୍ତି । ଖୁଣ୍ଟିଆ ଫୁଲମାଳ ବଢ଼ାଇ ଦିଅନ୍ତି । ଯଦି ଦିବା ପହୁଡ଼ ହୁଏନାହିଁ, ତେବେ ଦ୍ବିପ୍ରହର ଧୂପ ପରେ ମଇଲମ କରାଯାଇ ବେଶ କାର୍ଯ୍ୟ ଶେଷ ପରେ ସନ୍ଧ୍ୟା ଆରତି ହୁଏ । କିନ୍ତୁ ପହୁଡ଼ ହେଲେ, ସନ୍ଧ୍ୟା ଆରତି ପରେ ବେଶ ହୁଏ । ଏକାଦଶୀ ପଡ଼ିଲେ ଆରତି ପରେ ମଇଲମ ଓ ବେଶ ହୁଏ ।
ସନ୍ଧ୍ୟା ଧୂପ
ସନ୍ଧ୍ୟାଧୂପର ସମୟ ରାତ୍ର ୭ଟାରୁ ୮ଟା ମଧ୍ୟରେ । ପୂଜା ଉପଚାର ଓ ନୀତି, ସକାଳ ଓ ଦ୍ବିପ୍ରହର ଧୂପ ପରି ହୁଏ । ଧୂପ ପରେ ପୂଜାପଣ୍ଡାମାନେ ଆରତି କରନ୍ତି । ଏହି ଆରତିକୁ 'ଜୟମଙ୍ଗଳ ଆରତି' କୁହାଯାଏ ।
ସନ୍ଧ୍ୟାଧୂପରେ ଚୁପୁଡ଼ା ପଖାଳ, ପାଣି ପଖାଳ, ସାକରା, କଅଁଳ ପୁଳି, ମାଠପୁଳି ଓ ବିଭିନ୍ନ ପ୍ରକାର ଅମାଲୁ ଭୋଗ ହୁଏ ।
ମଇଲମ ଓ ଚନ୍ଦନଲାଗି
ସନ୍ଧ୍ୟାଧୂପ ପରେ ସାହାଣମେଲା ହେବା କଥା, ନହୋଇ ପାରିଲେ ଠାକୁରମାନଙ୍କର ମଇଲମ ଓ ଚନ୍ଦନଲାଗି ହୁଏ ।
ଠାକୁରମାନଙ୍କର ବେଶ ମଇଲମ ହୋଇ ଶାଢି, ଖଣ୍ଡୁଆ ପିନ୍ଧାଯାଏ । ପୁଷ୍ପାଳକମାନେ ଠାକୁରମାନଙ୍କୁ ଚନ୍ଦନ ଲାଗି କରନ୍ତି । ଚନ୍ଦନ ସହିତ କର୍ପୂର, କେଶର, କସ୍ତୁରୀ ଘୋରା ହୋଇଥାଏ । ଏହି ନୀତି ସହିତ ଜଡ଼ିତ ସେବକମାନେ ହେଲେ- ପୃଷ୍ଠାଳକ, ସୁଆର ବଡୁ, ଘଟୁଆରୀ, ପାଳିଆ ମେକାପ, ପଢ଼ିଆରୀ, ଗରାବଡ଼ୁ, ହଡ଼ପ ନାୟକ, ପାଳିଆ ଖୁଣ୍ଟିଆ ଇତ୍ୟାଦି ।
ବଡ଼ସିଂହାର ବେଶ
ରାତି ୧୦ଟା୩୦ ମଧ୍ୟରେ ହେବା ନିୟମ । ପୁଷ୍ପାଳକମାନେ ଦିଅଁଙ୍କୁ ବାରଲାଗି ପାଟ ପିନ୍ଧାନ୍ତି ଏବଂ ବିଭିନ୍ନ ପ୍ରକାର ମାଳ, ଫୁଲରେ ବେଶ କରନ୍ତି । ଏହି ବେଶ ମୁଖ୍ୟତଃ ଫୁଲ ବେଶ । “ଗୀତଗୋବିନ୍ଦ’ ଶ୍ଳୋକ ବୁଣାଯାଇଥିବା ଖଣ୍ଡୁଆ ପାଟ ଦିଅଁମାନେ ପରିଧାନ କରନ୍ତି ।
ବଡ଼ସିଂହାର ଭୋଗ
ନିର୍ଦ୍ଧାରିତ ସମୟ ରାତ୍ର ୧୧ଟା ୧୫ମିନିଟ୍ । ଏହି ଭୋଗ ଠାକୁରଙ୍କ ଶେଷ ଭୋଗ । ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ସିଂହାସନ ତଳେ ପୂଜା କରନ୍ତି । ଏହି ଭୋଗ ଶେଷରେ ଆରତି ହୁଏ ନାହିଁ । ସରପୁଳି ପିଠା, ସୁଆର ପିଠା, ବିରିବୁହା ପିଠା, କଦଳୀ ବଢ଼ା, ମିଠା ପଖାଳ, ଖିରି, କାଞ୍ଜି ଇତ୍ୟାଦି ଭୋଗ ହୁଏ ।

ଶ୍ରୀଜଗନ୍ନାଥ ୧୦୩