ପୃଷ୍ଠା:ShreeJagannath.pdf/୨୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାଏବ ନବାବ ମୁର୍ଶିଦା କୁଲି ଖାଁଙ୍କ ଝିଅ ଯାହାକୁ ରାମଚନ୍ଦ୍ର ଦେବ ବିବାହ କରିଥିଲେ ତାଙ୍କର ପ୍ରକୃତ ନାମ କ'ଣ ଜାଣି ହେଉନାହିଁ । ତାଙ୍କର ନାମ ସୌରିୟା (ମତାନ୍ତରେ ରେଜିଆ) କୁହାଯାଇଛି । ବିବାହ ପରେ ତାଙ୍କର ନାମାନ୍ତର ହେଲା ସୂର୍ଯ୍ୟମଣି ମହାଦେଈ ।

ଏହି ବିବାହ ପରେ ମଧ୍ୟ କେତେକ ଦାନପତ୍ରରେ ରାମଚନ୍ଦ୍ର ଦେବଙ୍କ ନାମ ବ୍ୟବହୃତ ହୋଇଥିବାରୁ ରାମଚନ୍ଦ୍ର ଦେବ ମୁସଲମାନ ନାମ ଗ୍ରହଣ କରିଥିବା ସନ୍ଦେହଜନକ ମନେ କରାଯାଇଛି । ସେ ଧର୍ମ ପରିବର୍ତ୍ତନ କରିଥିବାଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଯାଇ ଦର୍ଶନରୁ ବଞ୍ଚିତ ହେବାଯୋଗୁଁ ସିଂହଦ୍ୱାର ଗୁମୁଟରେ ପତିତପାବନ ମୂର୍ତ୍ତିି ପ୍ରତିଷ୍ଠା କରାଯାଇଥିଲା; ଯାହାଙ୍କୁ ସେ ଦର୍ଶନ କରୁଥିଲେ ବୋଲି କୁହାଯାଇଛି । କିନ୍ତୁ ପତିତପାବନ ମୂର୍ତ୍ତିି ରାମଚନ୍ଦ୍ର ଦେବ (୨ୟ)ଙ୍କ ପ୍ରାୟ ଏକଶତ ବର୍ଷ ପୂର୍ବରୁ ସେଠାରେ ସ୍ଥାପିତ ହୋଇଥିଲା ବୋଲି ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ ମତ ଦେଇଛନ୍ତି ।

ରାମଚନ୍ଦ୍ର ଦେବ ଆଠଗଡ଼ରୁ ଫେରିଆସି କେତେମାସ ଖୋର୍ଦ୍ଧା ସିଂହାସନରେ ବସିଥିବା ଜଣାଯାଏ । ପରେ ମୀର ହବିବ ପଟିଆର ରାଜା ପଦ୍ମନାଭ ଦେବଙ୍କୁ ରାମଚନ୍ଦ୍ର ଦେବଙ୍କ ପରିବର୍ତ୍ତେ ଖୋର୍ଦ୍ଧା ରାଜଗାଦିରେ ବସାଇଥିଲେ । ରାମଚନ୍ଦ୍ର ଦେବ ରାଜ୍ୟଭ୍ରଷ୍ଟ ହୋଇ ସାମନ୍ତ ରାଜା ନରସିଂହପୁର ରାଜାଙ୍କ ରାଜ୍ୟରେ ଆଶ୍ରୟ ନେଇଥିଲେ । ନରସିଂହପୁରର ସାମନ୍ତ ରାଜାଙ୍କ ନାମ ଥିଲା ମନ୍ଦରଧର ମାନସିଂହ ହରିଚନ୍ଦନ ମହାପାତ୍ର । ରାମଚନ୍ଦ୍ର ଦେବ ତାଙ୍କର ପତ୍ନୀ ସୂର୍ଯ୍ୟମଣି ସହିତ ସେଠାକୁ ଯାଇଥିଲେ (ମତାନ୍ତରେ ଏକାକୀ) । ସେଠାରେ ଗୁରୁତର ବ୍ୟାଧିରେ ପଡ଼ି ତାଙ୍କର ଦେହାନ୍ତ ହୋଇଥିଲା (ମତାନ୍ତରେ ରାଜା ଓ ରାଣୀ ସୂର୍ଯ୍ୟମଣି ଉଭୟେ ବିଷପାନ କରି ଆତ୍ମହତ୍ୟା କରିଥିଲେ) । ନରସିଂହପୁର ପାଏକପଡ଼ା ଗଡ଼ଠାରୁ କ୍ରୋଶମାତ୍ର ଦୂର ଲକ୍ଷପଡ଼ା ଗ୍ରାମରେ ବିଷପାନ କରି ଆତ୍ମହତ୍ୟା କରିବା କୁହାଯାଏ । ଖ୍ରୀ: ୧୭୩୭ ଡିସେମ୍ବର କିମ୍ବା ୧୭୩୮ ଜାନୁଆରିରେ ଏହି ଘଟଣା ଘଟିଥିଲା । ସେମାନଙ୍କର ଶବଦାହ (ମତାନ୍ତରେ ସମାଧିସ୍ଥ) ନରସିଂହପୁରର ଘୋରାଡ଼ିଆ ଗ୍ରାମ ନିକଟସ୍ଥ ଅରଣ୍ୟରେ ହୋଇଥିଲା । ଏହି ଅରଣ୍ୟ ମହାଶ୍ମଶାନ ନାମରେ ପରିଚିତ ।

