ପୃଷ୍ଠା:ShreeJagannath.pdf/୨୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତୀକୋଠା ମଠ (କଟକ)

ଓଡ଼ିଶା ହାଇକୋର୍ଟ ଛକ ପାଖରେ ଅବସ୍ଥିତ । ଏହା ଶ୍ରୀମନ୍ଦିରର ଏକ ପ୍ରଦତ୍ତ ସମ୍ପତ୍ତି (endowed property) । ଏଠାରେ ଥିବା ମନ୍ଦିରର ଦେବଦେବୀଙ୍କ ପୂଜାପାଇଁ ଶ୍ରୀମନ୍ଦିର ପ୍ରଶାସନ ପୂଜକ ନିଯୁକ୍ତି କରିଛନ୍ତି ।

ମା'ମଙ୍ଗଳା ଠାକୁରାଣୀ (କାକଟପୁର)

ଶ୍ରୀମନ୍ଦିର ସହିତ କାକଟପୁର ମଙ୍ଗଳା ମନ୍ଦିରର ଘନିଷ୍ଠ ସମ୍ପର୍କ ରହିଛି । ନବକଳେବର ବେଳେ ଦାରୁ ଅନ୍ୱେଷଣପାଇଁ ପରମ୍ପରାନୁସାରେ ଅନୁକୂଳ କରି ଶ୍ରୀମନ୍ଦିରରୁ ଦଇତାପତି, ରାଜଗୁରୁ, ଦେଉଳ ପୁରୋହିତ, ଦେଉଳକରଣ, ତଡାଉକରଣ, ଲେଙ୍କା, ବିଶ୍ୱକର୍ମା ସେବକମାନେ ବାହାରି କାକଟପୁର ମଙ୍ଗଳା ଠାକୁରାଣୀଙ୍କ ନିକଟକୁ ଯାଇ ସେଠାର ଦେଉଳି ମଠରେ ଅବସ୍ଥାନ କରନ୍ତି । ପହଞ୍ଚିବା ପରବର୍ତ୍ତୀ ଦିନ ପୂର୍ବାହ୍ନରେ କାକଟପୁର ମଙ୍ଗଳା ମନ୍ଦିରର ପୂଜକ ଓ କର୍ମକର୍ତ୍ତାମାନେ ଘଣ୍ଟଛତି ଇତ୍ୟାଦି ସହିତ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଦେଉଳି ମଠକୁ ଆସି ଦଇତାପତି, ବ୍ରାହ୍ମଣ ଓଗେର ସେବକମାନଙ୍କୁ ସମ୍ବର୍ଦ୍ଧନା ସହକାରେ ପଟୁଆର କରି ଠାକୁରାଣୀ ମନ୍ଦିରକୁ ପାଛୋଟି ନିଅନ୍ତି । ତତ୍‍ପରେ ସେଠାରେ ବିଧି ମୁତାବକ ମା' ମଙ୍ଗଳାଙ୍କ ମାର୍ଜନା କାର୍ଯ୍ୟ କରାଯାଏ । ମାର୍ଜନା ପରେ ଠାକୁରାଣୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରଦତ୍ତ ଶାଢ଼ୀ ଲାଗି କରାଯାଏ ଓ ମହାପ୍ରସାଦ ସମର୍ପଣ କରାଯାଏ । ଯା ସମୟରେ ଉପଯୁକ୍ତ ଦାରୁର ସନ୍ଧାନ ପାଇବାକୁ ମଙ୍ଗଳା ଠାକୁରାଣୀଙ୍କର କୃପା ଭିକ୍ଷା କରାଯାଏ । ଏଥିପାଇଁ ସଂପୃକ୍ତ ସେବକଙ୍କୁ ସ୍ୱପ୍ନାବତୀ ମନ୍ତ୍ର ଜପ କରିବାକୁ ହୁଏ ।

ଶ୍ରୀଲିଙ୍ଗରାଜ ମନ୍ଦିର (ଭୁବନେଶ୍ୱର )

ପ୍ରତିବର୍ଷ ମହାଶିବରାତ୍ରୀରେ ଶ୍ରୀମନ୍ଦିରର ଜଣେ ରାଜଗୁରୁ ସେବକ ଆସି 'ଅଷ୍ଟ ପ୍ରହରୀ' ପୂଜାନୀତି ସମ୍ପାଦନ କରନ୍ତି ।

ଶ୍ରୀବଳଦେବ ଜୀଉ ମନ୍ଦିର (କେନ୍ଦ୍ରାପଡ଼ା )

ପରମ୍ପରାର ପୁନଃପ୍ରଚଳନ କରାଯାଇ ଶ୍ରୀବଳଦେବଙ୍କ ପ୍ରଳମ୍ବାସୁରବଧ ବେଶ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହଳଦିଆ, ନୀଳ ଓ ଲାଲ୍‍ ରଙ୍ଗର ତିନିଗୋଟି ନୂତନ ପାଟ ଶାଢ଼ି ତା: ୨୨/୧୧/୨୦୧୨ରେ ପ୍ରଦାନ କରାଯାଇିଲା ।

୨୦୪ ଶ୍ରୀଜଗନ୍ନାଥ