ପୃଷ୍ଠା:ShreeJagannath.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମାର୍ଗଶିର ପୂର୍ଣ୍ଣିମା (ପଣ୍ଡୁ ପୂର୍ଣ୍ଣିମା)
ସକାଳ ଧୂପ ପରେ ପୁଷ୍ପାଳକମାନେ ସିଂହାସନରେ ଦିଅଁଙ୍କୁ ମଇଲମ କରନ୍ତି ଓ ଖଣ୍ଡ ଆଜ୍ଞା ମାଳ ଲାଗି କରାନ୍ତି । ଦକ୍ଷିଣ ଘର ଭୋଗ ଶେଷ ପରେ ମହାଜନ ଦକ୍ଷିଣଘରୁ ନୃସିଂହ ଠାକୁରଙ୍କୁ ସିଂହାସନକୁ ବିଜେ କରାନ୍ତି । ଏହି ଠାକୁରଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସେ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ ହୁଅନ୍ତି । ବିମାନବତୁମାନେ ବିମାନକୁ ଚାରି ଆଶ୍ରମରେ ଭ୍ରମଣ କରାଇ ବଡ଼ ଦେଉଳକୁ ଆଣନ୍ତି । ମହାଜନମାନେ ରୁନ୍ଧା ଫିଟାଇ ନୃସିଂହଙ୍କୁ ଦକ୍ଷିଣ ଘରକୁ ବିଜେ କରାନ୍ତି ।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି (ପହିଲି ଭୋଗ)
ଏହି ମାସକପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ପରମ୍ପରାନୁସାରେ ନୀତି ପାଳନ ନିମନ୍ତେ ସ୍ବତନ୍ତ୍ର ନିର୍ଘଣ୍ଟ ପ୍ରସ୍ତୁତ କରାଯାଏ । ପ୍ରତ୍ୟେକ ନୀତି ପାଇଁ ସମୟ ଧାର୍ଯ୍ୟ କରାଯାଇଥାଏ । ନୀତିମାନ ହେଲା- ଦ୍ୱାରଫିଟା (ରାତ୍ର ୨ ଟା୩୦), ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ, ପହିଲି ଭୋଗ, ସକାଳ ଧୂପ, ସାହାଣମେଲା, ମଇଲମ ଓ ବେଶ, ଭୋଗମଣ୍ଡପ ଭୋଗ, ମଧ୍ୟାହ୍ନ ଧୂପ (ଆବଶ୍ୟକ ହେଲେ ପୁଣି ଭୋଗମଣ୍ଡପ ଭୋଗ ବା ପଛ ଭୋଗମଣ୍ଡପ), ମଇଲମ ଓ ବେଶ, ଦିବା ପହୁଡ଼, ଦ୍ୱାରଫିଟା, ସନ୍ଧ୍ୟା ଆଳତି, ମଇଲମ, ବେଶ, ସନ୍ଧ୍ୟାଧୂପ, ସାହାଣମେଲା, ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ ସିଂହାର ଭୋଗ, ରାତ୍ର ପହୁଡ଼ ।
ବଲ୍ଲଭ ସହିତ ପହିଲି ଭୋଗ ହୁଏ । ପହିଲି ଭୋଗର ତାଲିକା (୧୯୯୭ ମସିହାରେ ସଂଗୃହୀତ): ଦରସୁଆ ବଡ଼ି (ବଡ଼ବଡ଼ି) ୧ପଣ (୨୦ଗଣ୍ଡା), ଛତୁ (ଲିଆଗୁଣ୍ଡ, ଘିଅ, ଚିନି, ଅଳେଇଚ, ଲବଙ୍ଗ ମିଶ୍ରିତ) ୧୦ଗଣ୍ଡା, ଚୁଡ଼ାପୁଆଁ (ଚୁଡ଼ାକୁ ଘିଅରେ ଭାଜି, ନଡ଼ିଆ ପକାଇ) ୧ ସରା ଓ ୫ ଓଳି, ବଡ଼ଝିଲି ୧୦ଗଣ୍ଡା, ସାନଝିଲି ୧ଠଗଣ୍ଡା, କାକରା ୧୦ଗଣ୍ଡା, ନଳୀ (ନଳୀ ଆକୃତିର କାକରା) ୮ ଗଣ୍ଡା, ଟିକିଲି (ଟିପ ପରି କାକରା) ୧ ପଣ ଓ ୨ଗଣ୍ଡା, କଣ୍ଢେଇ (ଅତି ଟିକି କାକରା) ୧ ପଣ ୨ ଗଣ୍ଡା, ଆରିସା ୫ଗଣ୍ଡା, ଝଡ଼େଇଲଦା ୧୪ ଗୁଳା, ମୁଗେଇ (ମୁଗ ସିଝାଯାଇ ମସଲା, ନଡ଼ିଆ ପଡ଼ି ଘିଅରେ ଭଜା ହୁଏ) ୧୫ଗଣ୍ଡା, ବୟ ବଡ଼ି ୧ତାଡ଼ (୪୦୦ଟି) । ପହିଲି ଭୋଗ ମାସରେ ଏଗୁଡ଼ିକ ବଲ୍ଲଭ ସହିତ ଲାଗେ । ଏହା ବ୍ୟତୀତ, ଏହି ମାସରେ ସକାଳଧୂପ ସହିତ ଲାଗେ- ସାନବଡ଼ି ୩୦୦ଟି, ଗଜାବଡ଼ି ୫ଓଳି, ଖୁରୁମା ୫ଓଳି, ଗଇଁଠା ୪୮ଟି, ମଣ୍ଡା ୪୮ଟି, ଏଣ୍ଡୁରି ୨ଟି, ସାନ ଅମାଲୁ ୧ପଣ ଓ ୨ଟି ମାଣ୍ଡି (୨ ସରା), ବିରିବଡ଼ା ୧ବଡ଼ ଓ ୪ ଗଣ୍ଡା ସାନ, ଲଡୁ (ଚାଉଳ ଚୂନାରେ ତିଆରି) ୫ଓଳି । ଧନୁଠାରୁ ମକର ସଂକ୍ରାନ୍ତି ଯାଏଁ ମଙ୍ଗଳ ଆଳତି ବଢ଼ିବାପରେ ପହିଲି ଭୋଗ ସକାଶେ ରୋଷଘରେ ହୋମ ହୁଏ । ଏହି ଧନୁ ମାସରେ ଧନୁମୁଆଁ ଭୋଗ ହୁଏ । ମକର ସଂକ୍ରାନ୍ତିରେ ମକରଚାଉଳ ଭୋଗ ହୁଏ ।

୧୪୪ ଶ୍ରୀଜଗନ୍ନାଥ