ପୃଷ୍ଠା:ShreeJagannath.pdf/୧୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀ ମାର୍କଣ୍ଡେୟ - ଅର୍ଜ୍ଜନ (ମତାନ୍ତରେ ଭୀମ)
ଶ୍ରୀ କପାଳମୋଚନ - ନକୁଳ
ଶ୍ରୀ ନୀଳକଣ୍ଠ - ସହଦେବ

ଶ୍ରୀଯମେଶ୍ୱର ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କର ହିସାବରକ୍ଷକ । ଶ୍ରୀକ୍ଷେତ୍ରରେ ଭଗବାନ ଶିବ ଯମଙ୍କ ଅଧିକାରକୁ ଖାରଜ କରିଦେଇଥିବାରୁ ତାଙ୍କର ନାମ ଯମେଶ୍ୱର ହୋଇଛି ବୋଲି କୁହାଯାଏ । ଶ୍ରୀକ୍ଷେତ୍ରରେ ଦେହତ୍ୟାଗ କଲେ ଯମଦଣ୍ଡ ମିଳେନାହିଁ ବୋଲି ବିଶ୍ୱାସ କରାଯାଏ । କିମ୍ବଦନ୍ତୀ ଅଛି ଯେ, ଶ୍ରୀକପାଳମୋଚନ ମନ୍ଦିରରେ ବିରାଜିତ ଶ୍ରୀଗଣେଶଙ୍କୁ ପୂଜା କରାଯାଇ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କେତେଜଣ ଗବେଷକ ଅନୁମାନ କରନ୍ତି ଯେ, ଏହି ପଞ୍ଚ ମହାଦେବ ମନ୍ଦିରମାନଙ୍କରେ ଶିବଲିଙ୍ଗମାନ ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ପ୍ରତିଷ୍ଠିତ ହୋଇଥିଲେ । ସେହି ମନ୍ଦିରମାନଙ୍କରେ ଶୈବ ତପସ୍ୱୀମାନେ ରହିଥିଲେ । ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ଶ୍ରେଷ୍ଠ ରାଜା ଚୋଡ଼ଗଙ୍ଗ ଦେବ ଶିବ ଓ ବିଷ୍ଣଙ୍କର ଉପାସକ ଥିବା ଜଣାଯାଏ । ସେ ନିଜକୁ 'ପରମ ମାହେଶ୍ୱର' 'ପରମବୈଷ୍ଣବ' ଓ 'ପରମବ୍ରହ୍ମଣ୍ୟ' ଏପରି ତିନୋଟି ଉପାଧିରେ ଭୂଷିତି କରିଥିଲେ । ହୁଏତ ତାଙ୍କର ପ୍ରଚେଷ୍ଟାରେ ଓଡ଼ିଶାରେ 'ହରିହର' ଅର୍ଥାତ୍ ବିଷ୍ଣୁ ଓ ଶିବ ଉପାସନାର ପ୍ରସାରଣ କରାଯାଇଥିବ । ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରକୁ ହରିହର ଉପାସନାର ଦୁଇଟି ପ୍ରମୁଖ ପୀଠ କହିଲେ ଅତ୍ୟୁକ୍ତି ହେବନାହିଁ ।

ଗୁଣ୍ଡିଚା ମନ୍ଦିର/ଗୁଣ୍ଡିଚା ଘର

ଏହା ଶ୍ରୀମନ୍ଦିରର ଏକ ନକଲ, କିନ୍ତୁ ଆୟତନରେ କମ୍‍ । ଶ୍ରୀମନ୍ଦିର ପ୍ରଶାସନର ପରିଚାଳନାଧୀନ । ଏଠାରେ ଗୁଣ୍ଡିଚା ଓ ବାହୁଡ଼ାକୁ ଛାଡ଼ିଦେଲେ ଦିଅଁମାନେ ସର୍ବାଧିକ ସାତଦିନ ଅବସ୍ଥାନ କରନ୍ତି । ଏହି ମନ୍ଦିରର ରତ୍ନବେଦୀକୁ 'ଆଡ଼ପମଣ୍ଡପ' କୁହାଯାଏ । ଆଷାଢ଼ ମାସ ଶୁକ୍ଲ ନବମୀ ଦିନ ଏହି ଆଡ଼ପ ମଣ୍ଡପରେ ଦିଅଁଙ୍କୁ ଦର୍ଶନ କରି (ସନ୍ଧ୍ୟା ଦର୍ଶନ) ମହାପ୍ରସାଦ ସେବନ କଲେ ମହାପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ । ଏହି ମଣ୍ଡପକୁ ମଧ୍ୟ 'ରାସମଣ୍ଡପ' ଓ ଗୁଣ୍ଡିଚାଘରକୁ ମହାପ୍ରଭୁଙ୍କ 'ରାସସ୍ଥଳୀ' ମଧ୍ୟ କୁହାଯାଏ । ଏହି ମନ୍ଦିରର ମୋଟ କ୍ଷେତ୍ରଫଳ ୫.୪୦୨ ଏକର ।

ଶ୍ରୀନୃସିଂହ ମନ୍ଦିର

ଶ୍ରୀଗୁଣ୍ଡିଚା ମନ୍ଦିରର ଉତ୍ତର-ପୂର୍ବ ବେଢ଼ା ପାର୍ଶ୍ୱରେ ଅବସ୍ଥିତ ନୃସିଂହ ମନ୍ଦିରକୁ ଯଜ୍ଞମଣ୍ଡପ କୁହାଯାଏ । କିମ୍ବଦନ୍ତୀ ପ୍ରକାରେ ଚତୁର୍ଦ୍ଧାମୂର୍ତ୍ତିିଙ୍କ ଆବିର୍ଭାବପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ଥାନରେ ନୃସିଂହଙ୍କୁ ପ୍ରତିଷ୍ଠା କରି ଅଶ୍ୱମେଧ ଯଜ୍ଞ କରିଥିଲେ ।

ମାଉସୀ ମା' ବା ଅର୍ଦ୍ଧାଶନୀ

ଗୁଣ୍ଡିଚାଘର ଓ ବଡ଼ଦେଉଳ ମଝିରେ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ପୂର୍ବଦିଗରେ ମାଉସୀମା'ଙ୍କର ଦେଉଳ ଅବସ୍ଥିତ । କିମ୍ବଦନ୍ତୀ କହେ ଯେ, ମହାପ୍ରଳୟ କାଳରେ ପ୍ରଳୟର ଅର୍ଦ୍ଧାଂଶ

ଶ୍ରୀଜଗନ୍ନାଥ ୧୯୭