ପୃଷ୍ଠା:ShreeJagannath.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରେ ବେଶ ଶେଷ ହୁଏ । ଧୋପଖାଳ ପରେ ଦ୍ବିପ୍ରହର ଧୂପ ସହିତ ଯାତ୍ରାଙ୍ଗୀ ଭୋଗ ରୋଷଘରୁ ଘଣ୍ଟ, ଛତା କାହାଳୀ ସହ ସେବକଙ୍କ ପଟୁଆରରେ ଆସେ । ଷୋଡ଼ଶ ଉପଚାରରେ ମଣୋହି ବଢ଼େ । ଟେରା ପଡ଼ିବା ପରେ ଏକ ଓଳି ଅନ୍ନ ବାହାରକୁ ଆସି ମନ୍ଦିର ଚାରି ପାଖରେ ଦିଗବଳି ପ୍ରଦାନ ହୁଏ । ଏହି ଭୋଗ ଶେଷ ହୋଇ ଆଳତି ବଢ଼ି, ଧୋପଖାଳ ହୋଇ ଟେରାବନ୍ଧା ଗଲା ପରେ ଅଧିବାସ ହୋଇଥିବା ମକରଚାଉଳ ଆଣିବାପାଇଁ ଭୋଗମଣ୍ଡପ ଘରକୁ ଭୋଗ ଡ଼କାଯାଏ ।
ଭୋଗ ଡାକିଯିବା ବେଳକୁ ସୁଧ ସୁଆରମାନେ ପୂର୍ବରୁ ଗୋଦମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସର ନେଇଥାନ୍ତି । ପର୍ବଯାତ୍ରା ଯୋଗାଣିଆଠାରୁ ହାଣ୍ଡି କୁଡୁଆମାନ ନେଇଥା'ନ୍ତି । ସେମାନେ ପନ୍ତି ବର୍ତ୍ତମାନଙ୍କଠାରୁ ତିନିଗୋଟି ରୂପାଥାଳି ନେଇଥା'ନ୍ତି । ସେଥିରେ ଉକ୍ତ ଚାଉଳକୁ ମୁର୍ତ୍ତମୂଳ କରି ରଖିଥାନ୍ତି । ତାହା ପନ୍ତିବଡ଼ୁମାନେ ବାଘମୁହଁ ବାନ୍ଧି ଘଣ୍ଟ, ଛତା, କାହାଳୀ ସହିତ ତଳିଛ ପଟୁଆର କରି ବଡ଼ଦେଉଳକୁ ତିନିବେଢ଼ା ବୁଲି ଭିତରେ ପରିରେ ବାଢଛି । ଏହା ପରେ ରୋଷଘରୁ ମକରଚୌରାଶୀ ଭୋଗ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଛାମୁକୁ ଆସେ । ପରେ ମହାଭୋଇମାନେ ବାଘମୁହଁ ବାନ୍ଧି, ଘଣ୍ଟା, ଛତା କାହାଳୀ ସହ ନିର୍ଦ୍ଦିଷ୍ଟ ସେବକଙ୍କ ସହ ପଟୁଆରରେ ଆସି ଦୁଧଘରଠାରୁ ସେମାନେ ଆଣିଥିବା ଦହି ଜୟବିଜୟ ଦ୍ୱାରଠାରେ ଲଣ୍ଡାବରେ ଦରଶୁଆ କରାଇ, ବଡ଼ଦେଉଳକୁ ଗୋଟିଏ ବେଢ଼ା ବୁଲି ଦହି ମହାସୁଆରଙ୍କ ଜିମା ଦିଅନ୍ତି । ସେ ଛାମୁରେ ବାଢ଼ନ୍ତି । ହଡ଼ପ ନାୟକମାନେ ସେହିପରି ହଡ଼ପଘରଠାରୁ ବାଘମୁହଁ ବାନ୍ଧି ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡ଼ ଦେଉଳକୁ ବେଢ଼ାଏ ବୁଲି ନଳିପାନ ଓ ଛାଚିପାନ ଭୋଗରେ ବାଢ଼ିବା ପାଇଁ ମହାସୁଆରଙ୍କୁ ଦିଅନ୍ତି । ଏହା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ଏ ଭୋଗ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ମଣୋହି କରନ୍ତି । ପରେ ଟେରା ଫିଟି ମହାପ୍ରସାଦ ଭିତରେ ଥାଇ ପଣ୍ଡା, ପତି, ମୁଦିରସ୍ତ ବନ୍ଦାପନା କରନ୍ତି ।
ପଦ୍ମବେଶ : ବେଶ ଅଧ୍ୟାୟ ଦ୍ରଷ୍ଟବ୍ୟ ।
ବସନ୍ତ ପଞ୍ଚମୀ (ମାଘ ଶୁକ୍ଳ ପଞ୍ଚମୀ)
ମଧ୍ୟାହ୍ନ ଧୂପ ପରେ ମଇଲମ ପରେ ମାଧବାଳି ଲୁଗା ଲାଗି ହୁଏ । ତିନିଗୋଟି ରୁପା ପିଙ୍ଗଣରେ ନିର୍ଦ୍ଦିଷ୍ଟ ସେବକମାନଙ୍କ ଦ୍ବାରା ଚନ୍ଦନବିଜେ ହୋଇ ଚନ୍ଦନଲାଗି କରାଯାଏ । ଦକ୍ଷିଣ ଘରେ ପଡ଼ିଥିବା ଖଟ ଉପରେ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଏବଂ ଦୋଳଗୋବିନ୍ଦ ଠାକୁରଙ୍କୁ ଉକ୍ତ ଖଟ ଉପରେ ବିଜେ କରାଯାଏ । ଭିତରର ବେଶ ବଢ଼ିବା ବେଳକୁ ଏହି ତିନି ଦିଅଁଙ୍କର ଚାଚେରୀ ବେଶ, ମାଣ୍ତୁଆ ଭୋଗ, ସର୍ପମଣୋହି ଓ ଦକ୍ଷିଣ ଘର ଭୋଗ ଶେଷ ହୋଇଯାଇଥାଏ । ଭିତରେ ପାଣି ପଡ଼ି ରୋଷ ଘରକୁ ଚାଚେରୀ ଭୋଗ ଡାକରା ଯାଏ । ଭୋଗ ଛାମୁକୁ ଆସିଲେ ଦୁଇ ଦେବୀ ଓ ଦୋଳଗୋବିନ୍ଦ ଭିତରେ ସିଂହାସନକୁ ବିଜେ କରନ୍ତି । ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ କରନ୍ତି । ଭୋଗ ସରି ଧୋପଖାଳ

ଶ୍ରୀଜଗନ୍ନାଥ ୧୪୭