ପୃଷ୍ଠା:ShreeJagannath.pdf/୧୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରୁଷୋତ୍ତମ କ୍ଷେତ୍ର ବା ପୁରୀରେ ଏକଦା ୭୫୨ଟି ମଠ ଥିଲା ବୋଲି ପ୍ରବାଦ ଅଛି । କିନ୍ତୁ ବର୍ତ୍ତମାନ ଏ ସବୁ ମଠର ଅସ୍ତିତ୍ୱ ନାହିଁ । ଯେଉଁ କେତୋଟି ରହିଛି, ସେମାନଙ୍କ ଭିତରୁ ଅଧିକାଂଶ ଜରାଜୀର୍ଣ୍ଣ ବା ଭଗ୍ନ । ଏଠାରେ ଏତେ ସଂଖ୍ୟକ ମଠ ସ୍ଥାପନର ମୂଳ ଉଦ୍ଦେଶ୍ୟ ଥିଲା- ଜଗନ୍ନାଥ ଧର୍ମ ଓ ଦର୍ଶନର ପ୍ରଚାର ଓ ପ୍ରସାର । ଜଗନ୍ନାଥ ଦର୍ଶନପାଇଁ ଆସୁଥିବା ସାଧୁ ସନ୍ନ୍ୟାସୀ, ପଣ୍ଡିତ ଓ ତୀର୍ଥ ଯାତ୍ରୀମାନଙ୍କୁ ଆଶ୍ରୟ ପ୍ରଦାନ ଓ ଗରିବ ତ‌ଥା ମେଧାବୀ ଛାତ୍ରମାନଙ୍କୁ ଆର୍ଥିକ ସାହାଯ୍ୟ ସାଙ୍ଗକୁ ସେମାନଙ୍କ ରହଣି ବ୍ୟବସ୍ଥା ଥିଲା ଏହାର ଅନ୍ୟତମ ଉଦ୍ଦେଶ୍ୟ । "ମଠର ଅର୍ଥ ଛାତ୍ରାବାସ । ଶିଷ୍ୟମାନେ ଯେଉଁଠି ରହି ଧର୍ମଶିକ୍ଷା ଓ ଧର୍ମଶାସ୍ତ୍ରାଲୋଚନା କରନ୍ତି ତାକୁ ମଠ କୁହାଯାଏ" ବୋଲି ପ୍ରାବନ୍ଧିକ ଜଗବନ୍ଧୁ ସିଂହ ଲେଖିଛନ୍ତି । ପୁରୀ ଜିଲ୍ଲା ଗେଜେଟିୟରରେ ପୁରୀର ମଠମାନଙ୍କ ସମ୍ପର୍କରେ ଉଲ୍ଲେଖ ଅଛି- "Maths are monastic houses originally founded with the object of giving religious instructions to chelas or disciples and generally encouraging a religious life x x x" (Puri District Gazetteer, 1929 )

ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହିନ୍ଦୁଧର୍ମର ବିଭିନ୍ନ ସଂପ୍ରଦାୟ ଓ ପନ୍ଥୀମାନଙ୍କର ମଠ ଏହି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ । ସେଗୁଡ଼ିକ ହେଲା- ଅଦ୍ୱୈତ ପନ୍ଥୀ, ରାମାନନ୍ଦୀ ପନ୍ଥୀ, ରାମାନୁଜ ପନ୍ଥୀ, ଅଙ୍ଗିରା ପନ୍ଥୀ, ଅତିବଡି ପନ୍ଥୀ, ଗୌଡ଼ୀୟ ପନ୍ଥୀ, ଗୌଡ଼ ମାଧବ ପନ୍ଥୀ, ପଞ୍ଚରାମାନନ୍ଦୀ ପନ୍ଥୀ, ନାନକ ପନ୍ଥୀ, ନିମ୍ବାର୍କ ପନ୍ଥୀ, କବୀର ପନ୍ଥୀ, ଅଘୋର ପନ୍ଥୀ, ମାଧବାଚାର୍ଯ୍ୟ ପନ୍ଥୀ, ଉତ୍କଳ-ବୈଷ୍ଣବ ପନ୍ଥୀ, ଅନନ୍ତ ପନ୍ଥୀ, ପୁଷ୍ଟିମାର୍ଗ ପନ୍ଥୀ, ଦଶନାମୀ ପନ୍ଥୀ ଇତ୍ୟାଦି । କେତୋଟି ବିଶିଷ୍ଟ ମଠ ଓ ସେଗୁଡ଼ିକର ପ୍ରତିଷ୍ଠା ଏବଂ ପନ୍ଥା ସହିତ ସଂପୃକ୍ତ ବିଶିଷ୍ଟ ମହାପୁରୁଷଙ୍କ ନାମ ନିମ୍ନରେ ପ୍ରଦତ୍ତ ହେଲା -

ଗୋବର୍ଦ୍ଧନ ମଠ- ଶଙ୍କରଚାର୍ଯ୍ୟ, ଏମାର ମଠ- ରାମାନୁଜ, ବଳଭଦ୍ର ଛତା ମଠ- ମାଧବାଚାର୍ଯ୍ୟ, ରାଧାକାନ୍ତ ମଠ- ଚୈତନ୍ୟ, ରାଧାବଲ୍ଲଭ ମଠ- ନିମ୍ବାର୍କ, ମହାପ୍ରଭୁଙ୍କ ବୈଠକ- ବଲ୍ଲଭାଚାର୍ଯ୍ୟ, କବୀର ଚଉରା ମଠ- କବୀର, ନନ୍ଦିନୀ ମଠ- ମୀରାବାଈ, ମଙ୍ଗୁ ମଠ ଓ ବାଉଲ ମଠ- ନାନକ, ସିଦ୍ଧ ହନୁମାନ ମଠ- ତୁଳସୀ ଦାସ, ଦଶାବତାର ମଠ- ଜୟଦେବ, ସାତ ଲହଡ଼ି ମଠ ଓ ଓଡ଼ିଆ ମଠଅତିବଡ଼ି ଜଗନ୍ନାଥ ଦାସ, ହରି ଦାସ ମଠ- ହରି ଦାସ, ରାମ ଦାସ ମଠ- ରାମ ଦାସ, ଜଗନ୍ନାଥବଲ୍ଲଭ ମଠ- ରାମାନୁଜ ପଟ୍ଟନାୟକ, ଶ୍ରୀନୀଳାଚଳ ଆଶ୍ରମ- ସୀତାରାମ ଦାସ ଓଁକାରନା, ଘୁମୁସର ମଠ ଉପେନ୍ଦ୍ରଭଞ୍ଜ ।

୧୭୨ ଶ୍ରୀଜଗନ୍ନାଥ