ପୃଷ୍ଠା:ShreeJagannath.pdf/୨୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଭାବେ ଭକ୍ତି କରୁଥିଲେ ଏବଂ ସେମାନେ ନିଜ ନିଜକୁ ତାଙ୍କର ସେବକ ଓ ପ୍ରତିନିଧି ବୋଲି ପରିଚୟ ଦେଉଥିଲେ । ସେମାନେ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ବହୁ ଧନରତ୍ନ ଓ ଭୂସମ୍ପତ୍ତି ଦାନ କରିଥିଲେ । ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରମୁଖ୍ୟ ଭାବେ ଏବଂ ନିଜକୁ ତାଙ୍କର ସେବକ ବୋଲି ପରିଚୟ ଦେବାର ମୂଳରେ ଏକ ରାଜନୈତିକ ଉଦ୍ଦେଶ୍ୟ ବିଦ୍ୟମାନ ଥିଲା (ଓଡ଼ିଶା ଇତିହାସ-ଡ: ଦଣ୍ଡପାଣି ବେହେରା) ।


ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁରାଜା ମୁକୁନ୍ଦ ହରିଚନ୍ଦନଙ୍କ ମୃତ୍ୟୁ (ଖ୍ରୀ:୧୫୬୮) ଯାଏଁ ରାଜକୀୟ ପୃଷ୍ଠପୋଷକତାରେ ଶ୍ରୀଜଗନ୍ନାଥ ମନ୍ଦିରର ବହୁ ଉନ୍ନତି ବିଧାନ ହୋଇଥିଲା । ୧୫୬୮ ଖ୍ରୀଷ୍ଟାବ୍ଦ ଯାଏଁ ଓଡ଼ିଶାର ସାମ୍ରାଜ୍ୟ ଗଙ୍ଗାଠାରୁ ଗୋଦାବରୀ ଯାଏଁ ବ୍ୟାପ୍ତ ହୋଇଥିଲା । ଓଡ଼ିଶାର ଏହି ଶେଷ ହିନ୍ଦୁରାଜା ମୁକୁନ୍ଦଦେବ (ରାଜତ୍ୱ କାଳ ୧୫୫୯ - ୧୫୬୮ ଖ୍ରୀଷ୍ଟାବ୍ଦ), ବଙ୍ଗ ସୁଲତାନଙ୍କ ବିରୁଦ୍ଧରେ ଦିଲ୍ଲୀର ମୋଗଲ ସମ୍ରାଟ ଆକବରଙ୍କ ସହିତ ବନ୍ଧୁତାର ସୂତ୍ରରେ ମେଣ୍ଟ କରିଥିଲେ । ଯେତେବେଳେ ଆକବର ଚିତୋର ଆକ୍ରମଣରେ ଲିପ୍ତ ହୋଇଥିଲେ ସେହି ସମୟରେ ବଙ୍ଗଳାର ଆଫଗାନ୍‍ ସୁଲତାନ୍‍ ସୁଲେମାନ୍‍ କରରାଣୀ ଓଡ଼ିଶା ଆକ୍ରମଣ କରି ମୁକୁନ୍ଦଦେବଙ୍କୁ ପରାଜିତ କଲେ । ମୁକୁନ୍ଦଦେବ ପରାସ୍ତ ହେବା ପରେ ଖ୍ରୀ: ୧୫୬୮ରେ ଓଡ଼ିଶା ବଙ୍ଗଳାର ଆଫଗାନ୍‍ ଶାସନାଧୀନ ହେଲା ଏବଂ ସେଥି ସହିତ ଓଡ଼ିଶା ସାମ୍ରାଜ୍ୟର ପତନ ଘଟିଥିଲା ।

ଆଫଗାନ୍‍ ସେନାପତି କଳାପାହାଡ଼, ଜଣେ ଘୋର ହିନ୍ଦୁ ବିରୋଧୀ । ସେ ବହୁ ହିନ୍ଦୁ ମନ୍ଦିର ଓ ଦେବଦେବୀ ମୂର୍ତ୍ତିିର ଧ୍ୱଂସ ସାଧନ କରିଥିଲା । କୋଣାର୍କ ମନ୍ଦିରକୁ ଧ୍ୱଂସ କଲା ପରେ ପୁରୀ ଶ୍ରୀମନ୍ଦିର ଆକ୍ରମଣ କରି ଅନେକ ଧନରତ୍ନ ଲୁଣ୍ଠନ କରିବା ସଙ୍ଗେ ସଙ୍ଗେ ମନ୍ଦିରର କେତେକାଂଶ ନଷ୍ଟ କରି ଦେଇଥିଲା । କଳାପାହାଡ଼ ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ନେଇଯାଇ ଗଙ୍ଗାକୂଳରେ ଜାଳିଦେଲା ବୋଲି ମାଦଳାପାଞ୍ଜିରେ ଉଲ୍ଲେଖ ଅଛି । ଆଉ ଏକ ମତରେ କଳାପାହାଡ଼ର ଆକ୍ରମଣରୁ ବିଗ୍ରହଙ୍କୁ ରକ୍ଷ। କରିବା ପାଇଁ ଶ୍ରୀମନ୍ଦିରର ସେବକମାନେ ତାଙ୍କୁ ନେଇ ଚିଲିକାକୂଳରେ ପାରିକୁଦଠାରେ ଲୁଚାଇ ରଖିଥିଲେ । 'ମାଦଳାପାଞ୍ଜି' ରେ ଗୋଟିଏ ବିଗ୍ରହ କଥା ଉଲ୍ଲେଖ ଅଛି: "ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଗଙ୍ଗାକୂଳ ତଣ୍ଡାଯାଏ ନେଲା । କାଠ କୁଢ଼ାଇ ଅଗ୍ନିରେ ପୂରେଇ ଜାଳି ଦେଲା ।"

'ମାଦଳାପାଞ୍ଜି', ଆବୁଲ୍‌ଫଜଲଙ୍କ 'ଆଇନ-ଇ-ଆକବରି' ପ୍ରଭୃତି ଗ୍ରନ୍ଥରେ କଳାପାହାଡ଼ ନାମ ଉଲ୍ଲେଖ ଥିଲେ ମଧ୍ୟ କଳାପାହାଡ଼ ଏକ ଐତିହାସିକ ଚରିତ୍ର ବୋଲି ଅନେକ ବିଶିଷ୍ଟ ଐତିହାସିକ ଗ୍ରହଣ କରୁନାହାନ୍ତି । ଐତିହାସିକ ଡ: ନବୀନ କୁମାର ସାହୁ ଓଗେର ଲେଖିଛନ୍ତି :

Many scholars, however, do not believe in the historicity of this episode and they discard Kalapahada as a legendary figure. The destruction of many Hindu temples and images during the Muslim invasion of Orissa in A.D.1568, however cannot be denied. (History of Orissa-Dr.N.K. Sahu, Dr. P.K. Mishra and Dr. J.K. Sahu, Nalanda, 2001,

ଶ୍ରୀଜଗନ୍ନାଥ . ୨୦୯