ପୃଷ୍ଠା:ShreeJagannath.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୯. ଅଶୌଚ ବା ଦୁର୍ଘଟଣାଜନିତ ନୀତି
୧. କୁକୁର ମନ୍ଦିରରେ ପ୍ରବେଶ କଲେ କିମ୍ବା ମନ୍ଦିର ହତାରେ ଶିବ ଓ ଅସ୍ଥି ପଡ଼ିଥିବା ଦେଖାଗଲେ ଦେବନୀତି ବନ୍ଦ କରାଯିବ ଏବଂ ନୀତିର ଉପକରଣମାନ ବାହାରକୁ ବାହାର କରାଯିବ । ଦିଅଁମାନଙ୍କୁ ମହାସ୍ନାନ ବ୍ୟବସ୍ଥା କରାଯିବ । ଜୟବିଜୟ ଦ୍ୱାରଠାରୁ ଭିତର ପୋଖରିଆ ପର୍ଯ୍ୟନ୍ତ ଭଲ ଭାବେ ଧୁଆହୋଇ ପାଣି ପଡ଼ିବ । ପାଳିଆ ମେକାପ ରତ୍ନସିଂହାସନରେ ପୋଛା ମାରିବ । ତା'ପରେ ସିଂହାସନ ତଳେ ପୂଜା ଠା' ହୋଇ ମହାସ୍ନାନ ହେବ । ମହାସ୍ନାନ ପୂର୍ବରୁ ରୋଷରେ ଧୋପଖାଳ ହେବ । ରୋଷ ଆଡ଼ର ସମୟ ଭୋଗ, ପାଣି ପଶିଥିବା ସମସ୍ତ ଜିନିଷ, କଟବଟ ଦ୍ରବ୍ୟମାନ, ପାଣି ହାଣ୍ଡି, ଶିକା ବାଉଁଶ ଇତ୍ୟାଦି ବାହାର କରାଯିବ । ପୁନର୍ବାର ରୋଷରେ ହୋମ, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ହେବ । ଏହା ପରେ ଯେଉଁ ନୀତିଠାରୁ ବନ୍ଦ ହୋଇଥିବା ତାହା ଆରମ୍ଭ ହୋଇ କ୍ରମାନ୍ୱୟରେ ଅନ୍ୟାନ୍ୟ ନୀତି ହେବ ।
ଭୋଗ ପୂଜା ଚାଲିଥିବା ବେଳେ ଉପରୋକ୍ତ ଦୁର୍ଘଟଣା ଘଟିଲେ, ଅମୁଣିଆ ପରିଚ୍ଛା ଭିତରଚ୍ଛ ମହାପାତ୍ର କହିଲେ ପୂଜାପଣ୍ଡାମାନେ ପୂଜାରୁ ଉଠି ଆସିବେ । ସୁଧ ସୁଆର ମାରା ହୋଇଥିବା ଭୋଗମାନ ଭିତରୁ ବାହାର କରି ଆଣି ବେହରଣ ଜାଗାରେ ଜମା କରିବେ । ପରେ ଧୋପଖାଳ ହୋଇ ମହାସ୍ନାନ ନୀତି ହେବ । ମାରା ହୋଇଥିବା ଭୋଗ ମନ୍ଦିର କର୍ତ୍ତୃପକ୍ଷ ନେଇ ମନ୍ଦିର ବାହାରେ ପୋତାଇ କରନ୍ତି । ପାର୍ଶ୍ୱଦେବଦେବୀମାନଙ୍କର ମଧ୍ୟ ମହାସ୍ନାନ ହୁଏ । ଏ ମହାସ୍ନାନର ସମସ୍ତ ଖର୍ଚ୍ଚ ମନ୍ଦିର କର୍ତ୍ତୃପକ୍ଷ ବହନ କରନ୍ତି ।
୨- ଭିତର କାଠ ପଖରୁ ସିଂହାସନ ପର୍ଯ୍ୟନ୍ତ ସ୍ଥାନରେ ଯଦି କେହି ମଳତ୍ୟାଗ କରେ କିମ୍ବା ପରିସ୍ରା କରେ କିମ୍ବା ଛେପ ପକାଏ ,ତା’ହେଲେ ଭିତର ଓ ବାହାର ଉତ୍ତମ ରୂପେ ଧୋପଖାଳ ହୋଇ ଚୂନପାଣି ପଡ଼େ । ତତ୍ପରେ ପୁଷ୍ପାଳକମାନେ ଯାଇ ମଇଲମ କରନ୍ତି । ମଇଲମ ପରେ ସୁଧସୁଆର ମହାସ୍ନାନର ପୂଜା ଠା' କରନ୍ତି । ମହାସ୍ନାନ ପରେ ଅନ୍ୟାନ୍ୟ ନୀତି ହୁଏ ।
୩- ଦର୍ଶନ ସମୟରେ ଯଦି କେହି ଶ୍ରୀଜୀଉମାନଙ୍କୁ ହାତବଢ଼ାଇ ଛୁଇଁଦିଏ ତା'ହେଲେ ତା’ଠାରୁ ନିର୍ଦ୍ଧାରିତ ପରିମାଣର ମହାସ୍ନାନ ଖର୍ଚ୍ଚ ଆଦାୟ କରାଯାଏ । ମହାସ୍ନାନ ପରେ ଅନ୍ୟାନ୍ୟ ନୀତି ହୁଏ ।
୪- ମନ୍ଦିର ଭିତରକୁ ପରମ୍ପରାନୁସାରେ ବିଧର୍ମୀ ଲୋକମାନଙ୍କୁ ପ୍ରବେଶ କରିବାର ନିଷେଧ ଅଛି । ପଙ୍ଗୁ କୃଷ୍ଠରୋଗୀମାନଙ୍କର ମଧ୍ୟ ପ୍ରବେଶ ନିଷେଧ । କେହି ଜୋତା, ମୋଜା ଗୋଡ଼ରେ ଥାଇ ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ । କ୍ୟାମେରା, ମୋବାଇଲ୍, ଚମଡ଼ା ଜିନିଷ ଆଦି ମଧ୍ୟ ମନ୍ଦିର ଭିତରକୁ ନେଇ ପାରିବେ ନାହିଁ ।

ଶ୍ରୀଜଗନ୍ନାଥ ୧୧୧