ପୃଷ୍ଠା:ShreeJagannath.pdf/୧୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଣସର ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦଇତାପତିମାନେ ମଧ୍ୟ ଏକବସ୍ତ୍ର ପିନ୍ଧି ସେବା କରନ୍ତି । ଅଣସର ଦ୍ୱିତୀୟା ଦିନ ଦିଅଁମାନଙ୍କର ସ୍ନାନଯାତ୍ରା ପହଣ୍ଡିର ବସ୍ତ୍ର ବାହାର କରାଯାଏ । ଚର୍ତୁଥୀ ଦିନ ଶ୍ରୀଅଙ୍ଗ ଫିଟା ନୀତି ହୁଏ । ଅର୍ଥାତ ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ । ପାଟବସ୍ତ୍ର ଓ ଲାଗି ହୋଇଥିବା ଚନ୍ଦନ ବାହାର କରାଯାଏ । ପଞ୍ଚମୀ ଦିନ 'ଫୁଲୁରି ଲାଗି' ହୁଏ । ଦଇତାପତିମାନେ ରାଶିତେଲ, ଚୁଆ, କର୍ପୂର, ପିଙ୍ଗଣ ଓ ପରଖରେ ରଖି ଫୁଲରି ଲାଗି କରନ୍ତି । ଷଷ୍ଠୀଠାରୁ ନବମୀ ଯାଏଁ ଦିଅଁମାନଙ୍କୁ 'ଓଷୁଅ ଲାଗି' କରାଯାଏ । ଅଣସର ସୁଧସୁଆର ଝୁଣା ବାଟି ଓଷୁଅ ପ୍ରସ୍ତୁତ କରି ଯୋଗାନ୍ତି । ଦଶମୀ ଦିନ 'ଚକା ବିଜେ' ନୀତି ହୁଏ । ଏକାଦଶୀ ଦିନ ଚନ୍ଦନ ସହିତ କର୍ପୁର କେଶର ବଟା ହୁଏ ଓ ତାହା ଦଇତାପତିମାନେ ଦିଅଁମାନଙ୍କୁ ଲାଗି କରନ୍ତି । ଏହି ଦିନ ଘଣ୍ଟା, କାହାଳୀ ଓ ବାଜା ବାଜେ । ଅଣସର ତାଟି ଆଗରେ ବିରାଜିତ ଦଶାବତାର ଦିଅଁଙ୍କୁ ମଧ୍ୟ ଉକ୍ତଦିନ ଚନ୍ଦନଲାଗି କରାଯାଏ । ଅଣସରରେ ପ୍ରଥମ ଦିନଠାରୁ ଦଶମୀ ଦିନ ଯାଏଁ କୌଣସି ଦିଅଁଙ୍କ ନୀତିରେ ଘଣ୍ଟ କାହାଳୀ ବାଜେ ନାହିଁ କିମ୍ବା ମନ୍ଦିରରେ କୌଣସିଠାରେ ନାମ ସଂକୀର୍ତ୍ତନ ହୁଏ ନାହିଁ । ଅଣସର ପିଣ୍ଡିରେ ଦିଅଁମାନଙ୍କୁ ପତି ମହାପାତ୍ର ସର୍ପାମଣୋହି କରି ପୂଜା କରନ୍ତି । ଏହି ପୂଜାରେ ଘଣ୍ଟି, ଶଙ୍ଖ, ପିଢ଼ା କିମ୍ବା ଥାଳି ବ୍ୟବହାର କରାଯାଏ ନାହିଁ ।
