ପୃଷ୍ଠା:ShreeJagannath.pdf/୧୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରେ ପୂଜାପଣ୍ଡା ପଞ୍ଚ ଉପଚାରରେ ଭୋଗ କରନ୍ତି । ଧୋପଖାଳ ହେବା ପରେ ପଣ୍ଡା, ପତି, ମୁଦିରସ୍ତ ପରମ୍ପରା ଅନୁସାରେ ଚନ୍ଦନ ଫଗୁ ବିଜେ କରାଇ ଆଣି ତିନିବାଡ଼ରେ ଶ୍ରୀଅଙ୍ଗରେ ଲାଗି କରାନ୍ତି ଓ ବନ୍ଦାପନା କରନ୍ତି । ମୁଦିରସ୍ତ ସିଂହାସନ ତଳେ ଝିମିରି ଫଗୁ ଅଞ୍ଜଳି କରନ୍ତି ଓ ଶ୍ରୀଅଙ୍ଗରେ ଫଗୁମୁଣି ଲାଗି କରନ୍ତି । ଚାମର ଆଲଟ କରନ୍ତି । ପୂଜାପଣ୍ଡା ଆଜ୍ଞା ମାଳ ଦେଲା ପରେ ମହାଜନମାନେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ହାତରେ ବିଜେ କରାଇନେଇ ଜୟବିଜୟ ଦ୍ୱାର ଓ ମୁକ୍ତିମଣ୍ଡପ ଦେଇ ଲକ୍ଷ୍ମୀଙ୍କ ମନ୍ଦିରଠାରେ ପଲଙ୍କରେ ବିଜେ କରାନ୍ତି । ଏଠାରେ ଫଗୁ ଖେଳ ହୁଏ । ପରେ ପ୍ରସାଦ ଲାଗି ଓ ବନ୍ଦାପନା ହୁଏ । ପରେ ଲକ୍ଷ୍ମୀମନ୍ଦିରଠାରେ ଥିବା ବିମାନରେ ତିନିଦିଅଁ ବିଜେକରି ଦୋଳବେଦୀଠାରେ ଥିବା ଅଗ୍ନିଉତ୍ସବ ଘରକୁ ବିଜେ କରନ୍ତି । ସେଠାରେ ପୂଜାପଣ୍ଡା ହୋମ କରନ୍ତି । ହୋମ ପରେ ପ୍ରସାଦ ଲାଗି, ଶୀତଳ ଭୋଗ ମଣୋହି ହୋଇ ଚାମର ଆଲଟ ହୁଏ । ଅଗ୍ନିଘରେ ନିଆଁ ଲଗାଯାଏ । ବିମାନ ଅଗ୍ନିଘର ଚାରିପଟେ ସାତଘେରା ବୁଲେ । ବାହୁଡ଼ା ବିଜେ ପୂର୍ବଦିନମାନଙ୍କ ପରି ହୁଏ । ଏହା ପରେ ଭିତରେ ବଡ଼ସିଂହାର ଭୋଗ ହୋଇ ଅନ୍ୟାନ୍ୟ ନୀତି ହୁଏ ।
ଦୋଳପୂର୍ଣ୍ଣିମା
ପୂର୍ଣ୍ଣିମା ଦିନ ଅବକାଶ ଓ ମୈଲମ ପରେ ପୁଷ୍ପାଳକମାନେ ଚନ୍ଦନଲାଗି, ନୂଆ ବୋଇରାଣୀ ଶାଢ଼ି ଖଣ୍ଡୁଆ ଲାଗି, ତ୍ରିମୁଣ୍ଡରେ ଗଭାଲାଗି କରନ୍ତି । ଏହା ପୂର୍ବରୁ ରୋଷହୋମ, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ସରିଥାଏ । ଖଇକୋରା ଭୋଗ ଛାମୁକୁ ଆସିବା ପରେ ମହାଜନ ଦୋଳଗୋବିନ୍ଦଙ୍କୁ ସିଂହାସନକୁ ବିଜେ କରାନ୍ତି । ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ କରନ୍ତି । ଭୋଗ ପରେ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞା ମାଳ ଦିଅନ୍ତି । ଏହା ପରେ ମହାଜନେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ସିଂହାସନ ଚାରିପଟେ ସାତଘେରା ବୁଲାନ୍ତି । ତାପରେ ସେମାନେ ଦିଅଁ ତିନି ଜଣଙ୍କୁ ନାଭିକଟା ମଣ୍ଡପରେ ଖଟରେ ବିଜେ କରାନ୍ତି । ଏଠାରେ ନିର୍ଦ୍ଦିଷ୍ଟ ସେବକମାନଙ୍କଦ୍ୱାରା ମହାସ୍ନାନ, ମାଜଣା, ବନକଲାଗି, ପାଟଯୋଡ଼ ଶାଢ଼ି ଲାଗି ହୋଇ ବେଶ ବଢେ । ତା’ପରେ ଶୀତଳ ଭୋଗ ଛେକ ଆସେ । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରନ୍ତି । ବନ୍ଦାପନା ହୁଏ । ମହାଜନେ ତିନିଦିଅଁଙ୍କୁ ସାତପାହାଚ ଦ୍ବାରଠାରେ ଥିବା ବିମାନରେ ବିଜେ କରାନ୍ତି । ବିମାନବନ୍ତୁମାନେ ବିମାନ କାନ୍ଧେଇ, ଘଣ୍ଟ ଛତା କାହାଳୀ ସହ ବଡ଼ଦେଉଳକୁ ସାତଘେରା ବୁଲି ଦୋଳବେଦୀକୁ ଯାନ୍ତି । ବେଦୀ ଚାରିପଟେ ସାତଘେରା ବୁଲନ୍ତି । ତା'ପରେ ମହାଜନେ ଦିଅଁମାନଙ୍କୁ ସାତଘେରା ବେଦୀ ଉପରେ ଚାରିପଟେ ବୁଲାନ୍ତି ଓ ବନ୍ଧା ହୋଇଥିବା ଦୋଳିର ଚାରିପଟେ ସାତଘେରା ବୁଲାଇ ଦୋଳିରେ ବିଜେ କରାନ୍ତି । ଏହା ପରେ ଦୋଳବେଦୀରେ ସର୍ବସାଧାରଣପାଇଁ ଦର୍ଶନ ବ୍ୟବସ୍ଥା ହୁଏ । ତା' ପରେ ପାଣିପଡ଼ି ଧୋପଖାଳ ହୁଏ । ଏଠାରେ ଘଣ୍ଟ, ଛତା ଓ କାହାଳୀ, ତଳିଛ ପଟୁଆର ହୋଇ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାଧୂପ ଷୋଡ଼ଶ ଉପଚାରରେ ପୂଜା ହୁଏ । ଏହା ପରେ ବାହୁଡ଼ାବଜେ ସକାଶେ ଦିଅମାନେ ଦୋଳିରୁ ଓହ୍ଲାନ୍ତ ।

୧୫୦ ଶ୍ରୀଜଗନ୍ନାଥ