ପୃଷ୍ଠା:ShreeJagannath.pdf/୧୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ଦିନର ଅନ୍ୟ ଏକ ବିଶିଷ୍ଟ ନୀତି ହେଉଛି ‘ନେତ୍ରୋତ୍ସବ' । ନବଯୌବନ ଦର୍ଶନ ପରେ ଭିତର ପହଁରା ଯାଇ ଚୂନପାଣି ପଡ଼େ । ତିନୋଟି ରୁପା ପିଙ୍ଗଣରେ ଚନ୍ଦନ ଆସିଲେ ପତି ମହାପାତ୍ର ତାହା ସଂସ୍କାର କରିବା ପରେ ଦଇତାପତି ଚନ୍ଦନଲାଗି କରାନ୍ତି । ତା'ପରେ ମଇଲମ ହୋଇ ତିନି ଠାକୁର ନଅଖଣ୍ଡ ଓ ସୁଦର୍ଶନ ଏକ ଖଣ୍ଡ ବୋଇରାଣୀ ବସ୍ତ୍ର ପରିଧାନ କରନ୍ତି । ଏହା ପରେ ପତି ମହାପାତ୍ର ଅକ୍ଷତ, କର୍ପୂର ଆଳତି, ସାତବତୀ, ସଞ୍ଜକାହାଳୀ ବନ୍ଦାପନା କରିବା ଉତ୍ତାରେ ଦଉ ମହାପାତ୍ର (୩ଜଣ) ଆସି ତିନୋଟି ରୁପା ବଟାରେ ପୂର୍ବରୁ ପ୍ରସ୍ତୁତ କଳା ଯୋଗାନ୍ତି । ପୂଜାପଣ୍ଡା ତିନିଜଣ ତିନୋଟି କାଠିରେ ଶ୍ରୀନେତ୍ର ଲାଗି କରନ୍ତି । ଏହାକୁ ନେତ୍ରୋତ୍ସବ କୁହାଯାଏ ।

ନେତ୍ରୋତ୍ସବ ନୀତି ପରେ ତିନି ବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ବନ୍ଦାପନା ସମାପନ ପରେ ମୁଦିରସ୍ତ ତିନି ବାଡ଼ରେ ତିନିଯୋଡ଼ା ଗାମୁଛା ଦେଇ ଦଣ୍ଡ ପ୍ରଣାମ କରନ୍ତି । ଏହାକୁ ‘ନିଉଛାଳି' କୁହାଯାଏ । ତା'ପରେ ସେ ତିନିବାଡ଼ରେ ରାଜନୀତି କରନ୍ତି । ଏହା ପରେ ଭିତର ପାଣିପଡ଼ି ଯାତ୍ରାଙ୍ଗ ମହାସ୍ନାନ ହୁଏ । ରୋଷରେ ଭୋଗ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସରିଲେ ମହାସ୍ନାନ ହୁଏ । ମହାସ୍ନାନ ଶେଷରେ ଶାନ୍ତିଜଳ ପ୍ରଭୁଙ୍କ ଶ୍ରୀଅଙ୍ଗରେ ସିଞ୍ଚାଯାଏ । ମଇଲମ ପରେ ଶ୍ରୀଅଙ୍ଗରେ ଚନ୍ଦନଲାଗି କରାଯାଏ । ଏହି ଚନ୍ଦନଲାଗିକୁ ‘ସର୍ବାଙ୍ଗ' କୁହାଯାଏ । ସର୍ବାଙ୍ଗ ପରେ ବେଶ ହୁଏ । ଅଣସର ପିଣ୍ଡି ସିଂହାସନ ଧୋପଖାଳ ପରେ ସକାଳ ଧୂପ ଡାକରା ହୁଏ । ଏହି ଭୋଗ ଘଣ୍ଟ, ଛତା, କାହାଳୀ ସହ ନିର୍ଦ୍ଦିଷ୍ଟ ସେବକଙ୍କ ହାତପୈଠ ମଧ୍ୟରେ ଛାମୁକୁ ଆସେ । ଏହି ଦିନର ଗୋପାଳବଲ୍ଲଭ ଭୋଗ ସକାଳ ଧୂପ ସହିତ ହୁଏ । ଏହା ପରବର୍ତ୍ତୀ ଦୈନନ୍ଦିନ ନୀତି କ୍ରମ ଅନୁସାରେ ପାଳିତ ହୁଏ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ଆନୁଷଙ୍ଗିକ ପାଳନୀୟ ବିଧିବିଧାନ ଆବଶ୍ୟକତା ଅନୁସାରେ ପାଳିତ ହୁଏ । କାରଣ ଯଦି ଅମାବାସ୍ୟା ପ୍ରତିପଦ ସଂଯୁକ୍ତ ହୋଇପଡ଼େ ତେବେ ଦୁଇଦିନରେ ବିଭକ୍ତ ହୋଇ ପାଳିତ ହୋଇଥାଏ ।

