ପୃଷ୍ଠା:ShreeJagannath.pdf/୨୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୩.୫.୧୭୩୬ ଠାରୁ ୩୦.୩.୧୭୩୯ ତାରିଖ ଯାଏଁ ଖୋର୍ଦ୍ଧା ସିଂହାସନ ଅଧିକାର କରିଥିଲେ (ଖୁରୁଧା ଇତିହାସ) । ତ‌ଥାପି ବୀରକେଶରୀ ଦେବ (୧ମ)ଙ୍କ ରାଜତ୍ୱକାଳ ଖ୍ରୀ:୧୭୩୭ରୁ ୧୭୯୩ ଧରାଯାଉଛି । ଖୋର୍ଦ୍ଧା ସିଂହାସନରେ ବସିବା ପରେ ବୀରକେଶରୀ ଦେବ ଚାରିବର୍ଷର ଯାତ୍ରୀ ହାସିଲ (କର) ବାବଦକୁ ଅଠରଲକ୍ଷ ଟଙ୍କା ମୁର୍ଶିଦ କୁଲି ଖାଁଙ୍କ ନିକଟକୁ ପଠାଇଥିଲେ ।

୧୭୩୯ ଖ୍ରୀଷ୍ଟାବ୍ଦରେ ବଙ୍ଗ,ବିହାର ଓ ଓଡ଼ିଶାର ନବାବ ସୁଜାଉଦ୍ଦିନ୍‍ଙ୍କର ମୃତ୍ୟୁ ହେବାରୁ ତାଙ୍କ ପୁତ୍ର ସରଫ୍‍ରାଜ ନବାବ ହେଲେ । ସୁଜାଉଦ୍ଦିନଙ୍କର ଚାରିଜଣ ବିଶ୍ୱସ୍ତ ଉପଦେଷ୍ଟା ଥିଲେ ହାଜି ଅହମଦ୍‍, ଅଲିବର୍ଦ୍ଦି ଖାଁ, ଆଲାମ ଚାନ୍ଦ ଓ ଫତେଚାନ୍ଦ । କିନ୍ତୁ ସୁଜା ଉଦ୍ଦିନ୍‍ଙ୍କ ମୃତୁ୍ୟ ପରେ ତାଙ୍କର ପୁତ୍ରର ଶତ୍ରୁ ପାଲଟି ଗଲେ ଏବଂ ଚକ୍ରାନ୍ତ କରି ତାଙ୍କୁ ହତ୍ୟା କଲେ । ତାପରେ ଅଲିବର୍ଦ୍ଦି ଖାଁ ବଙ୍ଗ, ବିହାର ଓ ଓଡ଼ିଶାର ନାଜିମ୍‍ ହେଲେ । ହାଜି ଅହମ୍ମଦ୍‌ର ପୁତ୍ର ସୟିଦ୍‍ ଅହମ୍ମଦ୍‌କୁ ଓଡ଼ିଶାର ନାଏବ ନାଜିମ ନିଯୁକ୍ତ କରାଗଲା । ଫଳରେ ମୁର୍ଶିଦ କୁଲି ଖାଁଙ୍କ ସହିତ ତାର ଯୁଦ୍ଧ ହେଲା । ମୁର୍ଶିଦ କୁଲି ଖାଁ ପରାସ୍ତ ହୋଇ ମସଲିପଟମ୍‍କୁ ପଳାୟନ କଲେ । ସୟିଦ୍‍ ଅହମଦ୍‍ ଓଡ଼ିଶାର ନବାବ ହେଲେ । ରାଜା ବୀରକେଶରୀ ମୁଶିଦ କୁଲି ଖାଁ (୨ୟ)ଙ୍କ ପରିବାରକୁ ସୁରକ୍ଷା ଦେଇ ମସଲିପଟମ୍‍କୁ ପଠାଇଦେଲେ ।

