ପୃଷ୍ଠା:ShreeJagannath.pdf/୧୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସିଂହଦ୍ୱାର ଶୀର୍ଷରେ ଦଶାବତାର ମୂର୍ତ୍ତିି ବିଦ୍ୟମାନ । ନବମ ସ୍ଥାନରେ ବୁଦ୍ଧଦେବଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିି ରହିଛି । ଦ୍ୱାରର ଆହୁରି ଉପରେ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତିମା ଶୋଭାପାଉଛି । ଲକ୍ଷ୍ମୀଙ୍କ ଅନ୍ୟନାମ ଶ୍ରୀ । ତେଣୁ ହୁଏତ ଶ୍ରୀମନ୍ଦିରର ମୁଖ୍ୟଦ୍ୱାର ଶୀର୍ଷରେ ଲକ୍ଷ୍ମୀପ୍ରତିମା ବିରାଜିତା ।

ସିଂହଦ୍ୱାର ଅତିକ୍ରମ କଲା ପରେ ଏକ ମନ୍ଦିରାକୃତି ଦ୍ୱାରକକ୍ଷ ବା ଗୁମୁଟ ପଡେ଼ । ଏହାର ନାମ ସିଂହଦ୍ୱାର ଗୁମୁଟ ବା ବାହାର ଗୁମୁଟ । ଏଠାରେ ଆମର ବାମପଟ କାନ୍ଥରେ (ଆର୍ଥାତ୍ ଗୁମୁଟୁର ଦକ୍ଷିଣପଟ କାନ୍ଥରେ) ଫତେ ହନୁମାନ (ଫତେ ଅର୍ଥ ଜୟ), ରାଧାକୃଷ୍ଣ ଓ ଗଣେଶ (ଚିତ୍ର) ବିଦ୍ୟମାନ । ଆମର ଦକ୍ଷିଣପଟ କାନ୍ଥରେ ନରସିଂହ (ଦକ୍ଷିଣମୁଖୀ ବିଂଶଭୁଜବିଶିଷ୍ଟ । ଏହାଙ୍କୁ ମହାନରସିଂହ ବା ତାନ୍ତ୍ରିକ ନୃସିଂହ କୁହାଯାଏ), ହନୁମାନ (ମତାନ୍ତରେ ସୁଗ୍ରୀବ) ଓ ପତିତପାବନ ବିରାଜିତ । (ଏହା ଏକକ ଜଗନ୍ନାଥ ମୂର୍ତ୍ତିି । କେତେକଙ୍କ ମତରେ ଭୋଇ ରାଜବଂଶର ରାଜା ରାମଚନ୍ଦ୍ର ଦେବ ୨ୟ ଜଣେ ମୁସଲମାନ ରମଣୀକୁ ଘଟଣାଚକ୍ରରେ ବିବାହ କଲା ପରେ ଜାତିଚ୍ୟୁତ ହେବାରୁ ମନ୍ଦିରକୁ ପ୍ରବେଶ କରି ପାରିଲେ ନାହିଁ । ତାଙ୍କର ଦର୍ଶନପାଇଁ ଏଠାରେ ଏକ ଜଗନ୍ନାଥ ମୂର୍ତ୍ତିି ପତିତପାବନ ନାମରେ ସ୍ଥାପନା କରାଗଲା) ।

