ପୃଷ୍ଠା:ShreeJagannath.pdf/୨୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏକ ପୋଲ (ଚାରିନଳା) ନିର୍ମିତ ହୋଇଅଛି । ଯେଉଁ ନଦୀ ବା ନାଳ ଉପରେ ଅଠରନଳା ନିର୍ମିତ ତାର ବିଭିନ୍ନ ନାମ - ଗଙ୍ଗୁଆ/ମାଟିଆ/ମଧୁପୁର ଅଛି । ଏହି ପୋଲ କେବେ ନିର୍ମାଣ କରାଯାଇଥିଲା ସେ ନେଇ ସଠିକ୍‍ ତ‌ଥ୍ୟ ଉପଲବଧ ନୁହେଁ । ମାଦଳପାଞ୍ଜି (ସଂ-ଆର୍ତ୍ତବଲ୍ଲଭ)ରେ ମଚ୍ଛ(ମତ୍ସ୍ୟ) କେଶରୀ 'ଗଙ୍ଗୁଆ ନଦୀରେ ଅଠରନଳା' କଲେ । ଅନ୍ୟତ୍ର ଲେଖା ଅଛି ଯେ ମତ୍ସ୍ୟ କେଶରୀଙ୍କ ପରେ ବରାହ କେଶରୀ 'ଗଙ୍ଗୁଆ ନଦୀରେ ଅଠରନଳା ବସାଇଲେ' । ଦୁଇଟି ଯାକ ମତକୁ ବିଚାରକୁ ନେଲେ ଏହି ସେତୁ ୧୦୫୦ ଖ୍ରୀଷ୍ଟାବ୍ଦ ବେଳକୁ କିମ୍ବା ୧୦୭୧ ଖ୍ରୀଷ୍ଟାବ୍ଦ ବେଳକୁ ନିର୍ମାଣ କରାଯାଇଥିବ । ରାଜେନ୍ଦ୍ରଲାଲ ମିତ୍ର ଲେଖିଛନ୍ତ ଯେ ଏହା ଖ୍ରୀ:୧୦୫୦ରେ ନିର୍ମିତ ହୋଇଥିଲା । ମାଦଳାପାଞ୍ଜିରେ ପୁନଶ୍ଚ ଅନ୍ୟତ୍ର ଉଲ୍ଲେଖ ଅଛି ଯେ, ରାଜା କବି ନର ସିଂହଦେବ "ଅଠର ନଳା ବନ୍ଧ ପକାଇଲେ" । ସେ ମଧ୍ୟ ନରେନ୍ଦ୍ର ସରୋବର ଖୋଳାଇଥିଲେ । ପୁଣି ଅନ୍ୟତ୍ର ଲେଖାଅଛି ଯେ, ବୀର ନରସିଂହ ଦେବ "ଅଠରନଳା ବନ୍ଧାଇଲେ" । କବି ନରସିଂହ ଦେବ ୧୨୨୯ ଶକାବ୍ଦ, ଆର୍ଥାତ୍ ଖ୍ରୀ: ୧୩୦୭ ଯାଏଁ ରାଜତ୍ୱ କରିଥିଲେ । ଯଦି ସେ ନିର୍ମାତା, ତେବେ ଖ୍ରୀ:୧୩୦୭ ବେଳକୁ ଅଠରନଳା ସେତୁ ନିର୍ମିତ ହୋଇଥିବ । ଶ୍ରୀକ୍ଷେତ୍ରର ମୁଖ୍ୟପ୍ରବେଶ ପଥକୁ ଅଠରନଳା ଘାଟ' କୁହାଯାଉଥିଲା । ପୂର୍ବକାଳରେ ଅଠରଟି ସନ୍ତାନର ଜନନୀ ଅଠରନଳା ପୋଲ ସହିତ ସଙ୍ଗାତ ବସୁଥିଲେ । ଏହି ସେତୁର ଦୈର୍ଘ୍ୟ ୨୦୦ ଫୁଟ (ମତାନ୍ତରେ ୨୯୦ ଫୁଟ) ।

ବାଟମଙ୍ଗଳା ମନ୍ଦିର

ପୁରୀ-ଭୁବନେଶ୍ୱର ରାସ୍ତାକଡ଼ରେ ଅଠରନଳା ସେତୁଠାରୁ ଅଳ୍ପଦୂରରେ ବାଟ ମଙ୍ଗଳା ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ । ପୁରୀକୁ ଆସୁଥିବା ଏବଂ ପୁରୀରୁ ଫେରୁଥିବା ଯାତ୍ରୀମାନେ ଏହି ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରନ୍ତି ।

କାକୁଡ଼ିଖାଇ ମନ୍ଦିର

ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ପୂର୍ବ ଦିଗରେ ପେଜନଳା ପାଖରେ କାକୁଡ଼ିଖାଇ ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ । ଏଠାରେ ଦେବୀ ଦୁର୍ଗା 'ମହିଷମର୍ଦ୍ଦିନୀ' ରୂପେ ପୂଜା ପାଉଛନ୍ତି । ଆଶ୍ୱିନ ମାସ ଷୋଳ ପୂଜା ସମୟରେ ବିମଳାଙ୍କ ପାଖରେ ମାନସିକ କରିଥିବା ଲୋକଙ୍କ ଛେଦ(ବଳି) କାକୁଡ଼ିଖାଇଙ୍କ ନିକଟରେ ପଡେ଼ ।
ପୁରୀ ବାହାରେ ଥିବା କେତେକ ଦେବଦେବୀ ପୀଠ ସହିତ ଶ୍ରୀମନ୍ଦିରର ସମ୍ପର୍କ ରହିଛି ।

ଅଲାରନାଥ ମନ୍ଦିର

ବ୍ରହ୍ମଗିରିରେ ଅବସ୍ଥିତ । ଚତୁର୍ଭୁଜ ବିଷ୍ଣ ପ୍ରତିମା ପୂଜା ପାଉଛନ୍ତି । ଏଠାରେ ମଧ୍ୟ ଶ୍ରୀଚୈତନ୍ୟଙ୍କ ସ୍ମ‌ତିଚିହ୍ନ ରହିଛି । ଅନବସର ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ବନ୍ଦଥିବାରୁ ବହୁ ସଂଖ୍ୟକ ଭକ୍ତ ଏଠାକୁ ଆସି ଅଲାରନାଥଙ୍କୁ ଦର୍ଶନ କରି ଜଗନ୍ନାଥ ଦର୍ଶନର ପୁଣ୍ୟଫଳ ପାଆନ୍ତି ।

୨୦୨*ଶ୍ରୀଜଗନ୍ନାଥ