ପୃଷ୍ଠା:ShreeJagannath.pdf/୧୯୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପଞ୍ଚତୀର୍ଥ

 ବନାରସରେ ଯେପରି ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ତୀର୍ଥ ଅଛି ପୁରୀରେ ମଧ୍ୟ ସେହିପରି ପାଞ୍ଚଟି ତୀର୍ଥ ଅଛି । ଏହାକୁ 'ପଞ୍ଚତୀର୍ଥ' କୁହାଯାଏ ।'ବ୍ରହ୍ମପୁରାଣ'ରେ ଏହି ପଞ୍ଚତୀର୍ଥ ହେଲା- ମାର୍କଣ୍ଡେୟ ପୁଷ୍କରିଣୀ, ବଟମନ୍ଦିର କୃଷ୍ଣ (ଅର୍ଥାତ୍ ଜଗନ୍ନାଥ), ରୋହିଣେୟ (ବଳଭଦ୍ର), ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ । ଏହି ରୋହିଣେୟ 'ରୋହିଣୀକୁଣ୍ଡ' ମଧ୍ୟ ହୋଇପାରେ । 'ସ୍କନ୍ଦ ପୁରାଣ'ରେ ଲେଖାଅଛି ମାର୍କଣ୍ଡେୟ, କଳ୍ପବୃକ୍ଷ, ଦାରୁବ୍ରହ୍ମ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । 'ମୁକ୍ତି ଚିନ୍ତାମଣି' ଓ ହଳଧରକୃତ 'ସ୍ମ‌ରତି ଦର୍ପଣ' ଅନୁସାରେ ପଞ୍ଚତୀର୍ଥ ହେଲା- ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । ସାରଳା ଦାସଙ୍କ ମହାଭାରତ (ବନପର୍ବ)ରେ ଉଲ୍ଲେଖ ପ୍ରକାରେ ପଞ୍ଚତୀର୍ଥ ହେଉଛି- ମହୋଦଧି, ରୋହିଣୀକୁଣ୍ଡ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟମ୍ନ ଓ ମାର୍କଣ୍ଡେୟ ସରୋବର ।
 ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ସମୁଦ୍ର ସ୍ୱର୍ଗଦ୍ୱାର, ଚକ୍ରତୀର୍ଥ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ପଞ୍ଚତୀର୍ଥ କୁହାଯାଇଛି ।
 ପଞ୍ଚତୀର୍ଥ ବ୍ରତର ସଂକଳ୍ପ କରାଯାଇ ଜ୍ୟେଷ୍ଠମାସର ଶୁକ୍ଲ ଦଶମୀଠାରୁ ଆରମ୍ଭ କରି ଦେବସ୍ନାନ ପୂର୍ଣ୍ଣିିମା ଦିନ ଉଦ୍‍ଯାପନ କରାଯାଏ । ଆଉ କେତେକ କାର୍ତ୍ତିିକମାସ ଶୁକ୍ଲପକ୍ଷ ଦଶମୀ ଠାରୁ ପୂର୍ଣ୍ଣିିମା ଯାଏଁ ଏହି ବ୍ରତ ପାଳନ କରନ୍ତି । ପଞ୍ଚତୀର୍ଥରେ ପିଣ୍ଡଦାନ ଓ ମାନସିକ ମୁଣ୍ଡନକ୍ରିୟା (ବାଳପକା) କରାଯାଏ (ରୋହିଣୀକୁଣ୍ଡକୁ ବାଦ୍‍ ଦେଇ) ।
 ମାର୍କଣ୍ଡେୟ ପୁଷ୍କରିଣୀ ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ । ଉତ୍ତର, ପୂର୍ବ, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ପୁଷ୍କରିଣୀର ଦୈର୍ଘ୍ୟ ଯଥାକ୍ରମେ ୩୫୦, ୫୦୫, ୩୮୫ ଓ ୫୪୨ ଫୁଟ । ପୁଷ୍କରିଣୀ ତଟରେ ମାର୍କଣ୍ଡେଶ୍ୱର ମନ୍ଦିର, ମୃତ୍ୟୁଞ୍ଜୟ ଲିଙ୍ଗ, ପଞ୍ଚପାଣ୍ଡବ ଓ କାଳୀୟଦଳନ ବିଗ୍ରହ ଅବସ୍ଥିତ । ଏହାର ତଟରେ ସପ୍ତମାତୃକା ମନ୍ଦିର ରହିଛି । ମାଦଳାପାଞ୍ଜି (ସଂ-ଆର୍ତ୍ତବଲ୍ଲଭ)ରେ ଉଲ୍ଲେଖ ଅଛି ଯେ ରାଜା କୋଶଳ କେଶରୀ ମାର୍କଣ୍ଡେଶ୍ୱର ଦେଉଳ ତୋଳାଇଥିଲେ ଓ ପୋଖରୀ ପଶ୍ଚିମ ପଟ ପର ପାଚେରୀ କଲେ । (ଆନୁମାନିକ ୮୧୧ରୁ ୮୨୯ ଖ୍ରୀଷ୍ଟାବ୍ଦ ମଧ୍ୟରେ) । ସପ୍ତମାତୃକା ମନ୍ଦିରଟିକୁ ଭୀମକେଶରୀ ନିର୍ମାଣ କରିଥିଲେ ବୋଲି ଉକ୍ତ ପାଞ୍ଜିରେ ଉଲ୍ଲେଖ ଅଛି । ଆନୁମାନିକ ୧୧୦୭ରୁ ୧୧୧୫ ଖ୍ରୀଷ୍ଟାବ୍ଦ ଭିତରେ ଏହି ନିର୍ମାଣ କାର୍ଯ୍ୟ ହୋଇଥିବ ।
 ଶ୍ୱେତଗଙ୍ଗା ଶ୍ରୀମନ୍ଦିରର ଦକ୍ଷିଣ-ପୂର୍ବ ଦିଗର ବାଲିସାହିରେ ଅବସ୍ଥିତ । ପୁଷ୍କରିଣୀର ଦୈର୍ଘ୍ୟ ଓ ପ୍ରସ୍ଥ ୨୫୪ ଫୁଟ ଓ ୧୮୦ ଫୁଟ । ତଟରେ ଶ୍ୱେତମାଧବ ଓ ମତ୍ସ୍ୟମାଧବ ନାମକ ନାରାୟଣ ବିଗ୍ରହ ଦ୍ୱୟ ବିରାଜିତ । ମାଦଳାପାଞ୍ଜି ଅନୁସାରେ ରାଜା ଗୋବିନ୍ଦ କେଶରୀ ଏହି ଦୁଇ ଠାକୁରଙ୍କ ପାଇଁ ଦେଉଳ ତିଆରି କରାଇଥିଲେ (ଆନୁମାନିକ ଖ୍ରୀ:୧୦୦୦ ବେଳକୁ) ।