ପୃଷ୍ଠା:ShreeJagannath.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୂଳ ଦେବତା ଓ ସେ ସମସ୍ତ ଶବର ଗୋଷ୍ଠୀ ସୃଷ୍ଟି କରିଛନ୍ତି ବୋଲି ସୌରାମାନେ କହନ୍ତି । ଯେଉଁ ବୃକ୍ଷକୁ ସେମାନେ 'ଜଗନ୍ତ' (କିତୁଙ୍ଗଙ୍କର ଏକ ବିଶେଷ ନାମ) ବୋଲି କହନ୍ତି, ସେହି ବୃକ୍ଷକୁ ଏପରିକି ସେ ଥିବା ଉଦ୍ୟାନ ଭିତର କୌଣସି ବୃକ୍ଷକୁ ସେମାନେ ଛେଦନ କରନ୍ତି ନାହିଁ । ଏଥିରୁ ମନେହୁଏ, ଯେଉଁ ବୃକ୍ଷ ବା ଦାରୁକୁ ସେମାନେ 'ଜଗନ୍ତ' ଆଖ୍ୟାରେ ପୂଜା କରୁଥିଲେ, ତାହା ପରବର୍ତ୍ତୀ 'ଜଗନ୍ନାଥ' ଶବ୍ଦର ମୂଳ ହୋଇଥାଇପାରେ (୨) ।" ଜଗନ୍ତ ବ୍ୟତୀତ ଶବରମାନେ ସେମାନଙ୍କର ପ୍ରସିଦ୍ଧ ଦେବତାଙ୍କୁ 'ଜଗାବୋଇ' ବୋଲି ଶ୍ରଦ୍ଧାରେ ଡାକିଥାନ୍ତି । 'ବୋଇ' ଶବ୍ଦର ଅର୍ଥ ଦେବତା । ଶବରମାନଙ୍କ ମଧ୍ୟରେ ଜଗନ୍ନାଥଙ୍କର ଆଉ ଏକ ନାମ ଥିଲା 'ଜଗାନାଏଲୋ' । ଅଷ୍ଟ୍ରିକ୍‍ (ଆଦିବାସୀ) ଗୋଷ୍ଠୀର ସଙ୍କେତବାଦ (Totemism)ରୁ ଜଣାଯାଏ ଯେ ସେମାନେ ମୁଖ୍ୟତଃ ବୃକ୍ଷକୁ ଦେବତା ରୂପେ ପୂଜା କରୁଥିଲେ । ପ୍ରଥମେ ଭାରତରେ ପ୍ରବେଶ କରିଥିବା ଅଷ୍ଟ୍ରିକ୍‍ ଗୋଷ୍ଠୀ ନିଗ୍ରିଟୋମାନଙ୍କ ମଧ୍ୟରେ ପିପ୍‍ପଳ ବୃକ୍ଷ ଉପାସନା ପ୍ରଚଳିତ ଥିଲା ।

