ପୃଷ୍ଠା:ShreeJagannath.pdf/୧୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅକ୍ଷୟତୃତୀୟା (ଚନ୍ଦନ ଯାତ୍ରାରମ୍ଭ)
ଅକ୍ଷୟତୃତୀୟା ଶ୍ରୀମନ୍ଦିରର ଏକ ପ୍ରଧାନ ପର୍ବ । ଏହି ଦିନ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ ଓ ବାହାର ଚନ୍ଦନ ଯାତ୍ରା (୨୧ ଦିନ) ହୋଇଥାଏ । ଅକ୍ଷୟ ତୃତୀୟା ଦିନର ନୀତିମାନ ହେଲା;
ଦ୍ୱାରଫିଟା, ମଙ୍ଗଳ ଆଳତି, ମଇଲମ, ଅବକାଶ, ବେଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ, ସକାଳ ଧୂପ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନ ବେଢ଼ା, ଖଇକୋରା ଭୋଗ, ଚନ୍ଦନ ଲାଗି, ବେଶ ଶେଷ, ଘଣ୍ଟ, ଛତା ଯାତ ଭୋଗ ଓ ମଧ୍ୟାହ୍ନ ଧୂପ, ବନ୍ଦାପନା, ବିମାନକୁ ଦିଅଁ ବିଜେ, ଭୋଗମଣ୍ଡପ ଭୋଗି, ଆଜ୍ଞାମାଳ ବିଜେ ଓ ବିମାନ ଉଠିବା, ସା ହାଣମେଲା, ମଇଲମ ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ, ମଇଲମ, ଆଲଟ ଲାଗି, ପଣାଭୋଗ, ଦିଅଁ ବାହୁଡ଼ା ବିଜେ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପହୁଡ଼ ।
ଅକ୍ଷୟତୃତୀୟା ଦିନ ସକାଳ ଧୂପ ଶେଷ ପରେ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହେବା ପରେ ପୂର୍ବଦିନ ଭୋଗ ମଣ୍ଡପ ଘରେ ଅଧିବାସ କରାଯାଇଥିବା ଚନ୍ଦନ ପିଙ୍ଗଣ ଓ ପରିଖମାନ ଘଣ୍ଟ, ଛତା ଓ କାହାଳୀ ସହ ସଂପୃକ୍ତ ସେବକମାନେ ବଡ଼ ଦେଉଳକୁ ତି ନିଘରା ବୁଲାଇ ଭିତର ସିଂହାସନ ଉପରେ ତିନିବାଡ଼ରେ ସଜାଇ ରଖାଯାଏ । ଧୋପଖାଳ ହୋଇ ଶୀତଳ ଭୋଗ ହୁଏ । ଏ ଭୋଗରେ ଟେରା ପଡ଼େ ନାହିଁ । ଭୋଗ ପରେ ଶ୍ରୀଜୀଉମାନଙ୍କୁ ଅଳକା, ଚଉସରା, ୬ ମୃଉଁ ସୁନା ଅଳଙ୍କାର ଲାଗି ହୋଇ ବେଶ ବଢ଼େ । ଏହା ପରେ ପାଣି ପଡ଼ି ଧୋପଖାଳ ହେବା ପରେ ମଧ୍ୟାହ୍ନ ଧୂପ ଯାତ ଭୋଗ ସହ, ଘଣ୍ଟ, ଛତା, କାହାଳୀ ସହ ତଳିଛ ପଟୁଆରରେ ଛାମୁକୁ ଆସେ । ମୁଦିରସ୍ତଙ୍କ ପ୍ରସାଦ ଲାଗି, ଦକ୍ଷିଣ ଘରେ ଚନ୍ଦନ ସର୍ବାଙ୍ଗ ହୋଇ ଭୋଗ ଶେଷ ପରେ ରାମ, କୃଷ୍ଣ ଓ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି । ଏହା ପରେ ମଧ୍ୟାହ୍ନ ଧୂପ ହୁଏ । ପାଣି ପଡ଼ିବା ପରେ ପଣ୍ଡା, ପତି ଓ ମୁଦିରସ୍ତ ବନ୍ଦାପନା କରନ୍ତି । ପୂଜାପଣ୍ଡା ଆଜ୍ଞା ମାଳ ଦେବା ପରେ ଝୁଲଣ ମଣ୍ଡପ ତଳେ ରହିଥିବା ପାଲିଙ୍କିରେ ରାମକୃଷ୍ଣ ଓ ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ବିଜେ କରାଯାଏ । ବିଜେ କାହାଳୀ ବାଜିଲା ପରେ ବିମାନବଡୁ ମାନେ ଘଣ୍ଟ ଛତା ଓ କାହାଳୀ ସହ ପାଲିଙ୍କି ଓ ମଣିବିମାନକୁ ନେଇ ନରେନ୍ଦ୍ର ଚକଡ଼ାକୁ ଯାତ୍ରା କରନ୍ତି । ବାଟରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସାମନାରେ ରଥ ଅନୁକୂଳ ନୀତି ସକାଶେ ଅଟକି ରହନ୍ତି । ଏହାଙ୍କ ସହିତ ପଞ୍ଚ ମହାଦେବ (ଯମେଶ୍ବର, ମାର୍କଣ୍ଡେୟ, ଲୋକନାଥ, କପାଳମୋଚନ ଓ ନୀଳକଣ୍ଠ) ଙ୍କର ବିଜେ ପ୍ରତିମାମାନ ସ୍ୱ ସ୍ୱ ବିମାନରେ ବିଜେ କରି ନରେନ୍ଦ୍ର ପୃଷ୍ପରିଣୀକୁ ଯାତ୍ରା କରନ୍ତି । ଏହି ପଞ୍ଚମହାଦେବଙ୍କୁ ପଞ୍ଚପାଣ୍ଡବ’ କୁହାଯାଏ । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସାମନାରେ ଦେଉଳ ପୁରୋହିତ ରଥ ଅନୁକୂଳ ହୋମ କରନ୍ତି । ହୋମ ପରେ ରଥ ମହାରଣାମାନଙ୍କର ଶାଢ଼ିବନ୍ଧା କାର୍ଯ୍ୟ ହୁଏ । ତିନୋଟି ରଥର କାଠଗଣ୍ଡିକୁ ପୂଜାପଣ୍ଡାମାନେ ଶ୍ରୀଜୀଉଙ୍କ ତିନୋଟି ଆଜ୍ଞାମାଳ ଦେବେ ।

ଶ୍ରୀଜଗନ୍ନାଥ ୧୫୫