ପୃଷ୍ଠା:ShreeJagannath.pdf/୧୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ମଠ ଦୈନିକ ଶ୍ରୀମନ୍ଦିରକୁ ବଲ୍ଲଭ ଯୋଗାନ୍ତି । ସ୍ନାନପୂର୍ଣ୍ଣମୀ ଦିନ ଶ୍ରୀଜଗନ୍ନାଥଙ୍କ ବାଡ଼ ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ହାତୀ ବେଶର ଉପକରଣ ବା ବେଶ ଦ୍ରବ୍ୟ ଯୋଗାନ୍ତି । ଶ୍ରୀମନ୍ଦିରର ମଣି ବିମାନର ମଣ୍ଡଣି ଓ ମରାମତିର ଦାୟିତ୍ୱ ଏହି ମଠର । ଚନ୍ଦନଯାତ୍ରାରେ ଚନ୍ଦନ ଚକଡ଼ାରେ ସର୍ବାଙ୍ଗ ନୀତି କରାନ୍ତି । ରଯାତ୍ରାବେଳେ ଭିତର ଚାର ବନ୍ଧା ହେବା ପାଇଁ ୧୪ ଖଣ୍ଡ ଚାରପଟା ଯୋଗାଇବା ଏମାନଙ୍କର ଦାୟିତ୍ୱ । ସ୍ନାନଯାତ୍ରା, ରଯାତ୍ରା, ବାହୁଡ଼ାଯାତ୍ରା ଓ ନୀଳାଦ୍ରିବିଜେ ଦିନ ଠାକୁରଙ୍କ ପହଣ୍ଡି ବିଜେ ପାଇଁ ଟାହିଆ ଯୋଗାନ୍ତି । ଖଳିଲାଗି ଏକାଦଶୀ ଦିନ ସର୍ବାଙ୍ଗ ନୀତିପାଇଁ ସାଢେ଼ ସାତ ସେର ଚନ୍ଦନକାଠ ଯୋଗାନ୍ତି । ପହଣ୍ଡି ବିଜେ ପାଇଁ ତିନୋଟି ତୂଳୀ ଦିଅନ୍ତି । ବାହୁଡ଼ାଯାତ୍ରା ପରେ ରଥ ଉପରେ ଅଧରପଣା ଭୋଗ କରାନ୍ତି । ମକରସଂକ୍ରାନ୍ତି ପୂର୍ବ ଦିନ ନବାଙ୍କ ବେଢ଼ା ପାଇଁ ଏହି ମଠ ଫୁଲମାଳ (ଜଗନ୍ନାଥଙ୍କ ପାଇଁ ୬୪ ହାତ, ବଳଭଦ୍ରଙ୍କ ପାଇଁ ୫୬ ହାତ ଓ ସୁଭଦ୍ରାଙ୍କ ପାଇଁ ୪୮ ହାତର ଗେଣ୍ଡୁଫୁଲ) ଯୋଗାନ୍ତି । ଜ୍ୟେଷ୍ଠ ଏକାଦଶୀ, ଅକ୍ଷୟତୃତୀୟା ଓ ରୁକ୍ମିଣୀ ହରଣ ନୀତିମାନଙ୍କରେ ଶୀତଳ ଭୋଗ ଯୋଗାନ୍ତି । କାର୍ତ୍ତିିକ ମାସରେ 'ବାଳଧୂପ' ଯୋଗାନ୍ତି । ଶ୍ରୀମନ୍ଦିରରୁ ବିଜେ ପ୍ରତିମାମାନଙ୍କର ବିଜେ ଦିନମାନଙ୍କରେ ଯଥା- କାଳୀୟଦଳନ, ରାଧାଷ୍ଟମୀ, ରାମାଭିଷେକ, ଗୁଣ୍ଡିଚା ଘରେ ରଥଯାତ୍ରା ବେଳେ ପନ୍ତି ଭୋଗ କରାନ୍ତି । ଅଣସର ସମୟରେ ଅଣସର ପିଣ୍ଡିରେ ଚକଟା ଭୋଗ କରାନ୍ତି । ଶ୍ରୀମନ୍ଦିର ରୋଷଘରେ ଏହି ମଠର ଚୁଲା ଅଛି । ଜଗନ୍ନାଥଙ୍କ ବିଜେ ପ୍ରତିମା 'ମଦନମୋହନ' ପ୍ରାୟ ଏକ ଶହ ବର୍ଷ ପୂର୍ବେ ଏହି ମଠ ତରଫରୁ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର କୋଠଭୋଗରୁ ଦୈନିକ ଖେଇ ଏହି ମଠକୁ ପଠାଯାଏ । ଏହା ବ୍ୟତୀତ କେତେକ ଯାନିଯାତ୍ରା ଦିନରେ ସ୍ୱତନ୍ତ୍ର ଖେଇ ଖଞ୍ଜା ଅଛି ।

ଓଡ଼ିଆ ମଠ

ଏହି ମଠ ଦେବୋତ୍ତର କମିଶନରଙ୍କ ନିୟନ୍ତ୍ରଣରେ ପରିଚାଳିତ । ମଠର ମହନ୍ତ ଶାଢି ବନ୍ଧାଇ ଉପଚାର ଚାମର ସେବା କରିପାରନ୍ତି । ମଠ ତରଫରୁ ପ୍ରତିଦିନ ବଲ୍ଲଭ ଭୋଗ ପାଇଁ ଭୋଗ ଦ୍ରବ୍ୟ ଯୋଗାଯାଏ । ରତ୍ନସିଂହାସନରେ ଉପରେ ବନ୍ଧାହେବା ପାଇଁ ପ୍ରତିବର୍ଷ ତ୍ରିମୁଣ୍ଡି ଚାନ୍ଦୁଆ ଓ ଚକାଅଫିସର ନୀତି ପାଇଁ ପାଟକନା ଯୋଗାଇ କନକମୁଣ୍ଡଇ ତିଆରି କରାନ୍ତି । ଫୁଲୁରୀଲାଗି ନୀତି ପାଇଁ ପାଞ୍ଚସେର ରାଶିତେଲ ଓ ଦେବ ଦୀପାବଳୀ ନୀତି ପାଇଁ ତେଲ, ଘିଅ, ଘୁଡ଼ିସରା ଇତ୍ୟାଦି ଯୋଗାନ୍ତି । କାର୍ତ୍ତିିକ ମାସରେ ଜୟ ବିଜୟ ଦ୍ୱାରରେ ଅଖଣ୍ଡ ଦୀପ ଜଳାନ୍ତି । ଗୁଣ୍ଡିଚା ମନ୍ଦିରରେ ରଥଯାତ୍ରା ସମୟରେ ସର୍ବାଙ୍ଗ ଓ ଭୋଗ ଲଗାନ୍ତି । ଆଶ୍ୱିନ ଶୋଳପୂଜା ସମୟରେ ବିମଳା ମନ୍ଦିରରେ ଭୋଗ ପାଇଁ ଚାଉଳ, ପରିବା ଯୋଗାନ୍ତି ଓ ପଶୁବଳି ପାଇଁ ମଠ ତରଫରୁ ଏକ ମେଣ୍ଢା ଷ୍ଟେଟ୍‍ (ସରକାର)ଙ୍କ ଜରିଆରେ ଯୋଗାଯାଏ । ନୀଳାଦ୍ରିବିଜେ ଦିନ ମଠ ତରଫରୁ

୧୬୪ ଶ୍ରୀଜଗନ୍ନାଥ