ପୃଷ୍ଠା:ShreeJagannath.pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚତୁର୍ଦ୍ଧାମୂର୍ତ୍ତିି ଦାରୁବିଗ୍ରହ ସ୍ୱୟଂ ପହଣ୍ଡି ହୋଇ ଆନନ୍ଦବଜାରସ୍ଥ ସ୍ନାନବେଦୀକୁ ବିଜେ କରନ୍ତି । ରଥ ବାହୁଡ଼ା ଯାତ୍ରା ଶେଷ ହୋଇ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିି ରତ୍ନ ସିଂହାସନରେ ଉପବେଶନ କରନ୍ତି ନାହିଁ । ଅନ୍ୟାନ୍ୟ କେତେକ ନୀତିରେ ବିଜେ ପ୍ରତିମାମାନେ ଏପରିକି ସୁଦର୍ଶନ ବିଜେ କରୁଥିବା ସ୍ଥଳେ ସ୍ନାନ ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିି ନିଜେ ଅଂଶଗ୍ରହଣ କରି ବିଜେ କରନ୍ତି । କବିସମ୍ରାଟ ଉପେନ୍ଦ୍ର ଭଂଜ ତେଣୁ ଲେଖିଛନ୍ତି;
"ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯା'ର,
ପତିତ ପାବନ ଅର୍ଥେ ପ୍ରାସାଦୁଁ ବାହାର ।

(କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ)

ସ୍ନାନ ପୂର୍ଣ୍ଣିିମା ପୂର୍ବରୁ ଅର୍ଥାତ୍‍ ଜ୍ୟେଷ୍ଠ ଶୁକ୍ଲ ତ୍ରୟୋଦଶୀ ଦିନ ଦଇତା ସେବକମାନେ ଶ୍ରୀମନ୍ଦିରରେ ଦୀର୍ଘ ଏକମାସ କାଳ ବିଶେଷ ନୀତି ଗୋଷ୍ଠୀଗତ ଭାବରେ ସମ୍ପନ୍ନ କରନ୍ତି । ତ୍ରୟୋଦଶୀ ରାତ୍ରରେ ବଡ଼ସିଂହାର ଭୋଗ ପରେ ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ (ଶ୍ରୀଜୀଉମାନଙ୍କ ମୁଖ ବସ୍ତ୍ରାଚ୍ଛାଦିତ) ହେବା ପରେ ଦଇତାମାନେ ଭିତରକୁ ଯାଇ ବାହୁଟ କଣ୍ଟ କରନ୍ତି । ତତ୍‍ପରେ କୋଠ ସୁଆଁସିଆମାନେ ଚାରମାଳ ବନ୍ଧା କାର୍ଯ୍ୟ ଆରମ୍ଭ କରନ୍ତି । ଚାରମାଳ ବନ୍ଧା କାର୍ଯ୍ୟ ସମାପନ ପରେ ଚତୁର୍ଦ୍ଦଶୀ ଦିନ ଦଇତାପତିମାନେ ଦିଅଁଙ୍କୁ ସେନାପଟା ଲାଗି କରାନ୍ତି । ସେଦିନର ଦୈନନ୍ଦିନ ଅବକାଶ ନୀତି, ସକାଳ ଧୂପ ଠାରୁ ବଡ଼ ସିଂହାର ଧୂପ ଯାଏଁ ଧୂପ ଅଣସର ପିଣ୍ଡିରେ ବଢ଼ାହୁଏ ଓ ପୂଜା ହୁଏ । ଅବଶିଷ୍ଟ ନୀତି ହୋଇ ପହୁଡ଼ ଆଳତି ହୁଏ । ପହୁଡ଼ ଆଳତି ପରେ ମଦନମୋହନ ଓ ଲକ୍ଷ୍ମୀ ଦକ୍ଷିଣୀ ଘରକୁ, ଭୂଦେବୀ ଓ ମାଧବ ଖଟଶେଯ ଘରକୁ ବିଜେ କରନ୍ତି । ଏହି ଯାତ୍ରାର ବିଧି ହେଉଛି, ପୂର୍ଣ୍ଣମୀ ଦିନ ଭୋରରେ ପୂଜାପଣ୍ଡା, ମୁଦିରସ୍ତ ଓ ପତି ମହାପାତ୍ର ତିନିବାଡ଼ରେ ମଙ୍ଗଳାର୍ପଣ କରିବେ । ତା'ପରେ ଦିଅଁଙ୍କର ଡୋରଲାଗି ହେବ । ଘଣ୍ଟ କାହାଳୀ ବାଜିବ ଓ ଛତାର ଛତା ଧରିିବେ । ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଳଭଦ୍ର ଠାକୁର, ତାଙ୍କ ପରେ ମା' ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ସ୍ନାନମଣ୍ଡପକୁ ବିଜେ କରିବେ । ଏହାଙ୍କ ପରେ ମଦନମୋହନ ବିଜେ ହେବେ ମହାଜନମାନଙ୍କଦ୍ୱାରା । ଚତୁର୍ଦ୍ଧାମୂର୍ତ୍ତିିଙ୍କୁ ଦଇତାପତିମାନେ ବିଜେ କରାଇବେ । ମଦନମୋହନଙ୍କ ବ୍ୟତୀତ ଅନ୍ୟ ଚତୁର୍ଦ୍ଧାମୂର୍ତ୍ତିିଙ୍କ ବିଜେକୁ 'ପହଣ୍ଡି ବିଜେ' କୁହାଯାଏ । ଏହା 'ଧାଡ଼ି ପହଣ୍ଡି' । (ଠାକୁର ମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କଲେ ଧାଡ଼ି ପହଣ୍ଡି କୁହାଯାଏ । ଯେଉଁ ପହଣ୍ଡିରେ ଏକ ମୂର୍ତ୍ତିି ଠାକୁର ବିଜେ ହୋଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲା ପରେ ଅନ୍ୟ ମୂର୍ତ୍ତିି ଠାକୁର ତାଙ୍କ ଆସନ ଛାଡ଼ି ବିଜେ ହୁଅନ୍ତି, ତାକୁ 'ଗୋଟି ପହଣ୍ଡି' କୁହାଯାଏ) । ବିଜେ କରିବା ସମୟରେ ସାତ ପାହାଚଠାରେ ଠାକୁରମାନଙ୍କୁ ଟାହିଆ ଓ ଚୂଳ ଲାଗି କରାଯାଏ । ଏହି ଦ୍ରବ୍ୟ ରାଘବ ଦାସ ମଠ ଯୋଗାଏ । ଦିଅଁମାନେ ସ୍ନାନ ବେଦୀରେ ବିଜେ ହେବା ପରେ ଘଣ୍ଟାର, ଛତାର, କାହାଳିଅ।, ସୁନାଗୋସାଇଁଙ୍କ ନିକଟକୁ ଯାଆନ୍ତି । ସୁନା ଗୋସାଇଁ ଓ ମୁଦିରସ୍ତ ସୁନାକୂଅ (ଶୀତଳାଙ୍କ କୂଅ)ରୁ ୧୦୮ ଗରା ଜଳ ଆଣି ଜଳ ଅଧିବାସ ଗୃହରେ ରଖନ୍ତି । ଏହି

୧୧୪ ଶ୍ରୀଜଗନ୍ନାଥ