ସିଂହଦ୍ୱାର ଗୁମୁଟରୁ ଭିତର ବେଢ଼ାର ଗୁମୁଟ, ରୋଷଘର ଓ ଆନନ୍ଦବଜାର ଯିବାକୁ ହେଲେ ଏକ ପାବଛ ଶ୍ରେଣୀ ଅତିକ୍ରମ କରିବାକୁ ହୁଏ । ଏହା ବାଇଶ (ବାଇଶି) ପାହାଚ ନାମରେ ପରିଚିତ । କିନ୍ତୁ ଏହି ବାଇଶି ପାହାଚର ପାହାଚ ସଂଖ୍ୟା ପ୍ରକୃତରେ ବାଇଶି ନୁହେଁ; ଏହାର ସଂଖ୍ୟା ଅଠର । ହୁଏତ ଅତୀତରେ ପାହାଚମାନଙ୍କର ସଂପ୍ରସାରଣ ଫଳରେ ଏହାର ସଂଖ୍ୟା ଅଠରକୁ ହ୍ରାସ ପାଇଥିବ । ଆହୁରି ମଧ୍ୟ ଅନୁମାନ କରାଯାଏ ଯେ, ସିଂହାଦ୍ୱାର ପୂର୍ବକୁ ଚାରିଟି ପାହାଚ ଥିଲା, ତାହା ଅରୁଣ ଚକଡ଼ାରେ ପୋତି ହୋଇଯାଇଛି । କେହି କେହି ଭିତର ଗୁମୁଟକୁ ଯିବାକୁ ଥିବା ଦୁଇଟି ଛୋଟ ପାହାଚ ଓ ଆନନ୍ଦବଜାରକୁ ଯିବାକୁ ପଡ଼ିଥିବା ଦୁଇଟି ପାହାଚକୁ ମିଶାଇ ସର୍ବମୋଟ ପାହାଚ ସଂଖ୍ୟା ବାଇଶି କହନ୍ତି । ସେ ଯାହାହେଉ 'ବାଇଶିପାହାଚ' ନାମରେ ଏହି ପାହାଚ ଶ୍ରେଣୀ ପ୍ରଚଳିତ ଓ କଥିତ । କେଉଁ ରାଜାଙ୍କ ଅମଳରେ ବାଇଶି ପାହାଚ ନିର୍ମିତ ହୋଇଥିଲା ତାହାର ସୂଚନା ମାଦଳାପାଞ୍ଜି କିମ୍ବା ଓଡ଼ିଶା ଇତିହାସରୁ ମିଳେନାହିଁ । ମାଦଳାପାଞ୍ଜିରୁ ଜଣାଯାଏ ଯେ ସୂର୍ଯ୍ୟବଂଶର ରାଜା କପିଳେନ୍ଦ୍ର ଦେବ ବଡ଼ ଦେଉଳର ବାହାର ବେଢ଼ା ନିର୍ମାଣ କରିଥିଲେ । ଓଡ଼ିଶା ଇତିହାସ ଲେଖିଥିବା ଅଧିକାଂଶ ଐତିହାସିକଙ୍କ ମତରେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳ ଥିଲା ଖ୍ରୀ:୧୪୩୫ରୁ ୧୪୬୮ ଯାଏଁ । ବାହାର ବେଢ଼ା ନିର୍ମାଣ ପୂର୍ବରୁ ନିଶ୍ଚୟ ବାଇଶିପାହାଚ ନିର୍ମିତ ହୋଇସାରିଥିବ ।

ବାଇଶିପାହାଚ ଚଢ଼଼ିବା ବେଳେ ଆମର ବାମ ଦିଗରେ ନିମ୍ନଲିଖିତ ଛୋଟ ଛୋଟ ମନ୍ଦିର ମାନ ଦେଖିବାକୁ ମିଳେ । ତାହା ହେଲା କାଶୀବିଶ୍ୱନାଥ ମନ୍ଦିର, ଶ୍ରୀରାମଚନ୍ଦ୍ର ମନ୍ଦିର (ରାମ, ସୀତା ଓ ଲକ୍ଷ୍ମଣ ଓଗେର), ଶ୍ରୀନରସିଂହ (ଅଭୟ ନୃସିଂହ), ରାଧାବଲ୍ଲଭ ମନ୍ଦିର, ଘଣ୍ଟେଶ୍ୱରୀ ଠାକୁରାଣୀ ଓ ଗଣେଶ ଚିତ୍ର ।

୧୮୪ ଶ୍ରୀଜଗନ୍ନାଥ