ପୃଷ୍ଠା:ShreeJagannath.pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ଦିଅଁମାନେ ଶ୍ରୀଅଙ୍ଗକୁ ଲାଗି ହେବା ପରେ ତିନିଜଣ ପୂଜାପଣ୍ଡା ମହାସ୍ନାନ ବଢ଼ାନ୍ତି । ସର୍ବାଙ୍ଗ ଲାଗି, ନୂଆ ପତନି ଲୁଗାଲାଗି ଓ ମାଳଫୁଲଲାଗି ହୁଅନ୍ତି । ତା’ପରେ ପାଣି ପଡ଼ି ଟେରା ବନ୍ଧାଯାଏ । ପାଳିଆ ପଢ଼ିଆରୀ ( ପ୍ରତିହାରୀ) ତଳିଚ୍ଛ ମହାପାତ୍ର ଓ ପ୍ରଧାନୀ ଘଣ୍ଟ, ଛତା ଓ କାହାଳୀ ସହ ବଲ୍ଲଭ ବଡ଼ସିଂହାର ଭୋଗ ରଥ ଉପରକୁ ଆଣନ୍ତି । ବଡ଼ସିଂହାର ଭୋଗ ଶେଷ ହେବା ପରେ ଯଦି ଅଧିକା ଭୋଗ ହୁଏ ତାହାକୁ ‘ବଲ୍ଲଭ ବଡ଼ସିଂହାର' ଭୋଗ କହନ୍ତି । ଏହି ଭୋଗ ଷୋଡ଼ଶ ଉପଚାରରେ ପୂଜାପଣ୍ଡା ପୂଜା କରନ୍ତି । ଏହା ପରେ କର୍ପୂର ଆଳତି ହୁଏ । ତିନିଜଣ ପୂଜାପଣ୍ଡା ତିନି ରଥରୁ ବିଜେ ହୋଇଥିବା ଶୟନ ଠାକୁରଙ୍କୁ ଧରି ଶ୍ରୀମନ୍ଦିର ସାତ ପାହାଚ, ଜଗମୋହନ ଦେଇ ଭଣ୍ଡାର ଘର ଦୁଆରକୁ ନିଅନ୍ତି । ତା'ପରେ ଶୟନଠାକୁରଙ୍କୁ ଶୟନ ଘରେ ଶେଯ ମାଣ୍ଡିରେ ଶୟନ କରାନ୍ତି । ମୁଦିରସ୍ତ ପ୍ରସାଦଲାଗି, ଆରତି ଓ ବନ୍ଦାପନା କରନ୍ତି । ପରେ ଶୟନ ଘର ଦ୍ୱାରକୁ ତଡ଼ାଉକରଣ ମୁଦ ଦିଅନ୍ତି ।

ଦ୍ୱାଦଶୀ ନୀତି: ଅଧରପଣା ଓ ଗରୁଡ଼ ଶୟନ ମଧ୍ୟାହ୍ନ ଧୂପ ସମାପନ ପରେ ରଥ ଉପରେ ତିନି ଦିଅଁଙ୍କୁ ଅଧରପଣା ଭୋଗ ହୁଏ । ରାଘବ ଦାସ ମଠ, ଓଡ଼ିଆ ମଠ ଓ ଷ୍ଟେଟ୍ ( ଶ୍ରୀମନ୍ଦିର ପ୍ରଶାସନ) ତରଫରୁ ଗୋଟିଏ ଗୋଟିଏ ପ୍ରତି ରଥରେ ତିନୋଟି, ଦିଅଁଙ୍କ ଅଧରକୁ ପାଇବା ପରି ଉଚ୍ଚ ଥିବା ତୁମ୍ଭ ଭଳି ମାଟି ହାଣ୍ଡିରେ ପଣା ଢ଼ଳାଯାଇ ଭୋଗ ହୁଏ । ସାବି, ଛେନା, କଦଳୀ, କ୍ଷୀର ଇତ୍ୟାଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥାଏ । ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପଣା ପୂଜା କରନ୍ତି । ଭୋଗ ପରେ ରଥା ଉପରେ ପଣାହାଣ୍ଡି ଭଙ୍ଗାଯାଏ ।

ଶ୍ରୀମନ୍ଦିରର ଅଧିକାର-ଅଭିଲେଖ (ରେକର୍ଡ଼ ଅଫ୍ ରାଇଟ୍‌ସ୍)ରେ ଉଲ୍ଲେଖ ଅଛି ଯେ, ଏକାଦଶୀ ଦିନ ରାଘବ ଦାସ ମଠ ଓ ଓଡ଼ିଆ ମଠ ତରଫରୁ ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଅଧରପଣା ଭୋଗ ହୁଏ ଏବଂ ଦ୍ୱାଦଶୀ ଦିନ ପହଣ୍ଡି ପୂର୍ବରୁ ରାଜା-ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ଅଧରପଣା ଭୋଗ ହୁଏ । କିନ୍ତୁ ଅନେକ ବର୍ଷ ହେଲା କେବଳ ଦ୍ୱାଦଶୀ ଦିନ ମଧ୍ୟାହ୍ନ ଧୂପ ପରେ ଅଧରପଣା ଭୋଗ କରାଯାଉଛି । ଦ୍ୱାଦଶୀ ଦିନ ଦିଅଁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରୁ ନାହାନ୍ତି । ଅର୍ଥାତ୍ ଉକ୍ତ ଦିନ ନୀଳାଦ୍ରି ବିଜେ କରାଯାଉ ନାହିଁ । ଦ୍ୱାଦଶୀ ଦିନ ଅଧରପଣା ଭୋଗ ପରେ ତ୍ରୟୋଦଶୀ ଦିନ ନୀଳାଦ୍ରିବିଜେ ହେଉଅଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୧୯୮୭ ମସିହାରେ ଅଧରପଣା ନୀତି ଦୁଇ ଦିନରେ ହୋଇଥିଲା । ଅପରିହାର୍ଯ୍ୟ କାରଣରୁ ପ୍ରଥମ ଦିନ ଷ୍ଟେଟ୍ ତରଫରୁ ଓ ଦ୍ବିତୀୟ ଦିନ (ଅର୍ଥାତ୍ ତ୍ରୟୋଦଶୀ ଦିନ) ଦୁଇମଠ ତରଫରୁ ଅଧରପଣା ଭୋଗ କରାଯାଇଥିଲା । ଫଳରେ ତ୍ରୟୋଦଶୀ ଦିନ ନୀଳାଦ୍ରିବିଜେ ହୋଇ ନପାରି ଚତୁର୍ଦ୍ଦଶୀ ଦିନ ନୀଳାଦ୍ରି ବିଜେ ହୋଇଥିଲା । ପରମ୍ପରା ଅନୁସାରେ ନବକଳେବର ରଥଯାତ୍ରାର ଦିନେ ପରେ ଅର୍ଥାତ୍ ତ୍ରୟୋଦଶୀ ପରଦିନ ଚତୁର୍ଦ୍ଦଶୀରେ ନୀଳାଦ୍ରି ବିଜେ କରାଯାଉଛି ।

ଶ୍ରୀଜଗନ୍ନାଥ । ୧୨୫