ପୃଷ୍ଠା:ShreeJagannath.pdf/୨୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚାର୍ଲସ ଗ୍ରୋମ୍‍ଙ୍କ ରିପୋର୍ଟ (ତା.୧୦.୬.୧୮୦୫)ରେ ଉଲ୍ଲେଖ ଥିବା ତିନିଜିଣ ମରହଟ୍ଟା ପରିଚ୍ଛାଙ୍କ ନାମ ହେଲା-ମୋରାର (ମୁରାରୀ) ପଣ୍ଡିତ, (ମୁଖ୍ୟ ପରିଚ୍ଛା), ଜଗନ୍ନାଥ ରାଜଗୁରୁ (ଦ୍ୱିତୀୟ ପରିଚ୍ଛା) ଓ ଶେଓ୍ୱାଜି ଅନ୍‍ଗିଟସ୍‍ (ବାଜୀ ଆଙ୍ଗଟିସ୍‍) ତୃତୀୟ ପରିଚ୍ଛା ।

ମରହଟ୍ଟା ଶାସନରେ ଓଡ଼ିଶା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ ଥିଲା; ଯା- (୧) ଗଡ଼ଜାତ ରାଜନ୍ୟ ମଣ୍ଡଳୀ ଅଞ୍ଚଳ ଓ (୨) ମୋଗଲବନ୍ଦୀ ଅଞ୍ଚଳ । ଗଡଜାତ ରାଜ୍ୟମାନ ଜଙ୍ଗଲ ଓ ପର୍ବତ ଆବୃତ୍ତ ଥାଇ, ଅର୍ଦ୍ଧ ସ୍ୱାଧୀନ ରାଜ୍ୟ ଭାବରେ କାର୍ଯ୍ୟ କରୁଥିଲେ । ସମୁଦ୍ର କୂଳବର୍ତ୍ତୀ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଥିଲା 'ମୋଗଲବନ୍ଦୀ', ଯାହାକି ମରହଟ୍ଟାମାନଙ୍କର ପ୍ରତ୍ୟକ୍ଷ ଶାସନାଧୀନ ଥିଲା । ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧାରାଜ୍ୟ ଥିଲା ସର୍ବପ୍ରଧାନ । ଖୋର୍ଦ୍ଧାରାଜା ଓଡ଼ିଶାର ରାଜା ଭାବେ ମାନ୍ୟତା ପାଉଥିଲେ । ଖୋର୍ଦ୍ଧାରାଜା କେତେଜଣ ସାମନ୍ତ ବା ଦଳବେହେରାଙ୍କ ସାହାଯ୍ୟରେ ଶାସନ ପରିଚାଳନା କରୁଥିଲେ । ଏହି ଦଳ ବେହେରା ପଦବୀ ପୁରୁଷାନୁକ୍ରମିକ ଥିଲା । ସେମାନଙ୍କ ଅଧୀନରେ 'ଦଳେଇ' ଉପାଧିଧାରୀ ସୈନ୍ୟମାନେ ଗଡ଼ ବା ଦୁର୍ଗରକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଦଳେଇ ପଦବୀ ମଧ୍ୟ ପୁରୁଷାନୁକ୍ରମିକ ଥିଲା । ଦଳେଇମାନଙ୍କ ରକ୍ଷଣାବେକ୍ଷଣପାଇଁ ଇନାମ ଭୂମିର ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କୁ ମଧ୍ୟ ପାଇକ କୁହାଯାଉଥିଲା । ଯୁଦ୍ଧ ସମୟରେ ସୈନିକ କାମ କରିବା ସଙ୍ଗେ ସଙ୍ଗେ ଶାନ୍ତି ସମୟରେ ସେମାନେ କୃଷକ ଭାବରେ କୃଷିକର୍ମରେ ପ୍ରବୃତ୍ତ ହେଉଥିଲେ । ନିଜର କିମ୍ବା ମାଲିକଙ୍କର ଜମି କର୍ଷଣ କରୁଥିଲେ ।

