ପୃଷ୍ଠା:ShreeJagannath.pdf/୧୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଳ ଏହି ଦେବୀ ଅଶନ (ଭକ୍ଷଣ) କରିଥିବାରୁ ଏହାଙ୍କ ନାମ ହେଲା ଅର୍ଦ୍ଧାଶନୀ । ବାହୁଡ଼ା ଯାତ୍ରା ଦିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏଠାରେ କିଛି ସମୟ ଅଟକେ ଏବଂ ମାଉସୀ ମା' ମନ୍ଦିର ତରଫରୁ ପୋଡ଼ପିଠା ଭୋଗ ହୁଏ ।

ଆଲାମଚଣ୍ଡୀ ମନ୍ଦିର

ପୁରୀର କୁମ୍ଭାରପଡ଼ା ଅଞ୍ଚଳରେ ଅବସ୍ଥିତ । ମକର ସଂକ୍ରାନ୍ତି ଓ ସାତପୁରି ଅମାବାସ୍ୟା ଦିନ ଏହି ମନ୍ଦିରର ଠାକୁରାଣୀଙ୍କ ନିକଟକୁ ଘଣ୍ଟ, ଛତା, କାହାଳୀ ଯାଇ ତାଡ଼ମାନଙ୍କୁ ଅଣାଯାଏ । ନବକଳେବର ବେଳେ ଏହି ବାଟ ଦେଇ ଦାରୁ ଶଗଡ଼ି ନିଆଗଲେ, ଏଠାରେ ତାହା କିଛି ଘଣ୍ଟା ବିଶ୍ରାମ ନିଏ ।

ଦକ୍ଷିଣକାଳୀ ମନ୍ଦିର

ଶ୍ରୀମନ୍ଦିରର ପୂର୍ବ ଦିଗରେ କାଳିକା ଦେବୀ ସାହିରେ ଦକ୍ଷିଣକାଳୀ ମନ୍ଦିର ଅବସ୍ଥିତ । ସାତପୁରି ଅମାବାସ୍ୟା ଦିନ ଶ୍ରୀଜଗନ୍ନାଙ୍କ ଆଜ୍ଞାମାଳ ଏହି ମନ୍ଦିରକୁ ଆସେ ।

ନାରାୟଣୀ ମନ୍ଦିର

ଦୋଳମଣ୍ଡପ ସାହିରେ ଅବସ୍ଥିତ । ଆଶ୍ୱିନ ମାସ ଷୋଳପୂଜାରେ ଦୁର୍ଗା ଓ ମାଧବଙ୍କ ରୁଦ୍ଧା ମୂର୍ତ୍ତିି ଶ୍ରୀମନ୍ଦିରରୁ ନାରାୟଣୀ ମନ୍ଦିରକୁ ବିଜେ କରନ୍ତି ।

ଦରିଆ ମହାବୀର (ବେଡ଼ି ହନୁମାନ)

ବିଷୁବ ସଂକ୍ରାନ୍ତି ଦିନ ଶ୍ରୀ ଜୀଉଙ୍କ ଆଜ୍ଞାମାଳ ବିଧିବିଧାନପୂର୍ବକ ଏହି ମହାବୀରଙ୍କୁ ପ୍ରଦାନ କରାଯାଏ ।

ଚର୍ଚ୍ଚିକା ମନ୍ଦିର

ବଡଦାଣ୍ଡ କଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ପାର୍ଶ୍ୱରେ ଅବସ୍ଥିତ । ବଢେ଼ଇ ଓ ଭୋଇ ସେବକମାନେ ଠାକୁରାଣୀଙ୍କୁ ରଥନିର୍ମାଣ ବେଳେ ପୂଜାର୍ଚ୍ଚନା କରନ୍ତି ।

ଚକ୍ରତୀର୍ଥ ନାରାୟଣ

ଚକ୍ରତୀର୍ଥ ଅଞ୍ଚଳରେ ସମୁଦ୍ରକୂଳରେ ଅବସ୍ଥିତ । ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ଶ୍ରୀନୃସିଂହ ଜନ୍ମ ଅବସରରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚକ୍ରତୀର୍ଥ ନାରାୟଣଙ୍କୁ ପ୍ରଦାନ କରାଯାଏ ।

ଶ୍ୟାମାକାଳୀ ଠାକୁର

ପୁରୁଣା ବାଲିସାହି ନଅର ଅଞ୍ଚଳରେ ଅବସ୍ଥିତ । ପୁରୀ ରାଜାଙ୍କ ଆରାଧ୍ୟା ଠାକୁରାଣୀ । ଏହି ଅଞ୍ଚଳରେ ମଧ୍ୟ ପ୍ରସିଦ୍ଧ ଅଷ୍ଟଶମ୍ଭଉ ବିଦ୍ୟମାନ ।