ପୃଷ୍ଠା:ShreeJagannath.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଓ ସପ୍ତ ପୁରି ଅମାବାସ୍ୟା
ଚତୁର୍ଦ୍ଦଶୀ ଦିନ ସାତପୁରି ଘେନାଣ ନିମନ୍ତେ ଦ୍ବିପ୍ରହର ଧୂପ ପରେ କୁମ୍ଭାରପଡ଼ା ଆଲମଚଣ୍ଡୀ ଠାକୁରାଣୀଙ୍କଠାରୁ ସାତପୁର ତାଡ଼ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ଆସେ । ବେଢ଼ା ଏକ ଥର ବୁଲାଯିବା ପରେ ତାଡ଼ ରୋଷ ବେହରଣଠାରେ ରଖାଯାଏ । ସଂଧ୍ୟାଧୂପ ପରେ ଜଣେ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ଦକ୍ଷିଣକାଳୀ ମନ୍ଦିରକୁ ଯାଆନ୍ତି । ଦକ୍ଷିଣକାଳୀଙ୍କ ସେବକ ତାଙ୍କଠାରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିର ଆସି ସିଂହଦ୍ବାର ଦେଇ ରୋଷଦ୍ବାର ବାହାର ପାଶେ ଆଜ୍ଞାମାଳ ରୋଷଆଡ଼େ ଦେବେ । ଏହା ପରେ ଅନ୍ୟାନ୍ୟ ନୀତି ହେବ । ଭାଦ୍ରବ ଅମାବାସ୍ୟା ଦିନ ଅବକାଶ ପରେ ତିନି ବାଡ଼ରେ ବେଶ ହୋଇ ୬ ମୃଉଁ ଅଳର ଲାଗି କରାଯାଏ ଓ ତା’ ପରେ ଗୋପାଳବଲ୍ଲଭ ଭୋଗ ହୁଏ । ଏହା ପରେ ପାଣିପଡ଼ି ଟେରା ବନ୍ଧାଯାଇ ସକାଳ ଧୂପ ସହ ସାତପୁରି ଭୋଗ ତାଟ ରୋଷରୁ ଘଣ୍ଟ, ଛତା, କାହାଳୀ ସହ ହାତପୈଠ ହୋଇ ଆସିବ । ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ମଣୋହି କରନ୍ତି । ଆଳତି ପରେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ପରେ ପାଣି ପଡ଼ିବା ପରେ ଅମାବାସ୍ୟା ନାରାୟଣ ମୂର୍ତ୍ତି ଆଜ୍ଞାମାଳ ପାଇ ସାଗର ବିଜେ କରନ୍ତି ।
ଭାଦ୍ରବ ଶୁକ୍ଳ ଚତୁର୍ଥୀ (ଗଣେଶ ପୂଜା)
ସଂଧ୍ୟା ଧୂପ ଶେଷ ପରେ ବଟ ଗଣେଶ, ତଳିଚ୍ଛ ମହାପାତ୍ର ଓ ଭିତରଚ୍ଛ ମହାପାତ୍ରଙ୍କ ଗଣେଶରେ ବନ୍ଦାପନା ଓ ଶୀତଳ ଭୋଗ ହୁଏ । ତା'ପରେ ସରସ୍ବତୀ ମନ୍ଦିରରେ ଭୁବନେଶ୍ବରୀଙ୍କ ପାଖରେ ଶୀତଳ ଭୋଗ ବନ୍ଦାପନା ହୁଏ ଓ ଭଦ୍ରାସନ ଉପରେ ବେହରଣ କରଣମାନଙ୍କ ମାଦଳାପାଞ୍ଜି ରଖାଯାଇ ପତନି ଓ ମାଳା ଲାଗି ହୋଇ ଶୀତଳ ଭୋଗ ବନ୍ଦାପନା ହୁଏ । ତା’ପରେ ୨୨ଟି ନଡ଼ିଆ ଉକ୍ତ କରଣମାନେ ଭାଙ୍ଗନ୍ତି ।
ଭାଦ୍ରବ ଶୁକ୍ଳ ପଞ୍ଚମୀ (ଋଷି ପଞ୍ଚମୀ)
ସକାଳ ଧୂପ ପରେ ଲକ୍ଷ୍ମୀ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତ ପାହାଚଠାରେ ରଖାଯାଇଥିବା ପାଲିରେ ମାର୍କଣ୍ଡେଶ୍ବର ଠାକୁ ବିଜେ କରିବେ । ସେଠାରେ ଭିତର ଗମ୍ଭୀରାରେ ମାଜଣା, ବନକ ଲାଗି ହୋଇ, ଏହାଙ୍କ ସାମନାରେ ପୂଜାପଣ୍ଡା ଋଷି ପଞ୍ଚମୀ ବ୍ରତ କଥା ବ୍ୟାଖ୍ୟାନ କଲା ପରେ ଶୀତଳ ଭୋଗ ବନ୍ଦାପନା ହୋଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ ।
ଭାଦ୍ରବ ଶୁକ୍ଳ ଅଷ୍ଟମୀ (ରାଧାଷ୍ଟମୀ)
ସକାଳ ଧୂପ ଶେଷ ପରେ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତ ପାହାଚରେ ଥିବା ପାଲିରେ ଯାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରିବେ ।

୧୩୪ ଶ୍ରୀଜଗନ୍ନାଥ