ପୃଷ୍ଠା:ShreeJagannath.pdf/୧୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରଖନ୍ତି । ଏହାପରେ ପାଣିପଡ଼ି, ଶୀତଳ ଭୋଗ ବଢ଼ାଯାଇ ପଞ୍ଚ ଉପଚାରରେ ମଣୋହି ହୁଏ । ଭୋଗମଣ୍ଡପ ଘର ଦ୍ୱାରମାନଙ୍କୁ ତଡ଼ଉକରଣ ମୁଦ ଦିଅନ୍ତି । ଏହାପରେ ଭିତର ବଡସିଂହାର ଭୋଗ ହୁଏ ଓ ପହୁଡ଼ ଆଳତି ହୁଏ ।

ଦମନକ ଚତୁର୍ଦ୍ଦଶୀ (ଦୟଣା ଲାଗି)

ଚୈତ୍ର ଶୁକ୍ଲ ଚତୁର୍ଦ୍ଦଶୀ ଦିନ ସକାଳ ଧୂପ ସରି ମହାସ୍ନାନ ହେବା ପରେ ପଣ୍ଡା, ପତି ଓ ମୁଦିରସ୍ତ ଚନ୍ଦନ ବିଜେ କରାଇଆଣି ସିଂହାସନ ଉପରକୁ ଉଠି ସର୍ବାଙ୍ଗ ଲାଗି କରନ୍ତି । ନୂଆ ଲୁଗା ଲାଗି, ବେଶ, ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଏ । ପରେ ପଣ୍ଡା, ପତି ଓ ମୁଦିରସ୍ତ ଅଧିବାସ ହୋଇିବା ଭୋଗମଣ୍ଡପକୁ ଯା'ନ୍ତି । ତିନି ବାଡ଼ର ପୁଷ୍ପାଳକ ତିନିବାଡ଼ର ଚାଙ୍ଗୁଡ଼ିକୁ ଧରନ୍ତି । ମହାଜନମାନେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ହାତରେ ବିଜେ କରାଇ ଘଣ୍ଟ, ଛତା ଓ କାହାଳୀ ସହିତ ତଳିଛ ପଟୁଆର ହୋଇ ବଡ଼ ଦେଉଳକୁ ତିନି ଘେରା ବୁଲି ଭିତର ସିଂହାସନରେ ବିଜେ କରାନ୍ତି । ଏହା ପରେ ଚାଙ୍ଗୁଡ଼ିରେ ଥିବା ଦୟଣାଗଛମାନ ଓ ଶ୍ରୀଅଙ୍ଗରେ ଲାଗି ହୋଇିବା ଦୟଣାଗଛମାନ ମଇଲମ କରାଯାଇ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଉକ୍ତ ୬ଟି ଗଛ ଲାଗି କରାଯାଏ । ଏ ଉତ୍ତାରେ ପ୍ରସାଦ ଲାଗି ପରେ ଦ୍ୱିପ୍ରହର ଧୂପ ହୁଏ । ବନ୍ଦାପନା ପରେ ଦୟଣାଗଛ ମଇଲମ କରାଯାଏ । ମଦନମୋହନ ଦକ୍ଷିଣ ଘରକୁ ବିଜେ କରନ୍ତି ।

ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି)

ସକାଳ ଧୂପ ଶେଷ ପରେ ହନୁମାନ ଠାକୁର ଆଜ୍ଞାମାଳ ପାଇଲା ପରେ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରନ୍ତି । ଚାରିଦ୍ୱାର ମହାବୀର ଓ ବାର ଭାଇ ମହାବୀରମାନଙ୍କୁ ଆଜ୍ଞାମାଳ ଦେବା ପରେ ବିମାନବଡ଼ୁମାନେ ଘଣ୍ଟ, ଛତା ଓ କାହାଳୀ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାନ୍ତି । ହନୁମାନ ବିମାନରେ ରହିଥିବା ଅବସ୍ଥାରେ ପୂଜାପଣ୍ଡା ଜଗନ୍ନାଥ ବଲ୍ଲଭ ମଠରେ ବିରାଜିତ ମହାବୀର (ହନୁମାନ)ମାନଙ୍କୁ ଆଜ୍ଞାମାଳ ଦିଅନ୍ତି ଓ ତା'ପରେ ଦରିଆ ମହାବୀରଙ୍କୁ ଦେବା ନିମନ୍ତେ ଯାଆନ୍ତି । ସେଠାରୁ ଫେରଲା ପରେ ମଠଠାରେ ଭୋଗ, ବନ୍ଦାପନା ହୁଏ । ତା'ପରେ ବାହୁଡ଼ାବିଜେ କରାଯାଏ ଓ ହନୁମାନ ଦକ୍ଷିଣଘରକୁ ଫେରନ୍ତି ।

ହନୁମାନ ଆଜ୍ଞାମାଳ ପାଇ ଯିବା ପରେ ଭୋଗମଣ୍ଡପ ଭୋଗ ଶେଷ ହୋଇ ମଇଲମ, ମହାସ୍ନାନ ଓ ନୂଆଲୁଗା ନୀତି ହୁଏ । ଚନ୍ଦନ ଲାଗି, ଛଅମୂର୍ତ୍ତିି ଅଳଙ୍କାର, ମାଳଫୁଲ ଓ କର୍ପୂର ଲାଗି ହୋଇ ବେଶ ହୋଇାଥାଏ । ଦ୍ୱିପ୍ରହର ଧୂପ ଭୋଗ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତା'ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଟେରା ପଡ଼ିବା ପରେ ଜଣେ ପୂଜାପଣ୍ଡା ବଳିଅନ୍ନ ନେଇ ମନ୍ଦିର ଚାରିପାଖେ ଦିଗବଳି କରି ଭିତରକୁ ଯାଇ ଭୋଗ ମଣୋହି କରନ୍ତି । ଏହା ପରେ ପାଣି ପଡ଼ିଲେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି ।

୧୫୪ ଶ୍ରୀଜଗନ୍ନାଥ