ପୃଷ୍ଠା:ShreeJagannath.pdf/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବକୁଳ ଅମାବାସ୍ୟା (ପୌଷ ଅମାବାସ୍ୟା)
ଏ ଦିନ ଅବକାଶ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଆଜ୍ଞାମାଳ ଲାଗି ହୋଇଥାଏ । ସକାଳ ଧୂପ ଉଠିବା ସମୟରେ ରୋଷଘରୁ ‘ବଉଳ-ଗଇଁଠା’ ତାଟ ଛାମୁକୁ ଆସେ । ମୁଦିରସ୍ତ ପ୍ରସାଦ ଲାଗି କଲାପରେ ସକାଳଧୂପ ପୂଜା ହୁଏ । ଭୋଗ ଆଳତି ପରେ ପଣ୍ଡା, ପତି ଓ ମୁଦିରସ୍ତ ବନ୍ଦାପନା କରନ୍ତି । ତା'ପରେ ତାଟ ମହାପ୍ରସାଦ ବାହାର କରାଯାଏ । ପାଣି ପଡ଼ିବା ପରେ ନାରାୟଣ ସିଂହାସନକୁ ବିଜେ କରାଯାଏ । ଆଜ୍ଞା ମାଳ ପାଇବା ପରେ ପାଲିଙ୍କିରେ ସାଗର ବିଜେ କରାଯାଏ ।
ପୁଷ୍ୟାଭିଷେକ (ପୌଷପୂର୍ଣ୍ଣିମା)
ଏହି ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଉଥିଲେ ମଧ୍ୟ ଏହି ଉତ୍ସବର ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପରେ ଦେଉଳ ପୁରୋହିତଙ୍କ ଦ୍ବାରା ସମାହିତ ହୋଇଥାଏ ।
ପୌଷପୂର୍ଣ୍ଣିମା ପୂର୍ବଦିନ (ଚତୁର୍ଦ୍ଦଶୀ ଦିନ) ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ । ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ଏକ ହାଣ୍ଡି ଘିଅ ଓ ରୋଷକୃପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖିମାନଙ୍କରେ ରଖାଯାଇଥାଏ । ଘିଅକୁ ଏକୋଇଶ ଗରାରେ ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆତଳେ ରଖାଯାଏ । ଏହି ଗରାମାନଙ୍କୁ ଦେଉଳ ପୁରୋହିତ ମେଡ଼ି ପତନି ଘୋଡ଼ାଇ, ଫୁଲ ଚନ୍ଦନ ଦେଇ ଅଧିବାସ କରନ୍ତି । ପରେ ଭୋଗମଣ୍ଡପ ଦ୍ୱାର ବନ୍ଦହୋଇ ତଡ଼ପକରଣ ମୁଦ ଦିଅନ୍ତି । ପରେ ପରେ ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମନ୍ତ୍ରପୂତ ପୃଷ୍ଠ ଓ ଚନ୍ଦନାଦି ଦ୍ବାରା ଅଧିବାସ ହୁଏ । ଭଦ୍ରାସନର ଚାରିପାଖେ ଚିକିଟାମାଟିରେ ବନ୍ଦ କରାଯାଇଥାଏ । ଏହାପରେ ପଇଡ଼ ବିଡ଼ିଆ ମଣୋହି ହୋଇ ପହୁଡ଼ ହୁଏ । ଏକାଦଶୀ ଦିନ ଦେଉଳ ପୁରୋହିତ ସ୍ନାନବେଦୀ ପାଖରେ ଅଙ୍କୁରାରୋପଣ ପୂଜା କରିଥିବେ ।
ଶ୍ରୀମନ୍ଦିର ଭିତରବେଡ଼ାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠସୁଆଁସିଆଙ୍କଦ୍ବାରା ଏକ ଯଜ୍ଞଶାଳା ନିର୍ମିତ ହୋଇଥାଏ । ପୂର୍ଣ୍ଣିମା ଦିନ ସକାଳଧୂପ ପୂଜା ବସିଥିବା ବେଳେ ଏଠାରେ ହୋମ କରାଯାଏ । ଭିତରେ ସକାଳଧୂପ ଶେଷ ପରେ ପାଣିପଡ଼ିବା ପରେ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମୈଲମ ହୋଇ ତଡ଼ପ ଉତ୍ତରୀ ଲାଗି କରାଯାଏ । ପରେ ମହାସ୍ନାନ ପୂଜା ଠା' ହୁଏ । ଗତଦିନରେ ଅଧିବାସ ହୋଇଥିବା ଭୋଗମଣ୍ଡପ ଘରର ମୁଦ ଖୋଲାଯାଇ ରୋଷଘରୁ ନିଆଁ ଅଣାଯାଏ ଓ ସେଥିରେ ଘିଅକୁ ତରଳାଯାଇ କୁମ୍ଭମାନଙ୍କରେ ଥିବା ପାଣିରେ ମିଶାଯାଏ । ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ଗରାବଡୁମାନେ ବାଘମୁହଁ ବାନ୍ଧି, ଘଣ୍ଟା ଛତା କାହାଳୀ ସହ ତଳିଛି ପ୍ରଧାନୀ ପଟୁଆରରେ ଆସି ଚାରି ଥରରେ

ଶ୍ରୀଜଗନ୍ନାଥ ୧୪୫