ମୀର ହବିବ ପଟିଆ ରାଜା ପଦ୍ମନାଭଙ୍କୁ ୩.୫.୧୭୩୬ ତାରିଖରୁ ଖୋର୍ଦ୍ଧା ସିଂହାସନରେ ବସାଇଥିଲେ । ସିଂହାସନର ନ୍ୟାଯ୍ୟ ଅଧିକାରୀ ରାମଚନ୍ଦ୍ର ଦେବଙ୍କ ପୁତ୍ର ବୀରକେଶରୀ ଦେବ ଘୁମସରର ଚକାପାଦମାଳ ଓ ଅନୁଗୁଳ ମାଳରେ ଆଶ୍ରୟ ନେଇଥିଲେ । ଘୁମୁସରର ରାଜା ଘନଭଞ୍ଜ ବୀରକେଶରୀଙ୍କୁ ଖୋର୍ଦ୍ଧା ରାଜ୍ୟ ଅଧିକାରପାଇଁ ସୈନ୍ୟ ସାହାଯ୍ୟ ଦେଇଥିଲେ । ତେଣୁ ବୀରକେଶରୀ ରାଜା ଘନଭଞ୍ଜଙ୍କୁ "କ୍ଷତ୍ରିୟ ବର' ଉପାଧି ପ୍ରଦାନ କରିଥିଲେ । ଅନୁଗୁଳ ରାଜା ମଧ୍ୟ ସୈନ୍ୟ ସାହାଯ୍ୟ ଦେଇଥିଲେ । ଖୋର୍ଦ୍ଧା ରାଜ୍ୟ ଆକ୍ରମଣପାଇଁ ବୀରକେଶରୀ ପ୍ରସ୍ତୁତ ହେଉଥିବା ସମୟରେ ବଡ଼ମ୍ବା ସୀମା ବୈଦ୍ୟେଶ୍ୱରଠାରେ ତାଙ୍କୁ ମୁର୍ଶିଦ କୁଲି ଖାଁ 'ଟୀକା ଶିରୋପା' ଦେଇ ଖୋର୍ଦ୍ଧା ଶ୍ରୀନଅରରେ ବିଜେ କରାଇଲେ ଅର୍ଥାତ୍ ରାଜା କରାଇଲେ । ପଦ୍ମନାଭ ଦେବ ପଳାଇଯାଇ ପଟିଆରେ ରହିଲେ । ପଦ୍ମନାଭ ଦେବ ଭୋଗକଲେ ୩ ବର୍ଷ । ପଟିଆ ପଦ୍ମନାଭ ଦେବ

୨୨୦ ଶ୍ରୀଜଗନ୍ନାଥ