ସୟିଦ ଅହମଦ୍‍ ଓଡ଼ିଶାର ନବାବ (ନାଏବ ନାଜିମ୍‍) ହେବା ପରେ ରାଜ୍ୟରେ ଅତ୍ୟାଚାର ଓ ଉପଥିୀଡନର କୁଶାସନ ପ୍ରବର୍ତ୍ତନ ହେଲା । ତାଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ ହେଲା । ରାଜା ବୀରକେଶରୀ ମଧ୍ୟ ଏହି ନାଏବ ନାଜିିମ୍‍ଙ୍କ ବିରୋଧରେ ନେତୃତ୍ୱ ନେଇଥିଲେ । ଇତି ମଧ୍ୟରେ ମୁର୍ଶିଦ କୁଲି ଖାଁ (୨ୟ)ଙ୍କର ବିଶ୍ୱସ୍ତ ସହଯୋଗୀ ମିର ହବିବ୍‍ ନାଗପୁରରେ ଶାସକ ରଘୁଜୀ ଭୋନ୍‍ସଲାଙ୍କ ଦରବାରରେ ଆଶ୍ରୟ ନେଇଥିଲେ । ଭୋନ୍‍ସଲାଙ୍କୁ ସେ ଓଡ଼ିଶା ଆକ୍ରମଣ କରିବାକୁ ପ୍ରବର୍ତ୍ତାଇଲେ ।

୧୭୪୨ ଖ୍ରୀଷ୍ଟାବ୍ଦରେ ରଘୁଜୀ ଭୋନ୍‍ସଲାଙ୍କର ପ୍ରଧାନମନ୍ତ୍ରୀ ଭାସ୍କର ପଣ୍ଡିତ ଓଡ଼ିଶା ଆକ୍ରମଣ କଲେ । ଏହା ହେଉଛି ଓଡ଼ିଶା ଉପରେ ସର୍ବପ୍ରମ ମରହଟ୍ଟା ଆକ୍ରମଣ । ବଙ୍ଗ ଓ ଓଡ଼ିଶାରୁ ଚୌଥ ଆଦାୟ କରିବା ଥିଲା ମରହଟ୍ଟା ଆକ୍ରମଣର ଉଦ୍ଦେଶ୍ୟ । ବାରମ୍ବାର ମୋଗଲ ଓ ମରହଟ୍ଟାଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଲା । ମିର ହବିବିଙ୍କ ନେତୃତ୍ୱରେ ମରହଟ୍ଟା ସୈନ୍ୟମାନେ କଟକ ସହରକୁ ନିଜ ଆଧିପତ୍ୟକୁ ନେଇ ଆସିଲେ ଓ ନାଏବ ନାଜିମ୍‍ ଶୋଭନ ଖାଁଙ୍କୁ ବନ୍ଦୀ କଲେ । ୧୭୫୧ ଖ୍ରୀଷ୍ଟାବ୍ଦରେ ଭୋନ୍‍ସଲାଙ୍କ ସହିତ ଅଲିବର୍ଦ୍ଦି ଖାଁଙ୍କର ଏକ ଆପୋଷ ଶାନ୍ତି ଚୁକ୍ତି ସା୍ୱକ୍ଷରିତ ହେଲା । ମିର ହବିବଙ୍କୁ ଭୋନ୍‍ସଲାଙ୍କ ପ୍ରତିନିଧି ହିସାବରେ ଓଡ଼ିଶାର ସୁବାଦାର ଭାବେ ସ୍ୱୀକାର କରାଗଲା । ଭୋନ୍‍ସଲା ରାଜାଙ୍କୁ ବଙ୍ଗର ରାଜସ୍ୱରୁ ବର୍ଷକୁ ବାରଲକ୍ଷ ଟଙ୍କା ଚୌଥ ଭାବେ ଦେବାପାଇଁ ବଙ୍ଗ ନବାବ ଅଙ୍ଗୀକାରବଦ୍ଧ ହେଲେ । ସୁବର୍ଣ୍ଣରେଖା ନଦୀକୁ ବଙ୍ଗ ଓ ଓଡ଼ିଶାର ବିଭକ୍ତ ରେଖା ଭାବେ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା । ଏହି ଚୁକ୍ତି ବଳରେ ମରହଟ୍ଟାମାନେ ଓଡ଼ିଶାର ସର୍ବମୟ ଶାସକ ଓ ପ୍ରାଶାସନିକ କର୍ତ୍ତୃପକ୍ଷ ବିବେଚିତ ହେଲେ ।

ଶ୍ରୀଜଗନ୍ନାଥ ୨୨୧