ଶ୍ରୀଗୁଣ୍ଡିଚା ପୂର୍ବଦିନ ସକାଳ ଧୂପ ଶେଷ ପରେ ତିନିବାଡ଼ରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ତିନିଜଣ ଘଣ୍ଟ, ଛତା, କାହାଳୀ ସହ ରଥ ଖଳା ବା ରଥ ନିର୍ମାଣ ସ୍ଥାନକୁ ଆସନ୍ତି ଓ ଯେଉଁ ବାଡ଼ର ଆଜ୍ଞାମାଳ, ସେହି ବାଡ଼ର ରଥ ଦେହରେ ବାନ୍ଧି ଦିଅନ୍ତି । ଆଜ୍ଞାମାଳ ପାଇବା ପରେ ତିନୋଟି ରଥ ଟଣାହୋଇ ସିଂହଦ୍ୱାର ସାମନାସ୍ଥ ନିର୍ଦ୍ଧାରିତ ସ୍ଥାନରେ ରଖାଯାଏ । ବିଧି ଅନୁସାରେ ରଥ ପ୍ରତିଷ୍ଠା କର୍ମ ହୁଏ । କିନ୍ତୁ ରଥ ନିର୍ଦ୍ଧାରିତ ସ୍ଥାନରେ ଲାଗିବାକୁ ରାତି ହୋଇଗଲେ ପ୍ରତିଷ୍ଠା କର୍ମ ପରବର୍ତ୍ତୀ ଦିନ ଅର୍ଥାତ୍ ଶ୍ରୀଗୁଣ୍ଡିଚା ଦିନ ସକାଳୁ ହୋଇଥାଏ । ରଥ ଦଧିନଉତିର ଉପରି ଭାଗରେ ଖଞ୍ଜା ହେବା ନିମନ୍ତେ ଥିବା କଳସମାନ ଜୟ ବିଜୟ ଦ୍ୱାରରେ ରଖାଯାଇଥାଏ । ସଂଧ୍ୟାଧୂପ ପରେ ଶ୍ରୀଜୀଉଙ୍କ ତିନିବାଡ଼ରୁ ଆଜ୍ଞା ମାଳ ନେଇ ପୂଜାପଣ୍ଡା କଳସମାନଙ୍କରେ ଦିଅନ୍ତି ଓ ତିନିଖଣ୍ଡି ପତନି କଳସମାନଙ୍କରେ ବନ୍ଧାଯାଏ । ତା' ପରେ କୋଠ ସୁଆଁସିଆମାନେ କଳସମାନ ନେଇ ରଥମାନଙ୍କରେ ବାନ୍ଧନ୍ତି । ବଡ଼ସିଂହାର ପହୁଡ଼ ଆଳତି ପରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ଦଇତାମାନେ ବାହୁଟ ମାପ କରନ୍ତି । ସାକ୍ଷୀଗୋପାଳରୁ ଅଣାଯାଇଥିବା ବଉଳକାଠରେ ବିଶ୍ୱକର୍ମା (ବଢ଼େଇ) ବାହୁଟ ତିଆରି କରିଥାନ୍ତି ଓ ତାମରା ବିଶୋଇ ତହିଁରେ ତମ୍ବା ପତ୍ର ଯୋଡ଼ି ଦିଅନ୍ତି ।

୧୧୮ ଶ୍ରୀଜଗନ୍ନାଥ