ଋଗ୍‌ବେଦରେ "ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋଃ ପାରେ ଅପୌରୁଷମ୍‍" ରେ 'ଦାରୁ'କୁ 'ଅପୌରୁଷମ୍‍' କୁହାଯିବାଦ୍ୱାରା ଏହାକୁ ଅନାର୍ଯ୍ୟ ଦେବତା ବା ଶବର ଦେବତା ଭାବରେ ଗ୍ରହଣ କରାଯାଇଛି ବୋଲି ପଣ୍ଡିତ ନୀଳକଣ୍ଠ ଦାସ ମନେ କରନ୍ତି । ଏଥିରୁ ସମୁଦ୍ରତୀରବର୍ତ୍ତୀ ଆଦିବାସୀଙ୍କ ଦାରୁଦେବତା ପ୍ରତି ବୈଦିକ ଋଷିଙ୍କର ଘୃଣାଭାବ ସୂଚିତ ହେଉଥିବା କୁହାଯାଇଛି । ଗବେଷକ କେଦାରାଥ ମହାପାତ୍ର, ଡକ୍ଟର ବଂଶୀଧର ମହାନ୍ତି, ଡକ୍ଟର ନବୀନ କୁମାର ସାହୁ, ଗୁରୁଦାସ ସରକାର ପ୍ରମୁଖ ଜଗନ୍ନାଥ ସଂସ୍କୃତିରେ ଶବର ସଂସ୍କୃତିର ପ୍ରଭାବ ସ୍ୱୀକାର କରିଛନ୍ତି । ପ୍ରଭାତ ମୁଖାର୍ଜୀ ଜଗନ୍ନାଥଙ୍କୁ ବ୍ରାହ୍ମଣ୍ୟ ଦେବତା ରୂପେ ପ୍ରମାଣ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ପ୍ରାଚୀନ କାଳରୁ ଶବରକର୍ତ୍ତୃକ ଦାରୁଦେବତାଙ୍କର ଉପାସନା ପରମ୍ପରାକୁ ଅସ୍ୱୀକାର କରିପାରି ନାହାନ୍ତି । ଡକ୍ଟର ହରେକୃଷ୍ଣ ମହତାବ ଓ ଐତିହାସିକ ମନମୋହନ ଗାଙ୍ଗୁଲି ଜଗନ୍ନାଥଙ୍କୁ ପ୍ରାକ୍‍ ବୌଦ୍ଧକାଳୀନ ଦେବତା କହି ଜଗନ୍ନାଥଙ୍କ ସହିତ ଶାବର ସଂସ୍କୃତିର ସମ୍ପର୍କ ସମ୍ବନ୍ଧରେ ସଚେତନ ରହିଛନ୍ତି (୩) । ପ୍ରଫେସର ମହାନ୍ତି କହିଛନ୍ତି ଯେ ଓଡ଼ିଆ ସଂସ୍କୃତିର ପରିଚୟରେ ଆଦିବାସୀ ସଂସ୍କୃତି ହିଁ ଆମ୍ଭମାନଙ୍କର ପ୍ରଥମ ଓ ପ୍ରଧାନ ପଥ ପ୍ରଦର୍ଶକ ଏବଂ ଜଗନ୍ନାଥ ଧର୍ମ ମୁଖ୍ୟତଃ ଓ ପ୍ରଥମତଃ ଆଦିବାସୀ ଧର୍ମ ।

ବିଦ୍ୱାନ ଗବେଷକ ପ୍ରଫେସର ଗୋପୀନାଥ ମହାପାତ୍ର କହନ୍ତି ଯେ, ଜଗନ୍ନାଥଙ୍କ ବିଷ୍ଣୁତ୍ୱକୁ ସ୍ୱୀକାର କରି ମଧ୍ୟ ଅନେକ ଗବେଷକ ଭ୍ରମ ମରୀଚିକାରେ ପଡ଼ି ଜଗନ୍ନାଥଙ୍କୁ ଶବର ଦେବତା ବୋଲି କହିବାକୁ ଚେଷ୍ଟା କରିଛନ୍ତି । ବିଶ୍ୱାବସୁଙ୍କର ନୀଳମାଧବ ଉପାସନା ଓ ଜଗନ୍ନାଥଙ୍କ ରୂପ ସେମାନଙ୍କୁ ଏହି ଭ୍ରାନ୍ତିରେ ପକାଇଛି । କେହି ଭାବି ନାହାନ୍ତି ଯେ, ବିଶ୍ୱାବସୁ କ'ଣ ଏକ ଶବର


୨. ଦାରୁ ଦେବତା- ବେଣୀମାଧବ ପାଢ଼ୀ । କଟକ ଷ୍ଟୁଡେଣ୍ଟସ୍‍ ଷ୍ଟୋର, ୩ୟ ସଂସ୍କରଣ, ୧୯୮୫

୩. ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା - ପ୍ରଫେସର ବାସୁଦେବ ସାହୁ, କୋଣାର୍କ ପବ୍ଲିଶର୍ସ, କଟକ-୨, ପ୍ରଥମ ସଂସ୍କରଣ,୧୯୯୧

୨୪.ଶ୍ରୀଜଗନ୍ନାଥ