ପୃଷ୍ଠା:ShreeJagannath.pdf/୧୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଡେ଼ । ଛେକ ଘୋଡ଼ଦ୍ୱାର ଓ ଆନନ୍ଦ ବଜାର ଦେଇ ସ୍ନାନ ବେଦୀକୁ ଆସେ । ତିନିଜଣ ପୂଜାପଣ୍ଡା ଧୂପ ପୂଜା କରନ୍ତି । ସକାଳ ଧୂପ ଶେଷ ହୋଇ ପାଣି ପଡ଼ିଲେ ତିନିବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ବନ୍ଦାପନା ପରେ ସାହାଣମେଲା ବା ସର୍ବସାଧାରଣ ଦର୍ଶନ ହୁଏ ।
ସାହାଣମେଲା ଶେଷ ହେବା ପରେ ହାତୀବେଶ ମଇଲମ ହୁଏ ଓ ତିନି ବାଡ଼ରେ ପୁଷ୍ପାଞ୍ଜଳି ଓ ଡୋରଲାଗି ହୁଏ । ଏହାପରେ ପହଣ୍ଡିବିଜେ ପାଇଁ କାହାଳୀ ବାଜେ । ଗୋଟି ପହଣ୍ଡି ହୁଏ । ପହଣ୍ଡି ବିଜେ ବେଳେ ସ୍ନାନ ବେଦୀ ପାହାଚଠାରେ ଦିଅଁମାନେ ରାଘବ ଦାସ ମଠ ଯୋଗାଇିବା ଟାହିଆ ଓ ଚୂଳ ଲାଗି ହୁଅନ୍ତି । ପତି ମହାପାତ୍ର ତିନିବାଡ଼ରେ ବନ୍ଦାପନା ଓ ବିଡ଼ିଆ ଲାଗି କରନ୍ତି । ଶୁଆ ଶାରୀ ମନ୍ଦିର ଓ ଗରୁଡ଼ସ୍ତମ୍ଭ ନିକଟରେ ମଧ୍ୟ ବନ୍ଦାପନା ହୁଏ । ଅଣସର ପିଣ୍ଡିରେ ଠାକୁରମାନେ ବିଜେ କଲାପରେ ସ୍ନାନଯାତ୍ରା ବିଧି ସମାପ୍ତ ହୁଏ । ମହାଜନମାନେ ମଦନମୋହନଙ୍କୁ ସ୍ନାନମଣ୍ଡପରୁ ଦକ୍ଷିଣୀ ଘରକୁ ବିଜେ କରାନ୍ତି । ତିନିବାଡ଼ରୁ ଦଇତାମାନେ ରତ୍ନଚିତା ଓ ସୁବର୍ଣ୍ଣ ରାହୁରେଖାମାନ ବାହାର କରି ଭଣ୍ଡାର ମେକାପ, ତଡ଼ଉ ଓ ଦେଉଳକରଣଙ୍କ ମାର୍ଫତରେ ଦିଅନ୍ତି । ଶ୍ରୀମନ୍ଦିରର ଜନୈକ ଅଧିକାରୀ ସେ ସମୟରେ ଉପସ୍ଥିତ ଥାଆନ୍ତି । ଏହି ଅଳଙ୍କାରମାନ ସିଲ୍‍ କରାଯାଇ ଭଣ୍ଡାର ମେକାପଙ୍କ ଜିମାରେ ଭଣ୍ଡାରରେ ରଖାଯାଏ ।
ଅଣସର (ଅନବସର)
ଅଣସର ପିଣ୍ଡିର ଚାରିପଟେ ବାଉଁଶ ତାଟି କୋଠ ସୁଆସିଆମାନେ ଭିଡ଼ି ଦିଅନ୍ତି । ତାଟି ବାହାରେ ଏକ ଖଟ ପକାଯାଇ ପଟି ଦିଅଁ (ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣ) ଚିତ୍ରକାର ମାନଙ୍କ ଘର ଠାରୁ ବିଧି ଅନୁସାରେ ଅଣାଯାଇ ରଖାଯାଏ । ଦକ୍ଷିଣ ଘରୁ ମହାଜନମାନେ ସାତ ମୂର୍ତ୍ତି ଦେବଦେବୀ (ଦୋଳଗୋବିନ୍ଦ, ରାମ, ନୃସିଂହଙ୍କୁ ବଡ଼ ବାଡ଼ରେ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଝିବାଡ଼ରେ, ମଦନମୋହନ ଓ କୃଷ୍ଣଙ୍କୁ ଶ୍ରୀଜଗନ୍ନାଙ୍କ ବାଡ଼ରେ) ଖଟ ଉପରେ ବିଜେ କରାନ୍ତି । ଏହି ମୋଟ ଦଶ ଦେବଦେବୀ "ଦଶ ଅବତାର ଠାକୁର' ନାମରେ ପରିଚିତ । ତିନି ପଟି ଦିଅଁଙ୍କୁ ତାଟି ଦେହରେ ରୁନ୍ଧା ଯାଏ । ସ୍ନାନପୂର୍ଣ୍ଣିିମା ରାତିଠାରୁ ଅମାବାସ୍ୟା ଯାଏଁ ଠାକୁରମାନେ ଅଣସରରେ ରହିବା ନିୟମ । ଦଶାବତାର ଦିଅଁ ଆଗରେ ଏ ସମୟରେ ସମସ୍ତ ଦୈନିକ ନୀତି ଓ ଭୋଗରାଗ ହୁଏ ଦଶାବତାର ଦିଅଁଙ୍କର ଦ୍ୱିପ୍ରହର ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ହୁଏ ଓ ପତି ମହାପାତ୍ରଙ୍କ ନିର୍ଦ୍ଦେଶରେ ଦକ୍ଷିଣ ଦ୍ୱାର ଖୋଲାଯାଏ । ତାଟି ଭିତରେ ଦିଅଁମାନଙ୍କର ମଇଲମ ହୁଏ । ତା'ପୂର୍ବରୁ ଦଇତାମାନେ ବଇଠା ବସାନ୍ତି । ଅନ୍ୟ ସମୟରେ ଅନ୍ଧକାର ଥାଏ । ଅଣସର ଘର ଭିତରକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କେହି ଯାଇ ପାରିବେ ନାହିଁ । ଅଣସର ସମୟରେ ତିନି ଦିଅଁ ଶୁକ୍ଲ ସୁବାସ ଫୁଲ ଛଡ଼ା ଅନ୍ୟ ଫୁଲ ଲାଗି ହୁଅନ୍ତି ନାହିଁ । ଠାକୁରମାନଙ୍କର ପଣା ଭୋଗ ପତିମହାପାତ୍ର କରନ୍ତି । ଦଶାବତାର ଦିଅଁଙ୍କର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ଦିଅଁଙ୍କର ଚକଟା ଭୋଗ ହୁଏ । ଏହି ଭୋଗରେ ଧୁଆ ମୁଗ, ପାଚିଲା ପଣସ ଇତ୍ୟାଦି ଥାଏ ।

୧୧୬ * ଶ୍ରୀଜଗନ୍ନାଥ