ପୃଷ୍ଠା:ShreeJagannath.pdf/୧୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୪୮୫ ଫୁଟ ଓ ୩୯୬ ଫୁଟ । କିମ୍ବଦନ୍ତୀ କହେ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ କଲାବେଳେ ଅସଂଖ୍ୟ ଗୋରୁଦାନ କରିଥିଲେ । ଏହି ଗୋରୁମାନଙ୍କ ଖୁରା ବାଜି ଭୂମି ଖୋଳି ହୋଇଯାଇ ଏହି ପୁଷ୍କରିଣୀଟି ହୋଇଗଲା । ମନ୍ଦିର ନିର୍ମାଣ ବେଳେ ବଡ଼ ବଡ଼ ପଥର ପିଠିରେ ବୋହି ଯେଉଁ ଲୋକମାନେ ଆଣିଥିଲେ ସେମାନେ କୂର୍ମ ପାଲଟି ଯାଇଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗାଲମାଧବଙ୍କ ମଧ୍ୟରେ ମନ୍ଦିର ନିର୍ମାଣ ନେଇ ବିବାଦ ଉପୁଜିବାରୁ ଏହି କୂର୍ମମାନେ, ଯେଉଁମାନେ କି ପୁଷ୍କରିଣୀରେ ରହୁଥିଲେ, ରାଜା ଇନ୍ଦ୍ରଦୁ୍ୟମ୍ନଙ୍କ ସପକ୍ଷରେ ସାକ୍ଷ୍ୟ ପ୍ରଦାନ କରିଥିଲେ ।
ପୁଷ୍କରିଣୀ ତୀରରେ ନୀଳକଣ୍ଠେଶ୍ୱର, ରାଜା ଇନ୍ଦ୍ରଦ୍ୟୁମ୍ନ, ରାଣୀ ଗୁଣ୍ଡିଚା ଓ ଗାଲମାଧବଙ୍କ ବିଗ୍ରହ ରହିଛି । ମାଦଳାପାଞ୍ଜିରେ ଲେଖାଅଛି ଯେ ରାଜା ପଦ୍ମକେଶରୀ ଇନ୍ଦ୍ରଦ୍ୟୁମ୍ନ ଚାରିପାଖେ ପାହାଚ ଓ ନୀଳକଣ୍ଠେଶ୍ୱର ଦେଉଳ ତୋଳାଇଥିଲେ । (ଆନୁମାନିକ ଖ୍ରୀ:୭୨୬ରୁ ୭୪୫ ମଧ୍ୟରେ ଏହା ନିର୍ମିତ ହୋଇଥିବ) ।
ପ୍ରତିବର୍ଷ ନବଦିନ ଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ବହୁ ଶ୍ରଦ୍ଧାଳୁ ନରନାରୀ ଇନ୍ଦ୍ରଦ୍ୟୁମ୍ନ ସରୋବରେ ସ୍ନାନ, ଯଜ୍ଞ ନୃସିଂହଙ୍କୁ ଦର୍ଶନ ଓ ଆଡପମଣ୍ଡପ (ଗୁଣ୍ଡିଚା ମନ୍ଦିର)ରେ ମହାପ୍ରଭୁଙ୍କୁଦର୍ଶନ ଏବଂ ମହାପ୍ରସାଦ ସେବନ କରି ଗୁଣ୍ଡିଚା ବ୍ରତ' ପାଳନ କରନ୍ତି ।
ପଞ୍ଚତୀର୍ଥ ମଧ୍ୟରେ ପରିଗଣିତ ହେଉନଥିଲେ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ନିଶ୍ଚିତ ଭାବରେ ଏକ ତୀର୍ଥର ମାନ୍ୟତା ପାଇବା ଉଚିତ । ଏଠାରେ ପ୍ରତିବର୍ଷ ୨୧ ଦିନ ବ୍ୟାପି ଚନ୍ଦନଯାତ୍ରା ପାଳନ କରାଯାଏ ।

ମହୋଦଧି ଓ ସ୍ୱର୍ଗଦ୍ୱାର

ଶ୍ରୀକ୍ଷେତ୍ରର ସମୁଦ୍ର ମହୋଦଧି ନାମରେ ପ୍ରସିଦ୍ଧ । ବ୍ରହ୍ମପୁରାଣ, ସ୍କନ୍ଦପୁରାଣ, ବାମଦେବ ସଂହିତା, କପିଳ ସଂହିତା ଆଦି ଗ୍ରନ୍ଥରେ ମହୋଦଧିର ମାହାତ୍ମ୍ୟ ଉଲ୍ଲେଖ ଅଛି । ଏହି ସାଗରରେ ବିଷ୍ଣୁଙ୍କର ପ୍ରଥମ ଅବତାର ଅର୍ଥାତ୍ ମତ୍ସ୍ୟ ଅବତାର ପ୍ରକଟ ହୋଇଥିଲା ବୋଲି କୁହାଯାଇଛି । ଏଠାରେ ପିଣ୍ଡଦାନ ଓ ବୁଡ଼ ପକାଇଲେ ମୁକ୍ତି ମିଳେ ବୋଲି କଥିତ । ଶ୍ରୀମନ୍ଦିରର କଳ୍ପବୃକ୍ଷଠାରୁ ମହୋଦଧି ପର୍ଯ୍ୟନ୍ତ ସ୍ଥାନ 'ଅନ୍ତର୍ବେଦୀ ନାମରେ କଥିତ । ଏହି ସ୍ଥାନରେ ଦେହତ୍ୟାଗ କଲେ ମୋକ୍ଷ ଗତି ହୁଏ । ମହୋଦଧିର ଗୋଟିଏ ଘାଟ ବା ସ୍ଥାନ ସ୍ୱର୍ଗଦ୍ୱାର । ଏଠାରେ ଦାହସଂସ୍କାର କାର୍ଯ୍ୟକଲେ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ । ଶ୍ରୀଜଗନ୍ନାଥଙ୍କର ସାଗରବିଜେ ବା ଅମାବାସ୍ୟା ନୀତି ଏହି ସ୍ୱର୍ଗଦ୍ୱାର ଅଞ୍ଚଳରେ ପାଳନ କରାଯାଏ ।

ଅଠରନଳା

ଏହା ଏକ ପ୍ରାଚୀନ ପୋଲ; ପ୍ରାଚୀନ କୀର୍ତ୍ତି । ପୁରୀ ସହରର ମୁଖ୍ୟ ପ୍ରବେଶ ପରେ ଏହା ଏକ ଅଠରନଳା ବିଶିଷ୍ଟ (ପ୍ରକୃତରେ ୧୯) ସେତୁ । କେତେବର୍ଷ ହେଲା ଏହାର ପାର୍ଶ୍ୱରେ ଆଉ

ଶ୍ରୀଜଗନ୍ନାଥ ୨୦୧