ପୃଷ୍ଠା:ShreeJagannath.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନବମୀ ତିଥିରେ ଗୁଣ୍ଡିଚା ଘରେ ‘ସଂଧ୍ୟା ଦର୍ଶନ ହୁଏ । ସେଦିନର ସଂଧ୍ୟାକାଳୀନ ଦର୍ଶନ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କର ଶେଷ ଦର୍ଶନ ହୋଇଥିବାରୁ ଏ ଦର୍ଶନର ନାମ ସଂଧ୍ୟ ଦର୍ଶନ ଓ ଏହି ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ମନେ କରାଯାଏ । ସୁତରାଂ ଦର୍ଶନପାଇଁ ପ୍ରବଳ ଜନସମାଗମ ହୋଇଥାଏ । ଏହି ଦିନ ବଡ଼ସିଂହାର ଭୋଗ ଶେଷ ପରେ ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ବାହୁଟ କଣ୍ଟ କରାଯାଏ। ରଥଯାତ୍ରା ପୂର୍ବଦିନ ରାତିରେ ଶ୍ରୀମନ୍ଦିରରେ ଯେଉଁ ନୀତିରେ ହୋଇଥାଏ, ଏହା ସେହି ନୀତିରେ ହୁଏ । କୋଠ ସୁଆଁସିଆମାନେ ଚାର ବାନ୍ଧନ୍ତି । ତା’ ପରେ କୁସୁମି ଲାଗି ହୁଏ ।

ଦଶମୀ ତିଥିରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ପ୍ରକାଶ କରିଥାନ୍ତି । ଏ ଦିନର ନୀତିମାନ ହେଲା ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ ଓ ଖେଚେଡ଼ି ଭୋଗ, ସେନାପଟା ଲାଗି, ମଙ୍ଗଳାର୍ପଣ, ବାହୁଡ଼ା ପହଣ୍ଡି, ଛେରା ପହଁରା, ଚାର ଫିଟିବା, ଘୋଡ଼ା ସାରଥି ଲାଗିବା, ରଥଟଣା ଆରମ୍ଭ (ରଥଟଣା ଶେଷ ପରେ ଅନ୍ୟାନ୍ୟ ନୀତି ହେବ) ।

ବାହୁଡ଼ା ଦିନ ପୁଷ୍ପାଳକ ଓ ଭିତରଚ୍ଛ ମହାପାତ୍ର ମଙ୍ଗଳ ଆଳତି, ଅବକାଶ କରନ୍ତି । ରୋଷରେ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ହୋଇ ସକାଳ ଧୂପ (ଖେଚେଡ଼ି ଭୋଗ) ସାଙ୍ଗରେ ବଲ୍ଲଭ ଭୋଗ ଏକତ୍ର ଷୋଡ଼ଶ ଉପଚାରରେ ମଣୋହି ହୁଏ । ତା'ପରେ ଦଇତାମାନେ ସେନାପଟାଲାଗି କରନ୍ତି । ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ମଙ୍ଗଳାର୍ପଣ କରନ୍ତି । ମୁଦିରସ୍ତ ଡୋରଲାଗି, ପୁଷ୍ପାଞ୍ଜଳି କଲା ପରେ ବିଜେ କାହାଳୀ ବାଜେ ଓ ଧାଡ଼ି ପହଣ୍ଡି ଆରମ୍ଭ ହୁଏ । ଜଗମୋହନ ଦ୍ବାରରେ ରାଘବ ଦାସ ମଠ ଦେଇଥିବା ଟାହିଆ ଲାଗି ହୁଏ । ଶ୍ରୀଗୁଣ୍ଡିଚା ଦିନ ପରି ପହଣ୍ଡି, ଟାହିଆଲାଗି, ତୁଳୀଲାଗି, ପତି ମହାପାତ୍ରଙ୍କଦ୍ବାରା ବନ୍ଦାପନା, ବିଡ଼ିଆ ମଣୋହି ଇତ୍ୟାଦି ନୀତି ହୁଏ । ଚାରି ଠାକୁର ଯେ ଯାହା ରଥରେ ଅବସ୍ଥାନ କଲା ପରେ ଓ ରୁନ୍ଧା ହେବା ପରେ ମହାଜନମାନେ ମଦନମୋହନ ଓ ରାମକୃଷ୍ଣଙ୍କୁ ହାତରେ ବିଜେ କରାଇ ନେଇ ଶ୍ରୀଗୁଣ୍ଡିଚା ଦିନ ବସାଇଲା ପରି ରଥରେ ବିଜେ କରାନ୍ତି । ଏହାପରେ ରାଜା ଶୋଭାଯାତ୍ରାରେ ଆସି ପ୍ରତ୍ୟେକ ରଥରେ ଛେରା ପହଁରା କରନ୍ତି । ତାହା ଶେଷ ହେଲେ ରଥରୁ ଚାରମାଳ ଫିଟାଯାଏ । ଘୋଡ଼ା ସାରଥି ଯୋଚା ଯାଏ । ଦଉଡ଼ି ବନ୍ଧା ଯାଏ । ଘଣ୍ଟ, ମାଦଳ, କାହାଳୀ ବାଜି ବଳଭଦ୍ରାଦି କ୍ରମରେ ରଥ ଟଣା ହୁଏ । ବଡ଼ ଶଙ୍ଖ ଯାଏ ବଳଭଦ୍ରଙ୍କ ରଥ ଟଣା ହେବା ପରେ ସୁଭଦ୍ରାଙ୍କ ରଥ ଓ ସେହିପରି ଶେଷରେ ଜଗନ୍ନାଥଙ୍କ ରଥ ଟଣାଯାଏ । ରଥ ଉପରେ ଦେବଦର୍ଶନ ଅତ୍ୟନ୍ତ ପୁଣ୍ୟପ୍ରଦ ଓ ପାପତାପସଂହାରକ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।

ଉତ୍ତରାଭିମୁଖେ ଜାତେ ତଥା ଦକ୍ଷିଣଦିଡ୍ଂମୁଖେ ।
ରଥତ୍ରୟେ ଜନୋଯୟୁ ଭକ୍ତି ଶ୍ରଦ୍ଧାନ୍ବିତଃ ପରମ୍ ।। ୧୧୬ ||
ରାମ୍ୟକୃଷ୍ଣ ସୁଭଦ୍ର୍ୟ ଚ ପଶେନ୍ସାଙ୍ଗେ ରଥେ ସ୍ଥିତମ୍ ।
ପଦେ ପଦେ ଶ୍ବମେଧାନ୍ୟ ଫଳ ପ୍ରାପ୍ୟ ମହୀତଳେ । ୧୧୭ ||

(ନୀଳାଦ୍ରି ମହୋଦୟଃ, ୧୬ଶ ଅଧ୍ୟାୟ)
 
ଶ୍ରୀଜଗନ୍ନାଥ । ୧୨୩