ପୃଷ୍ଠା:ShreeJagannath.pdf/୧୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖଟଶେଯ ଲାଗି ଓ ରାତ୍ରପହୁଡ଼
ନିର୍ଦ୍ଧାରିତ ସମୟ ରାତି ୧୧ଟା୪୫ରୁ ୧୨ଟା । ଏଠାରେ ଠାକୁରମାନଙ୍କର ଶୟନର ବ୍ୟବସ୍ଥା କରାଯାଏ । ପାଳିଆ ପୁଷ୍ପାଳକ ଭଣ୍ଡାରଘରୁ ଭଣ୍ଡାର ମେକାପଠାରୁ ଶୟନ ଠାକୁରଙ୍କୁ ନେଇ ଜଗନ୍ନାଥଙ୍କଠାରେ ବିଜେ କରାନ୍ତି । ଏହି ଶୟନ ଠାକୁର ସୁନାରେ ତିଆରି ନାରାୟଣ ଓ ଲକ୍ଷ୍ମୀଙ୍କର ମିଳିତ ମୂର୍ତ୍ତି । ଏହା ଅଷ୍ଟଭୁଜବିଶିଷ୍ଟ । ଏହା ପରେ ଦିଅଁମାନଙ୍କର ପଇଡ଼ ଓ ବିଡ଼ିଆ ମଣୋହି ହୁଏ । ପୁଷ୍ପାଳକମାନେ ସିଂହାସନ ତଳେ ଠିଆହୋଇ କର୍ପୂର ଆରତି କରନ୍ତି । ଆରତି ସମୟରେ ଦେବଦାସୀ ( ଭିତର ଗାଆଣୀ) କଳାହାଟ ଦ୍ବାରରେ ରହି ଭଜନ ଗାନ କରନ୍ତି । ଭିତରେ ଗାଆଣୀ ଦେବଦାସୀ ସେବା ଏବେ ବନ୍ଦ ଅଛି । ଏଥି ପୂର୍ବରୁ ୩ଟି ରତ୍ନପଲଙ୍କ ସିଂହାସନ ତଳେ କୁରଙ୍କ ସାମନାରେ ପଡ଼ି ସାରିଥାଏ । ଶୟନ ଠାକୁରଙ୍କୁ ପୁଷ୍ପାଳକ ଓ ଗରାବଡୁ ହାତରେ ବିଜେ କରାଇ ଜୟବିଜୟ ଦ୍ୱାରକୁ ଆଣନ୍ତି ଏବଂ ସେଠାରେ ଏକ ବଡ଼ ଡମ୍ବରୁ ଉପରେ ଏହି ଠାକୁର ବିଜେ କରନ୍ତି । ସେହି ଅବସ୍ଥାରେ ଠାକୁରଙ୍କର ବିଡ଼ିଆ ମଣୋହି ଓ ପଇଡ଼ ମଣୋହି ହୁଏ । ପାଳିଆ ଖୁଣ୍ଟିଆ ଠାକୁରଙ୍କ ଉପରେ ପୁଷ୍ପାଞ୍ଜଳି ପକାନ୍ତି । ଏହା ପରେ ଶୟନ ଠାକୁରଙ୍କୁ ଜୟବିଜୟ ଦ୍ବାରରୁ ବିଜେ କରାଇ ନେଇ ଜଗନ୍ନାଥଙ୍କ ପଲଙ୍କରେ ଶୟନ କରାଯାଏ ଓ ପରେ ପରେ ଭଣ୍ଡାର ଘରକୁ ନିଆଯାଏ । କଳାହାଟ ଦ୍ବାର ବନ୍ଦ କରି ମୁଦୁଲି ତାଲା ପକାନ୍ତି ଏବଂ ତାଲାରେ ମାଟିର ମୁଦ ଦିଅନ୍ତି । ତଳିଚ୍ଛ ମହାପାତ୍ର ସିଲ୍ ପକାନ୍ତି । ତା'ପରେ ଜୟବିଜୟ ଦ୍ୱାର ସେହିପରି ତାଲା ପଡ଼େ ଓ ସିଲ୍ ହୁଏ । ପୂର୍ବରୁ ଭିତର ଦକ୍ଷିଣ ଦ୍ବାର ବନ୍ଦ କରାଯାଇଥାଏ । ଜୟବିଜୟ ଦ୍ବାର ସିଲ୍ ହେବା ପରେ ଦକ୍ଷିଣ ଦ୍ବାର (ବାହାରପଟ)ରେ ତାଲା ପଡ଼େ ଓ ସିଲ୍ ହୁଏ । ମନ୍ଦିରର ଭିତର ଓ ବାହାର ବେଢ଼ା ଶୋଧ ହୁଏ ଅର୍ଥାତ୍ ମନ୍ଦିର ଭିତରେ କୌଣସି ଲୋକଙ୍କୁ ରଖାଯାଏ ନାହିଁ । ମନ୍ଦିର ପୋଲିସ୍‌ ଏହି କାର୍ଯ୍ୟ କରନ୍ତି । ବାହାର ବେଢ଼ାର ଚାରି ଦ୍ବାରରେ ପୋଲିସ୍ ପହରା ଦିଅନ୍ତି ।
ଏହା ହେଉଛି ସଂକ୍ଷେପରେ ଶ୍ରୀମନ୍ଦିରର ଦୈନନ୍ଦିନ ସାଧାରଣ ଦିନର ନୀତି । ପର୍ବପର୍ବାଣି ଓ ବିଶିଷ୍ଟ ଦିନମାନଙ୍କରେ ଦୈନନ୍ଦିନ ନୀତି ନିର୍ଘଣ୍ଟର ସାମାନ୍ୟ ବ୍ୟତିକ୍ରମ ହୁଏ ଏବଂ କେତେକ ଅଧିକ ନୀତି ହୋଇଥାଏ ।

୧୦୪ ଶ୍ରୀଜଗନ୍ନାଥ