ପୃଷ୍ଠା:ShreeJagannath.pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଧରପଣା ଓ ଗରୁଡ଼ ଶୟନ ନୀତି ଦ୍ୱାଦଶୀରେ ପାଳନ କରାଯାଉଛି । ସଂଧ୍ୟାଧୂପ ପରେ ଗରୁଡ଼ସ୍ତମ୍ଭ ପାଖରେ ପର୍ବଯାତ୍ରା ଯୋଗାଣିଆ ଦେଇଥିବା ମହାସ୍ନାନ ସାମଗ୍ରୀ ସୁଧସୁଆର ପୂଜା ଠା' କରିବା ପରେ ଜଣେ ପୂଜାପଣ୍ଡା ମହାସ୍ନାନ କରାନ୍ତି । ତା’ପରେ ଶୀତଳ ଭୋଗ କରି ଆଳତି ଓ ବନ୍ଦାପନା କରନ୍ତି । ଏଥିପୂର୍ବରୁ ‘ହରିଙ୍କ ଶୟନ' ପଲଙ୍କ ଅର୍ଥାତ୍ ପୂର୍ବରୁ ଶୋଇଥିବା ପ୍ରଭୁଙ୍କ ପଲଙ୍କ ତଳେ ଶୋଇବାପାଇଁ ଗରୁଡ଼ଙ୍କୁ ପ୍ରାର୍ଥନା କରାଯାଇ ଶୟନ ଯାତ୍ରା ଶେଷ କରାଯାଏ ।

ତ୍ରୟୋଦଶୀ ନୀତି : ନୀଳାଦ୍ରି ବିଜେ ସଂଧ୍ୟା ଧୂପ ଶେଷ ପରେ ବିଜେ କାହାଳୀ, ବାଜି ପହଣ୍ଡି (ଗୋଟି ପହଣ୍ଡି) ଆରମ୍ଭ ହୁଏ । ଗୁଣ୍ଡିଚା ଘରକୁ ଯେଉଁପରି ପହଣ୍ଡି ହୋଇଥାଏ ସେହିପରି ହୁଏ । ରାଘବ ଦାସ ମଠ ଟାହିଆ ଯୋଗାନ୍ତି । ପହଣ୍ଡି ପୂର୍ବରୁ ରତ୍ନ ସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୋଇଥାଏ । ସୁଦର୍ଶନଙ୍କ ବିଜେ ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ହୋଇ ସିଂହାସନକୁ ଆସନ୍ତି । ଆସିଲା ବେଳେ ଶୁଆଶାରୀ ଦେଉଳଠାରେ ପତି ମହାପାତ୍ର ଘସା ବିଡ଼ିଆ ମଣୋହି ଓ ବନ୍ଦାପନା କରନ୍ତି । ଜଗମୋହନଠାରେ ମଧ୍ୟ ସେହିପରି ନୀତି ହୁଏ । ପ୍ରଭୁ ଜଗନ୍ନାଥ ରଥରୁ ଚାର ଉପରକୁ ଓହ୍ଲାଇଲେ ଲକ୍ଷ୍ମୀଠାକୁରାଣୀ ମହାଜନ ହାତରେ ବିଜେ ହୋଇ ଭେଟ ମଣ୍ଡପଠାରେ ଖଟଶେଯ ମେକାପ ପକାଇଥିବା ଡମ୍ବରୁ ଉପରେ ବିଜେ କରିଥାଆନ୍ତି । ରଥରେ ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ହେଲେ ଦେବୀ ଲକ୍ଷ୍ମୀଙ୍କ ବନ୍ଦାପନା ଭିତରଚ୍ଛ ମହାପାତ୍ର କରନ୍ତି । ତା'ପରେ ଦେବୀ ଭଣ୍ଡାର ଘରକୁ ବିଜେ କରନ୍ତି । ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିବା ପୂର୍ବରୁ ଦରଜା ବନ୍ଦ କରାଯାଏ ଓ ସେ ସିଂହଦ୍ୱାରକୁ ଆସିଲେ, ତାହା ଫିଟାଇ ଦିଆଯାଏ । ଦେବୀଙ୍କ ସହିତ ଆସିବା ଓ ସିଂହଦ୍ୱାର ବନ୍ଦ କାର୍ଯ୍ୟ ପୂର୍ବେ ଦେବଦାସୀ କରୁଥିଲେ । ଦେବଦାସୀ ସେବା ଏବେ ଆଉ ପ୍ରଚଳନ ହେଉନାହିଁ । ଶ୍ରୀଜଗନ୍ନାଥ ଭିତରକୁ ବିଜେ ବେଳେ ଜୟବିଜୟ ଦ୍ୱାର ବନ୍ଦ ଥାଏ । ଦଇତା ଓ ଭିତରପଟେ ଦେବଦାସୀ ମଧ୍ୟରେ ବଚନିକା ହୁଏ । ତା'ପରେ ଉକ୍ତ ଦ୍ୱାର ଖୋଲାଯାଇ ଠାକୁର ଭଣ୍ଡାରକୁ ମୁହଁକରି ଭଣ୍ଡାର ଦ୍ୱାରଠାରେ ବିଜେ କରିଥିବା ଦେବୀ ଲକ୍ଷ୍ମୀଙ୍କ ପାଶରେ ବିଜେ ହେଲେ ରୁକ୍ମିଣୀ ବିବାହକାଳୀନ ଗଇଁଠାଳ ଭିତରଚ୍ଛ ଫିଟାଇ ଦିଅନ୍ତି । ବନ୍ଦାପନା ଓ ଭୋଗ, ରସଗୋଲା ଭୋଗ ହୁଏ । ଘସା ବିଡ଼ିଆ ମଣୋହି ପରେ ଠାକୁର ସିଂହାସନକୁ ବିଜେ କରନ୍ତି ।

ରଥଯାତ୍ରା କାଳ ଏହିପରି ପରିସମାପ୍ତ ହୁଏ । ପରବର୍ତ୍ତୀ ଦିନଠାରୁ ସାଧାରଣ ଦୈନନ୍ଦିନ ନୀତି ହୁଏ ।

(୧୯୯୩ ମସିହାରେ ଭିତରଗାଆଣୀ ଦେବଦାସୀ କୋକିଳପ୍ରଭାଙ୍କ ଦେହାନ୍ତ ପରେ ନୀଳାଦ୍ରି ବିଜେ ଦିନ ଦେବଦାସୀ ସେବା ଏବେ ହେଉ ନାହିଁ । ସିଂହଦ୍ୱାର ଓ ଜୟବିଜୟ ଦ୍ୱାର, ସଂପୃକ୍ତ ପ୍ରତିହାରୀ ଓ ଗୋଛିକାର ସେବକ ଆବଶ୍ୟକତା ଅନୁଯାୟୀ ବନ୍ଦ କରନ୍ତି ଓ ଖୋଲନ୍ତି । ଜୟ ବିଜୟ ଦ୍ୱାରଠାରେ କେବଳ ଶ୍ରୀଜଗନ୍ନାଥଙ୍କ ତରଫରୁ ମହାପ୍ରଭୁଙ୍କର ଜଣେ ବାଡ଼ଗ୍ରାହୀ ଦଇତା ସେବକ ସଂସ୍କୃତ ଭାଷାରେ ବଚନିକା ବୋଲନ୍ତି ।)

୧୨୬ । ଶ୍ରୀଜଗନ୍ନାଥ