'ମୋଗଲବନ୍ଦୀ' ଅଞ୍ଚଳ ଉତ୍ତରରେ ସୁବର୍ଣ୍ଣରେଖା ନଦୀ ଅଞ୍ଚଳଠାରୁ ଦକ୍ଷିଣରେ ଖୋର୍ଦ୍ଧା ସୀମା ଯାଏଁ ବିସ୍ତୃତ ଥିଲା । ପ୍ରାଶାସନିକ ସୁବିଧା ଦୃଷ୍ଟିରୁ ମୋଗଲବନ୍ଦୀ ଅଞ୍ଚଳକୁ ୧୫୦ଟି 'ପ୍ରଗଣା'ରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ପ୍ରଗଣାକୁ କେତୋଟି 'ମାହାଲ'ରେ ବିଭକ୍ତ କରା ଯାଇଥିଲା । ରାଜସ୍ୱ ଆଦାୟ ଦାୟିତ୍ୱ ରେ ଥିବ। ସର୍ବୋଚ୍ଚ କର୍ମଚ।ରୀ ଙ୍କୁ 'ଅମିଲ ' କୁହାଯାଉଥିଲା । ଚୌଧୁରୀ, କାନୁନ୍‍ଗୋ ଓ ତାଲୁକଦାରମାନେ ରାଜସ୍ୱ ଆଦାୟ କରିବାରେ ସାହାଯ୍ୟ କରୁଥିଲେ । ରାଜସ୍ୱ କର୍ମଚାରୀମାନଙ୍କୁ ମାସିକ ଦରମା ପ୍ରଦାନର ବ୍ୟବସ୍ଥା ନଥିଲା । ସେମାନେ ପାରିଶ୍ରମିକ ଭାବେ କରବିହୀନ ଜମି ବା ନିଷ୍କର ଜମି ଭୋଗ ଦଖଲ କରୁଥିଲେ । ଦୁର୍ଭିିକ୍ଷ ଓ ଖାଦ୍ୟାଭାବ ସମୟରେ ମରହଟ୍ଟା ଶାସକମାନେ ଲୋକଙ୍କ ଉପରୁ ଖଜଣା ଛାଡ଼ କରିଦେଉଥିଲେ । ୧୭୨୫ ଖ୍ରୀଷ୍ଟାବ୍ଦରେ କଟକ ଜିଲ୍ଲାରେ ଫସଲହାନି ଓ ଦୁର୍ଭିିକ୍ଷ ପଡ଼ିଥିବା ହେତୁ ମରହଟ୍ଟା ଶାସକ ସାତ ଲକ୍ଷ ଟଙ୍କାର ରାଜସ୍ୱ ଛାଡ଼ କରିଥିଲେ । (ଦ୍ରଷ୍ଟବ୍ୟ- ଓଡ଼ିଶା ଇତିହାସ-ଡଃ ଦଣ୍ଡପାଣି ବେହେରା) ।

ଓଡ଼ିଶାର ସର୍ବୋଚ୍ଚ ମରହଟ୍ଟା ପ୍ରଶାସକଙ୍କୁ ସୁବାଦାର କୁହାଯାଉଥିଲା (ପ୍ରଦେଶର ଗଭର୍ଣ୍ଣର) । ତାଙ୍କର ମୁଖ୍ୟ କାର୍ଯ୍ୟାଳୟ ବାରବାଟୀ ଦୁର୍ଗରେ ଥିଲା । ଏହି ଦୁର୍ଗର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ ଜଣେ କିଲା ଦାର । ସୁବାଦରଙ୍କ ଅଧୀନରେ କେତେଜଣ ଫୌଜଦାର ଥିଲେ । ବିଭିନ୍ନ ସାମରିକ ଘାଟିର ରକ୍ଷଣାବେକ୍ଷଣ, ସଂପୃକ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା, ସେହି ଅଞ୍ଚଳରୁ ଖଜଣା, ବାଣିଜ୍ୟ

ଶ୍ରୀଜଗନ୍ନାଥ ୨୨୫