ଦ୍ୱାଦଶୀ ଦିନ 'ରାଜପ୍ରସାଦ' ନୀତି ହୁଏ । ଭୋଗମଣ୍ଡପ ଧୂପ ପରେ ରୂପାଥାଳିମାନଙ୍କରେ ରାଜପ୍ରସାଦ (ଶ୍ରୀଅଙ୍ଗର ଚନ୍ଦନ ଓ କରାଳ ଚନ୍ଦନ) ଓ ପାଟଡୋର ରଖି ଦଇତାପତିମାନେ ଶ୍ରୀନଅରକୁ ଯାଅନ୍ତି । ସେମାନଙ୍କ ଆଗରେ ତଳିଚ୍ଛ ଓ ପ୍ରଧାନୀ ହାତ ପଇଠ କରି ଘଣ୍ଟ, ଛତା ଓ କାହାଳୀ ସହ ଯାଆନ୍ତି । ନଅରରେ ରାଜାଙ୍କ ହାତଛୁଆଁ ଶାଢ଼ିମାନ ଦଇତା, ପତିମହାପାତ୍ର, ତଡ଼ଉ, ଦେଉଳକରଣ ଓ ତଳିଚ୍ଛଙ୍କୁ ପ୍ରଦାନ କରାଯାଏ । ତ୍ରୟୋଦଶୀ ଦିନ 'ଘଣାଲାଗି' ଓ 'ଶ୍ରୀପୟର ପୂଜା' (ପାଟ ଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ) ଲାଗି ହୁଏ । ଘଣାଲାଗି ପରେ ଖଳିଲାଗି ହୁଏ । ତା' ପରେ ଖଡ଼ିଲାଗି ହୁଏ । ଲାଗି ପରେ ଖଡ଼ି ପ୍ରସାଦ ଧରି ଦଇତାପତି ମାନେ ନଅରକୁ ଯାଆନ୍ତି । ସେମାନଙ୍କ ସାମନାରେ ଦତ୍ତ ମହାପାତ୍ର ଓ ପ୍ରଧାନୀ ହାତ ପଇଠ ହୋଇ ଯାଅନ୍ତି । ନଅରରେ ।ରାଜପ୍ରସାଦ' ନୀତି ଭଳି ଶାଢି ପ୍ରଦାନ ହୁଏ । ତ୍ରୟୋଦଶୀ ଦିନ 'ଶ୍ରୀମୁଖ ଓତା' ନୀତି ହୁଏ । ଚତୁର୍ଦ୍ଦଶୀରେ 'ବନକଲାଗି' କାର୍ଯ୍ୟ ଦତ୍ତ ମହାପାତ୍ରମାନେ କରନ୍ତି । ତା'ପରେ ଚକା ଅପସର ଲାଗି ହୁଏ । ନୂଆ କନା ପଡ଼ି ଏଗୁଡ଼ିକ ତିଆରି ହୋଇଥାଏ । ଏହା ଲାଗି ପରେ ଏବଂ ଦଶାବତାର ଠାକୁରମାନଙ୍କର ଆଳତି ଓ ଅବକାଶ ନୀତି ପରେ ମହାଜନମାନେ 'ଦଶାବତାର'ରୁ ପାଞ୍ଚମୂର୍ତ୍ତି ଦକ୍ଷିଣ ଘରକୁ ନିଅନ୍ତି । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାନ୍ତି । ପଟି ଦିଅଁ (୩)ଙ୍କୁ ବିମଳା ମନ୍ଦିର ନିକଟସ୍ଥ ମଣ୍ଡଣି ଘରକୁ ବିଜେ କରାନ୍ତି । ଏହାପରେ କୋଠ ସୁଆଁସିଆମାନେ ଅଣସର ଘରୁ ତାଟି ଓ ଖଟ ବାହାର କରନ୍ତି । ଭିତରେ ପାଣି ପଡ଼ିବା ପରେ ସେବକମାନେ ଓ ସର୍ବସାଧାରଣ ଚତୁର୍ଦ୍ଧାମୂର୍ତ୍ତିିଙ୍କୁ ଦର୍ଶନ କରନ୍ତି । ସେତେବେଳେ ଅମାବାସ୍ୟାର ସକାଳ ହୋଇଯାଇାଏ । ଏହି ଦିଅଁ ଦର୍ଶନକୁ 'ନବଯୌବନ ଦର୍ଶନ' କୁହାଯାଏ ।

ଶ୍ରୀଜଗନ୍ନାଥ * ୧୧୭